Unknown

ଭଜନମାଳା

ଭୀମ ଭୋଇ

 

ସୂଚୀପତ୍ର

ବିଷୟ

୧୦୧ । ମହିମା ଶବଦ ଧୂନି ତିନି ବ୍ରହ୍ମାଣ୍ଡ ମେଦିନୀ

୧୦୨। ଭଗତ ଦେଖିବେ ଯାକୁ ମହୀ ସମର୍ପିବେ ତାକୁ

୧୦୩। ଜଗତ କରତା ବିଜେ, ପହଣ୍ଡି କି ଭଲା ସାଜେ

୧୦୪। ବଜାଇ ଅନନ୍ତ ତାଳି, ହରିବୋଲ ହୁଳହୁଳି

୧୦୫। କଳିଯୁଗେ ଅପୂର୍ବ ରୀତି, ମହିମା ସାଗର ବିଜୟେ କ୍ଷିତି

୧୦୬। ପାପଭାରା ହେଲାଣି ଛେଦି, କରୁଛନ୍ତି ଖେଳ ଗୁରୁ ଅନାଦି

୧୦୭। ନର ଦେହେ ପାଇଛ ଜନ୍ମ, ଏତେବେଳେ ଡାକ ମହିମା ନାମ

୧୦୮। ଧର ଧର ହେ ଜୀବ ଗଲାଟି ସରି, ଏ ଭବସାଗରୁ କରିବେ ପାରି

୧୦୯। ନାମ ଭଜ ନିରନ୍ତରେ ହୃଦୟରେ ଧର ଭୟ ନ କରି

୧୧୦। କଳିଯୁଗ ହେଲେ ସାରା ନିଶ୍ଚେ ବସାଇବି ହାଟ ବଣିଜ ପସରା

୧୧୧। କ୍ଷଣେ ନ ଛାଡ଼ିବି ପାଦ ଅଣ ବୁଝାମଣା ହେଲେ

୧୧୨। ସତ୍ୟ ଧର୍ମକୁ ଚାହିଁ, ନାମ ଶବଦ ଆକାରେ କମ୍ପୁଅଛି

୧୧୩। ଅନାଦି ମଣ୍ଡଳରୁ ସର୍ବେ ସଞ୍ଚରି

୧୧୪। ଦୁର୍ଲ୍ଲଭ ଜନ୍ମ ପିଣ୍ଡେ ସକଳ ସିଦ୍ଧି, ଏହି ଶରୀରେ ଜ୍ଞାନ

୧୧୫। ଅମନ ମନ୍ଦିରକୁ କର ଗମନ ମାୟାରେ ପଡ଼ି ବାୟା

୧୧୬। ସୁଦୟା କର ଶୂନ୍ୟସ୍ୱରୂପ ବାସୀ ଉଦ୍ଧରି ଧର

୧୧୭। ଗୁରୁ କଟାକ୍ଷ କଲେ ଯହୁଁ ହୃଦରେ

୧୧୮। ଦିନ ପାହିଲା ଯୁଗ ହେଲାଣି ଶେଷ

୧୧୯। ଦର୍ଶନ କର, ଧ୍ୟାଇ ଶ୍ରୀଗୁରୁ ପୟର

୧୨୦। ଭଜ ସ୍ୱାମୀଙ୍କି, ଚର୍ମ ନୟନରେ ଦେଖି

୧୨୧। ନିଜ ଅଙ୍ଗରେ, ଖେଳୁଛନ୍ତି ବ୍ରହ୍ମାଣ୍ଡରେ

୧୨୨। ମହିମା ଦେଖ, ଯାର ନାହିଁ ରୂପରେଖ

୧୨୩। ପାକ ଛଡ଼ ରସରେ ଭୁଞ୍ଜୁଅଛି ସତୀ

୧୨୪। ସୁବେଶକୁ ଜାଗିଛି, କ୍ଷରି ପଦ୍ମପୁଷ୍ପ ପୂରି ମଧୁରସ

୧୨୫। ଅନାହତ ବିହାରୀ, ଆବୋରିଛି କାୟେ

୧୨୬। ବାନା ଜଗତେ ସଞ୍ଚରି, ରହିଲେ ଭଗତେ

୧୨୭। ବ୍ରହ୍ମ ଯହିଁ ଅଛି କର ନିରୂପଣ ହେ ସାଧୁଜନ

୧୨୮। ତାଙ୍କୁ ଭେଦକର, ରବିତଳେ ଥିବେ ହେ ସର୍ବଶୁଭେ

୧୨୯। ଦୃଢ଼େ ଧରି ଅପ୍ରତେ ନ କର ହେ ଚିହ୍ନ ଭଲ କରି

୨୩୦। ବଣା ନୁହ ହେ, ହେତୁ ଚେତା ହୁଅ ହେ

୨୩୧। ଅନାଦି ଗୁରୁ, ଅଣ ଅକ୍ଷରୁ, ନାମ ବୋଲାଇଲ ମହିମା ମେରୁ

୨୩୨। ପରମବ୍ରହ୍ମ ସତ୍ୟାଦି ଧର୍ମ ଭଗତି ଭାବକୁ ବହନ୍ତି ନାମ

୨୩୩। କର ବିଚାର, ସୁଜ୍ଞାନୀନର ବ୍ରହ୍ମଠାରୁ ଆଉ ନାହିଁନା ସାର

୨୩୪। ପରମେଶ୍ୱର ଏହିଟି ସବୁ ତାଙ୍କ ବିନୁ ନାହିଁ ଦ୍ୱିତୀୟ ପ୍ରଭୁ

୨୩୫। ଶୂନ୍ୟ ଅଣରୂପ ନିର୍ବେଦ ହେ ବର୍ଣ୍ଣଚିହ୍ନ

୧୩୬। କେ ପାରିବ କରି ଦର୍ଶନ ହେ ଏକବ୍ରହ୍ମ

୧୩୭। କିଛି ନ ଦିଶନ୍ତି ଚାହିଁଲେ ହେ କଦାଚିତେ ନ ପଡ଼େ

୧୩୮। ଆତଙ୍ଗରେ ଡାକ ପ୍ରଭୁଙ୍କୁ ହେ

୧୩୯। କର ସାଧୁସଙ୍ଗ ନିଶ୍ଚେ ପରାପତ ହେବ ବ୍ରହ୍ମଅଙ୍ଗ

୧୪୦। ଭଜ ନିରିବେଦେ, ଏହି ଶରୀରୁ ସୁଜ୍ଞାନ ହେବ ଉଦେ

୧୪୧। ଚିହ୍ନ ସ୍ୱଦେହରେ ଚିତ୍ତ ଲଗାଅ ଅନାମ ଅଦେହରେ

୧୪୨। ଆରେ ମୂର୍ଖବାଇ, ମାନି ସେବା କଲେ ସିନା ଜ୍ଞାନ ପାଇ

୧୪୩। ବିଜେ ମହିମାରେ ଏ ମହୀମଣ୍ଡଳେ ରୂପରେଖ ନାହିଁ

୧୪୪। ସ୍ୱାମୀ ବୁଝିବେ ହେ ଆତଙ୍ଗେ ଡାକିଲେ

୧୪୫। କ୍ଷୀନ ରୂପରେ ହେ ଏ କଳିଯୁଗରେ

୧୪୬। ନାମ ଦୁଆରୀ ହେ ଶୁଣ ସୁପଣ୍ଡିତ

୧୪୭। ବ୍ରହ୍ମମୟେ ଜଗତ ମନରେ ଚେତ

୧୪୮। ଅଦେହୁଁ ଦେହେଁ ଅଛି ସେ ଯେ ନ ଦିଶୁଛି

୧୪୯। ଆକାଶକୁ ନ ଯାଇ, ପ୍ରଭୁ ଅଛନ୍ତି ରହି

୧୫୦। ଶରୀରରେ ଧର ତାଙ୍କୁ ସେ ଅଲେଖଙ୍କୁ

୧୫୧। ଅନ୍ତର୍ଯ୍ୟାମୀ ସେ କରତା ପିତା ମାତା

୧୫୨। ପ୍ରଭୁଙ୍କୁ ଡାକ ମୁଖରେ ନିରନ୍ତରେ

୧୫୩। ବ୍ରହ୍ମାଣ୍ଡକୁ ବିଜୟେ ଯୁଗ ଶେଷକୁ

୧୫୪। ପରକାଶ ଅଲେଖ ଶୂନ୍ୟ ପୁରୁଷ, ବ୍ରହ୍ମାଣ୍ଡ ରଖିବା ପାଇଁ

୧୫୫। ସୁଜନ, ଧଉର୍ଯ୍ୟ ଧରି ଥାଅ ମନରେ

୧୫୬। ଶେଷରେ, ଘଟୁଛି ଏକଳିଯୁଗରେ ହେ

୧୫୭। ଦେଖିବ, କଳଙ୍କି ହୋଇବେ ରାଘବ

୧୫୮। ସକଳ ଖଟିବେ ଦଶ ଦିଗପାଳ ହେ ସଙ୍ଗତରେ ଦେବାଦେବୀ

୧୫୯। କେ ଭଜି ପାରିବ ନାମ ଅରୂପ ହେ

୧୬୦। ନିର୍ବେଦେ ରହିଛି ଅଣଅକ୍ଷର ହେ, ଅନାମିକା ପଦ

୧୬୧। ବିଜୟେ ଶ୍ରୀଗୁରୁ ଅବନା ମନ୍ଦିରୁ, ଶୂନ୍ୟେ ଯା ବାନା ପ୍ରକାଶ

୧୬୨। ମହିମା ଅଲେଖ ଅନନ୍ତ ଭାବୁଛି, ପ୍ରଭୁ ପଦ୍ମପାଦକୁ

୧୬୩। ଖେଳୁଅଛି ଏକପାଦେ ବ୍ରହ୍ମଧର୍ମ ଆଚରି

୧୬୪। ଦେଖ ଆଦି ବ୍ରହ୍ମମୂରତି, ନିତ୍ୟେ ପଡ଼ୁଅଛି ଆହୁତି

୧୬୫। କଳିଯୁଗେ ମହିମା ନାମ ହେଲା ଉତ୍ପତ୍ତି

୧୬୬। ଆନନ୍ଦେ ନାମ ବ୍ରହ୍ମେ ବିଚର, କର୍ମକାମନାରେ ଭ୍ରମି

୧୬୭। ଆହେ ପ୍ରଭୁ ମହିମାମେରୁ ଅଟ ଆପଣ

୧୬୮। ମହିମା ଆଜ୍ଞା ଜଗତେ ଖ୍ୟାତ, ଏ କଳିଯୁଗରେ ନାମ

୧୬୯। ଅଣହିଂସା ଧର୍ମ ଏହି, ହିଂସା ନାହିଁ

୧୭୦ । ଗୁରୁଙ୍କୁ ପରା ସେବୁଛ, ଜାଣୁଅଛ

୧୭୧। ସମ୍ଭାଳ ସତ୍ୟ ଧର୍ମକୁ, ବ୍ରହ୍ମାଣ୍ଡକୁ

୧୭୨। ଭ୍ରମି ଯାଉଛ ଚିତ୍ତରେ, ଅଜ୍ଞାନରେ

୧୭୩। ଶୂନ୍ୟରେ ଲାଗିଛି ପୁଣ୍ୟ ତପସ୍ୟା ଗୋ

୧୭୪। ହୋଇଲେ ସ୍ତିରୀ ପୁରୁଷ ଭଗତି ଗୋ

୧୭୫। ଶୂନ୍ୟେ ଅବଧୂତ ବାନା ଉଡ଼ୁଛି ଗୋ

୧୭୬। କର ନିଷ୍କାମ ଭକ୍ତି ସୂଚିତ୍ତେ ଗୋ

୧୭୭। ନ ପଡ଼ ଚିହ୍ନା, କରମୁ ଅଛି ଜଣା

୧୭୮। ଉଦୟ ନୁହ, ଗୁପତେ ରହିଥାଅ

୧୭୯। ନ ଆସ ଗୁରୁ, ନିଶବଦ ମନ୍ଦିରୁ

୧୮୦। ନୁହନ୍ତି ଦୃଶ୍ୟ, ଅନାଦିତ ପୁରୁଷ

୧୮୧। ଚିନ୍ତା ବହୁତ ଦିନୁ ଦିନକୁ ଶିରପରେ ବଜ୍ର ପ୍ରାୟେତ

୧୮୨। ଭୟ ନ ଗଲା ହୃଦପଦ୍ମରୁ, ମହାବ୍ରହ୍ମଗୁରୁ ଥାଇଁ

୧୮୩। ଏତେ ଅବସ୍ଥା ନର ତନୁରେ, ଶୂନ୍ୟ ପୁରୁଷଙ୍କୁ ଭଜି

୧୮୪। ଭୃତ୍ୟ ବିନତି କିମ୍ପା ନ ଶୁଣ ଶୂନ୍ୟ ଅଲେଖ ଅଜ୍ୟୋତି

୧୮୫। ଦେଖ ସଜନି ଗାଦି ମନ୍ଦିର ଗୋ

୧୮୬। ଧୂନି ଘରେ ରାଧିକା ବିଲାସ ଗୋ କରିବେ ଭଗତେ

୧୮୭। ଦେଖ ଆଦିବ୍ରହ୍ମ ମୂର୍ତ୍ତି, ନିତ୍ୟେ ପଡ଼ୁଛି ଆହୁତି

୧୮୮। ଦେଖରେ ଅଲେଖ ଧୂନି ବ୍ୟାପିଛି ଜଗତରେ

୧୮୯। ଦେଖିଲେ ମାତ୍ର ଚର୍ମ ନେତ୍ରରେ

୧୯୦। ବିକାଶି ତାଙ୍କ ପୂର୍ବ ସୁକୃତ ନନ୍ଦ ବସୁଦେବ ଭାବେ

୧୯୧। ଭଜ ଅଲେଖ ବ୍ରହ୍ମଙ୍କୁ

୧୯୨। କୃପାସାଗର ହେଲେ ବାହାର ଅନାଦି ପୁରୁଷ

୧୯୩। ଶୁଣ ହେ ସୁଜନ ମହିମା ବିଧାନ

୧୯୪। ଗୁରୁରୂପେ ଜ୍ଞାନ ଦେଲେ ଆଣି

୧୯୫। ମନ ସଧୀରେ ହୋ ଦୃଢ଼େ ସାଧ୍ୟ କର

୧୯୬। ଲତାବନେ ବୁଲି ଦେଖ, ବେନିଗୋଟି ପୁଷ୍ପ

୧୯୭। ପ୍ରତ୍ୟକ୍ଷରେ ଅନନ୍ତସ୍ୱରୂପ ହେ, ରହି ଦେଖ

୧୯୮। ଯାକୁ ଭଜୁଅଛ, ତାକୁ ନ ବୁଝି ନିନ୍ଦିତ କରୁଅଛ

୧୯୯। ଧ୍ୟାନ ଧଉର୍ଯ୍ୟେ ଗୁରୁପାଦ ସୁମର

୨୦୦। ଯହିଁ ପ୍ରଭୁଛନ୍ତି, ତତ୍ତ୍ୱ ଭେଦ କରି କେହି ନ ବୁଝନ୍ତି

 

ଇତି ଦ୍ୱିତୀୟ ଖଣ୍ଡ ସୂଚୀ ସମାପ୍ତ

 

Unknown

ଭଜନମାଳା

ଦ୍ୱିତୀୟ ଖଣ୍ଡ

(୧୦୧)

(୧) ମହିଁମା ଶବଦ ଧୂନି ତିନି ବ୍ରହ୍ମାଣ୍ଡ ମେଦିନୀ ।

କମ୍ପୁଅଛି ପୁର ତିନି । ଘୋଷା ।

ଅଠର ଲକ୍ଷ ଏ କଳି, ପୂର୍ବେ ଥିଲି ଶୁଣି ।

ଚାରି ଲକ୍ଷ ବତିଶ ସସ୍ର ଶାସ୍ତ୍ରେ ଥୋଇଲେକ ଆଣି ।୧।

ଚାରି ଲକ୍ଷ କଳିଯୁଗ ଗଲା ଯେଉଁ କ୍ଷଣି ।

ବତିଶ ସହସ୍ର ଭିତରେ ଗୁରୁ ବିଜେ କଲେ ଜାଣି ।୨।

ତିନି ଯୁଗ ଅବତାରେ ଥିଲେ ଯେତେ ମୁନି ।

ନିଜ ପ୍ରଭୁଙ୍କୁ ନ ଚିହ୍ନି କ୍ରିୟା କର୍ମରେ ଭ୍ରମଣି ।୩।

ଅଶେଷ ବ୍ରହ୍ମାଣ୍ଡ ପୋଡ଼ି ଯାଉଥିଲା ପୁଣି ।

ଅନାଦି ପୁରୁଷ ଧର୍ମ ପ୍ରକାଶ କଲେକ ଆଣି ।୪।

ଚାରିପାଦେ ଧର୍ମ ପାପେ ଡୁବିଥିଲା ପୁଣି ।

ଧନ୍ୟ ସେ କର୍ତ୍ତା ପୁରୁଷ ପୃଥ୍ୱୀକି ରଖିଲେ ଛାଣି ।୫।

ସତ୍ୟ ଧର୍ମ ନ ମାନିଲେ ହୋଇଲେ ଅଗ୍ୟାନୀ ।

ଗୁରୁପାଦବିନ୍ଦ ଧ୍ୟାଇ ଭୀମ ଅରକ୍ଷିତ ଭଣି ।୬।

 

(୧୦୨)

(୨) ଭଗତ ଦେଖିବେ ଯାକୁ

ମହୀ ସମର୍ପିବେ ତାକୁ । ଘୋଷା ।

ଏକୌଶ ବ୍ରହ୍ମାଣ୍ଡେ ପାଟ ବାନ୍ଧି ଦେବେ ତାଙ୍କୁ ।

ନବ ଖଣ୍ଡ ତ୍ରିଭୁବନ ଯେ ପାରିବ ବୁଝିବାକୁ ।୧।

ସମ୍ଭାଳି ପାରିବ ଯେହୁ ଭଗତବୃନ୍ଦକୁ ।

ବାଞ୍ଛାପୂର୍ଣ୍ଣ ଥିତି ବସା ଦେଇଯିବେ ସମସ୍ତଙ୍କୁ ।୨।

ସମର୍ପି ଦେବେ ବାଉନ କୋଟି ଭଣ୍ଡାରକୁ ।

ସମାନେ ଯେହୁ ପାଳିବ ଛପନା କୋଟି ଜୀବକୁ ।୩।

ଦାସ ପରିପାଳି ଯେହୁ ରହିବ ଆଗ୍ୟାଁକୁ ।

ଦିବସକେ ଲକ୍ଷେ ଟଙ୍କା ଖରଚା ଦେବ ପ୍ରଭୁଙ୍କୁ ।୪।

ମୁଦାଇ ନୋହିଲେ ପୃଥ୍ୱୀ ନ ଦେବେ କାହାକୁ ।

ଚାକେରି ଯେହୁ କରିବେ ଶ୍ରୀଗୁରୁପାଦପଦ୍ମକୁ ।୫।

ଶକତି ଯାହାର ଥିବ ମିଳିବ ତାହାକୁ ।

ଭଣେ ଭୀମ ଅରକ୍ଷିତ ସୁମରି ଶୂନ୍ୟ ପ୍ରଭୁଙ୍କୁ ।୬।

 

୧୦୨-୬- ଥିବେ ସର୍ବେ ଦେଇଯିବେ

(୧୦୩)

(୩) ଜଗତକରତା ବିଜେ । ପହଣ୍ଡିକି ଭଲା ସାଜେ । ଘୋଷା ।

ମତ୍ତଗଜ ଚାଲି ପ୍ରାୟେ ସ୍ୱରୂପ ବିରାଜେ ।

ବଇଷ୍ଣବୀ ମାୟା କରି ଦେଖାଉଅଛନ୍ତି ବାହ୍ୟେ ।୧।

ବୃଦ୍ଧରୂପ ପରିପୂର୍ଣ୍ଣ ନୁହେଁ ଯୁବା ତେଜେ ।

ହସ ମାଡ଼ୁଅଛି ମୋତେ ନାହିଁ ମୁଁ କହୁଛି ଲାଜେ ।୨।

ନବୀନ ବୟସ ଗୁପ୍ତ ବ୍ରହ୍ମାଣ୍ଡର କାର୍ଯ୍ୟେ ।

ସେହି କ୍ଷୀନ ରୂପ ଧରି ଅଶେଷ ବ୍ରହ୍ମାଣ୍ଡ ସର୍ଜେ ।୩।

ଛପନା କୋଟି ଜୀବକୁ ପଡ଼ି ଭାତ ଖଞ୍ଜେ ।

ଆପଣେ ଭୁଞ୍ଜିଲାବେଳେ ତୋଷ ହୋନ୍ତି ବାସିପେଜେ ।୪।

ଭଗତ ହାରି ଗୁହାରି ତତପରେ ବୁଝେ ।

ଗରବଗଞ୍ଜନ ବାନା ଗରବିତାପଣ ଗଞ୍ଜେ ।୫।

ସେ ଅଲେଖ ଶ୍ରୀଗୁରୁଙ୍କୁ ଦିବାନିଶି ଭଜେ ।

ଭଣେ ଭୀମ ଅରକ୍ଷିତ ଶରଣ ପାଦ-ପଙ୍କଜେ ।୬।

 

(୧୦୪)

(୪) ବଜାଇ ଅନନ୍ତ ତାଳି । ହରି ବୋଲ ହୁଳହୁଳି । ଘୋଷା ।

ଫୁଲ ଚନ୍ଦନ କର୍ପୂର, ଖୀର ମଧୁ ଗୋଳି ।

ସପ୍ତାମୃତ ଝରି ଘେନି ଦିଅ ପୟର ପଖାଳି ।୧।

ଯେ ଯହିଁରେ ଅଛ ସର୍ବେ ଗୋପାଳୁଣୀ ବାଳୀ ।

ପ୍ରଭୁଙ୍କ ଆଗ୍ୟାଁ ପଡ଼ିଲା ବନ୍ଦାଅ ହେ ଅର୍ଘ୍ୟସ୍ଥାଳୀ ।୨।

ଅନନ୍ତ ଖଞ୍ଜଣୀ ବାଦ୍ୟେ ବ୍ରହ୍ମାଣ୍ଡ ଉଛୁଳି ।

ଗହ ଗହ ନିରନ୍ତରେ ମହା ନିତ୍ୟର ମଣ୍ଡଳି ।୩।

ଦାସୀ ଦାସ ଘେନି ପ୍ରଭୁ କରୁଛନ୍ତି କେଳି ।

ପ୍ରଭୁଙ୍କ ଶ୍ରୀମୁଖଚାହିଁ ନାଚ ସର୍ବେ ଢଳି ଢଳି ।୪।

ଅଲେଖ ନାମକୁ କଣ୍ଠେ କର ରତ୍ନମାଳି ।

ଭଜିଥିଲେ ଅନ୍ତକାଳେ ପଥକୁ ହେବେ ସଙ୍ଖାଳି ।୫।

ଚାରିଯୁଗ ଭକ୍ତମାନେ ହୋଇଛନ୍ତି ମେଳି ।

ଭଣେ ଭୀମ ଅରକ୍ଷିତ ଅନୁସରି ପାଦଧୂଳି ।୬।

 

(୧୦୫)

(୧) କଳିଯୁଗେ ଅପୂର୍ବ ରୀତି ।

ମହିମାସାଗର ବିଜୟ କ୍ଷିତି । ଘୋଷା ।

ସୁର ନର କେହି ନ ଜାଣି ପାରନ୍ତି ।

ଶୂନ୍ୟ ପ୍ରଭୁଙ୍କର ଯେଉଁ ବିଭୂତି ।

ଗ୍ୟାନ ଧର୍ମ ଘେନି ବିଷୟ ମେଦିନୀ ।

ହୋଇଛନ୍ତି ବଇଷ୍ଣବ ମୂରତି ।୧।

ଆକାଶରେ ଅଗ୍ନି ସଂଜାଳ ହେଉଛି ।

ବାରଣ ନୋହୁଛି ଦିବସ ରାତି ।

ଅବନା ମନ୍ଦିରେ କଳ୍ପକଳ୍ପାନ୍ତରେ ।

ଅନହତ ଧୂନି ରହିଛି ଚେତି ।୨।

ମହାମହିମା ସେ ରବି ତଳେ ଆସି ।

ଧରିଛନ୍ତି ନବ ମଣ୍ଡଳ ପୃଥ୍ୱୀ ।

ତିମିରିକି ଛେଦି ତିନିପୁର ଭେଦି ।

ବ୍ରହ୍ମାଣ୍ଡ ଭିତରେ ଜଳୁଛି ବତି ।୩।

ଲୀଳା ଉଠିଲାଣି ଭାଗ୍ୟ ଦିଶିଲାଣି ।

ବୀରବଧୁ ବାନା ଉଡ଼ୁଛି କ୍ଷିତି ।

ମନେ ପାଇ ପ୍ରତେ ଦାସ ଦାସୀ ଯେତେ ।

ଆସି ଯାଇ ସେବା କଲେଣି ନିତି ।୪।

ସଂସାର ନିନ୍ଦାକୁ ଡର ଡର ହେଲେ ।

ସାରସ୍ୱତ ନୋହେ ସେବା ଭଗତି ।

ଲଜ୍ଜା ସଂକୋଚକୁ ନିବାରି ଦୂରକୁ ।

ଆଗକୁ ପଛକୁ ନ କର ଭୀତି ।୫।

ମନେ ମନେ ହେଜି ଅନ୍ତର୍ଗତେ ବୁଝି ।

ଅବ୍ୟୟ ବ୍ରହ୍ମକୁ ହୃଦରେ ଚିନ୍ତି ।

ଆଗ୍ୟାଁ ହେଲେ ସିନା ଶ୍ରୀଛାମୁକୁ ଯିବି ।

ଭଣେ ଭୀମ ଭୋଇ ପାମର ମତି ।୬।

 

(୧୦୬)

ପାପଭାରା ହେଲାଣି ଛେଦି ।

କରୁଛନ୍ତି ଖେଳ ଗୁରୁ ଅନାଦି । ଘୋଷା ।

ମହିମା ଶବଦ ତିନିପୁର ମଧ୍ୟେ ।

ପିଣ୍ଡ ବ୍ରହ୍ମାଣ୍ଡରେ ଗଲାଣି ଭେଦି ।

ଜଗତ ଭଗତ ତପସ୍ୟା ନିମନ୍ତେ ।

ଅଶେଷ ବ୍ରହ୍ମାଣ୍ଡ କରିବେ ସିଦ୍ଧି ।୧।

ଆପେ ବିଜେ ହରି ଭଗତବୃନ୍ଦକୁ ।

ତାରିବାକୁ ରଖିଛନ୍ତି ସମ୍ପାଦି ।

ଏକୌଶ ପୁରକୁ ଏକୌଶ ହାତିଆ ।

ତୋଳାଇ ଅଛନ୍ତି ଆସନ ଗାଦି ।୨।

ସ୍ୱର୍ଗଭୁବନୁଁ ମର୍ତ୍ତ୍ୟକୁ ଆସିଲେଣି ।

ସୁରଗଣେ ଯେଣୁ ହୋଇଲେ ବାଦୀ ।

ଦେବାଦେବୀ ଯେତେ ବିଘ୍ନକଲେ ନିତ୍ୟେ ।

ଜାରି କଲେଣି ସେ ସତ୍ୟକୁ ସାଧି ।୩।

ନବଖଣ୍ଡ ମହୀ ଉବାର ନୁହଇ ।

ସମୁଦ୍ର ପରାୟେ ଯାହାର ବୁଦ୍ଧି ।

ଚାରି ଧର୍ମ ଚଉପାଶେ ରହିଲେଣି ।

ଖଟିଲେଣି ନବ ରତନ ନିଧି ।୪।

ପାପ ପୁଣ୍ୟ ଧର୍ମ ଅଧର୍ମ ସହିତେ ।

ହୋଇ ଯାଉଥିଲା ଏକାନ୍ତେ ମେଦି ।

କଳିକାଳ ତିନିଦିନ ଭୋଗ ଅଛି ।

ଏଥର ତାକୁ ପକାଇବେ ଛେଦି ।୫।

କର୍ପୂର ଗନ୍ଧ ଅଏଁଳା ଲାଗି ହେବେ ।

ଚନ୍ଦନ ଅତର ବହିବ ନଦୀ ।

ଭଣେ ଭୀମ ଭୋଇ ଗୁରୁପାଦ ଧ୍ୟାଇ ।

ହୃଦେ କର ମନ ଧ୍ୟାନ ସମାଧି ।୬।

 

(୧୦୭)

ନର ଦେହେ ପାଇଛ ଜନ୍ମ ।

ଏତେବେଳେ ଡାକ ମହିମା ନାମ । ଘୋଷା ।

କାଳ ଚକ୍ର ବ୍ରହ୍ମାଣ୍ଡରେ ଫେରିଲାଣି ।

ଅଦୃଷ୍ଟ କରମ ହେଉଛି ବାମ ।

ଏକ ପ୍ରଭୁ ବିନୁ ଏ ମାନବ ତନୁ ।

ରଖିବାକୁ କେହି ନୁହନ୍ତି କ୍ଷମ ।୧।

ମିଛ କଥାକୁ ପସରା କରିଅଛ ।

ସରିଲାଣି ଦେଖୁ ସକଳ କାମ ।

ଦିନ ନ ସରି ଅପମୃତ୍ୟୁ ହେଉଛି ।

ବିଅର୍ଥରେ ବାନ୍ଧି ନେଉଛି ଯମ ।୨।

ଅଗ୍ନି ଅଙ୍ଗୀକାର ପୁରୁଷ ଅଟନ୍ତି ।

ତାଙ୍କ ତୁଲେ କେହି ନୁହନ୍ତି ସମ ।

ଚାରି ତୀର୍ଥ ଆସି ଶର୍ଣାଗତ ପଶି ।

ଶ୍ରୀଚରଣ ତଳେ ସେ ଚଉଧାମ ।୩।

ଯେ ଆଶ୍ରିତ ହେବ ଗୁରୁଧର୍ମ ନେବ ।

ଆକାଶକୁ ଚାହିଁ କର ନିୟମ ।

ନ ଧଇଲେ ରଟି ଗଣ୍ଠି ଯିବ ଫିଟି ।

ପଶ୍ଚାନ୍ତେ ପାଇବ ପଥ ଶରମ ।୪।

ସପ୍ତ ବ୍ରହ୍ମାଣ୍ଡକୁ ସାତଥର ହୋଇ ।

ଫେରି ଆସିଲାଣି ଅଲେଖ ଧର୍ମ ।

ଜାଣି ଶୁଣି କରି ଚିତ୍ତରେ ନ ଧରି ।

ମାୟାରେ କିପାଁଇ ହେଉଛ ଭ୍ରମ ।୫।

ଅକ୍ଷରେ ନ ବସେ ରୂପରେ ନ ଦିଶେ ।

ସେ ପ୍ରଭୁଙ୍କୁ ନାହିଁ ପାଇଲେ ଗମ୍ୟ ।

ଆତ୍ମାଗ୍ୟାନୀ ହେଲେ ତେବେ ଯାଇ ମିଳେ ।

ଭଣେ ଭୀମଭୋଇ ପାମର ହୀନ ।୬।

 

(୧୦୮)

ଧର ଧର ହେ ଜୀବ ଗଲାଟି ସରି ।

ଏ ଭବସାଗରୁ କରିବେ ପାରି । ଘୋଷା ।

କି ମାନ ହେଉଛି ଜମ୍ବୁଦ୍ୱୀପା ମହୀ ।

ହେତୁ ଚେତା ଗୋଟା ନାହିଁ କାହାରି ।

ଚାରିବେଦେ ଯେଉଁ ଧର୍ମ ଦେଇଥିଲେ ।

କିପାଇଁ ମନରୁ ଦେଲ ପାସୋରୀ ।୧।

କର୍ମ୍ମ ବୁଡ଼ାଇଲ ଧର୍ମ୍ମ ବୁଡ଼ାଇଲ ।

ପ୍ରଚାର ହେଉଛି କାହାକୁ ଧରି ।

ବଡ଼ ପ୍ରଭୁ ବୋଲି ଟେକିଥିଲ ଯାକୁ ।

ପ୍ରତକ୍ଷରେ ସେହୁ ଦେଲେଟି ନାରୀ ।୨।

ଧନମଦ ପଣମଦ ସ୍ତିରୀମଦା

ମାୟାମଦ ଖାଇ ହେଉଛ ଘାରି ।

କାମ କ୍ରୋଧ ଘେନି ଧର୍ମ୍ମକୁ ନ ମାନି ।

ପ୍ରାଣରୁ ଅଧିକ ଅଛ ଆବୋରି ।୩।

ଏ କଳି ପୁରୁଷ ଘଟେ ଘଟେ ବାସ ।

ଅଚେତା କରି ପକାଉଛି ମାରି ।

ଅପ୍ରତେ ନ କର ହୃଦରେ ବସିଛି ।

ଗଲାବେଳେ ଯିବ ନିଶ୍ଚେ ସଂହାରି ।୪।

ଯୁଗ ଶେଷ ହେଲା କଳି ଭୋଗ ଗଲା ।

ମହିମା ଦୀକ୍ଷାରେ ବିଜୟେ ହରି ।

ଏବେ ଆଶ୍ରେ କଲେ ଦୋଷ କ୍ଷମା ଅଛି ।

ଅନେକ ଭାବେ କହୁଛି ତିଆରି ।୫।

ଏ ପିଣ୍ଡ ପ୍ରାଣକୁ ଆଶା ଯେବେ ଅଛି ।

ଏତେବେଳେ କର ହାରି ଗୁହାରି ।

ଭଣେ ଭୀମଭୋଇ ଗୁରୁପାଦ ଧ୍ୟାୟି ।

ଏ ବ୍ରହ୍ମାଣ୍ଡ ଫେରେ ହେବେ ନୂଆରି ।୬।

 

(୧୦୯)

ନାମ ଭଜ ନିରନ୍ତରେ ହୃଦୟରେ ଧର ଭୟ ନ କରି ମନରେ । ଘୋଷା

ରଞ୍ଚନା ହୋଇଛି କାୟା ମାଚାର ଭିତରେ, ସିନ୍ଧୁ ଅଗାଧ ସାଗରେ ।

ପୀରତି ଲଗାଅ ପ୍ରାଣ ଶ୍ରୀ ଗୁରୁଙ୍କଠାରେ ।୧।

ଦୁର୍ଲଭ ଜନମପିଣ୍ଡ ବିଷୟା ବୃଥାରେ, ସରି ଯାଉଛି ମିଥ୍ୟାରେ ।

ପୂର୍ବହେତୁ ଧର ମାତୃଗର୍ଭର ଗ୍ୟାନରେ ।୨।

ଆଶା ବିଶ୍ରାମ ସ୍ଥିତ ପର୍ବତ କନ୍ଦରେ, ଉଦେ ଦୋପଖା ସନ୍ଧିରେ ।

ସଦବୁଦ୍ଧି ହଜିଅଛି ଆକାଶ ଶୂନ୍ୟରେ ।୩।

ପ୍ରଚାରୁଛି ବାନା ଭେଦ ଭଗତ ମଧ୍ୟରେ, ଡାକ ଫେରୁଛି ତ୍ରିପୁରେ ।

ଭେଟ ପଡ଼ିଅଛି ବ୍ରହ୍ମ ସୁକୃତ କର୍ମରେ ।୪।

ଅନୁସରି ଅଛି ମୁହିଁ ଯେବଣ ଧ୍ୟାନରେ, ଥୟ କରି ମୋ ମନରେ ।

ଯାହା ସୁଦୟା ହୋଇବ ଶ୍ରୀଗୁରୁ ଆଗ୍ୟାଁରେ ।୫।

ଯାହା ମୋ କଳ୍ପଣା ଅଛି ହୃଦୟ ଭିତରେ, ଗୁରୁ ଜାଣିବେ ଅନ୍ତରେ

ଭଣେ ଭୀମ ଅରକ୍ଷିତ ଶ୍ରୀଗୁରୁ କୃପାରେ ।୬।

 

(୧୧୦)

କଳିଯୁଗେ ହେଲେ ସାରା,

ନିଶ୍ଚେ ବସାଇବି ହାଟ ବଣିକ ପସରା । ଘୋଷା ।

ଦିବସ ରଜନୀ ଭାଳି କରିଛି ଆଶରା,

ସତ୍ୟଯୁଗ ହେବ ପରା ।

ନୟନରୁ ବହୁଅଛି ଅଶ୍ରୁଜଳ ଧାରା ।୧।

ବହି ଯାଉଅଛି ଯୁଗ ନିଶି ଦିବାକରା,

ଏହିରୂପେ ଚନ୍ଦ୍ର ତାରା,

କେତେଦିନେ ଉଶ୍ୱାସ କରୁଛ ମହୀ ଭାରା ।୨।

ଠାବେ ଠାବେ ରଖିଅଛ ବିଚିତ୍ର ନୋହରା,

କିଣି ରତ୍ନ ମଣି ହୀରା,

ନାମ ଶବଦ ଟମକ ଦିଆଇ ନାଗରା ।୩।

ବ୍ରହ୍ମଜାତି ପଦ୍ମରାଗ ମୋତି ମାଣିକରା,

ଶାସ୍ତ୍ର ସମ୍ପାଦ ଅସରା,

ଝାଳି ଯୋଡ଼ି କରିଥିବି ହୃଦୟରେ ହାରା ।୪।

ପିତା ମୋ ଆଦିକନ୍ଦ ସତ୍ୟରେ ପ୍ରଚରା,

ଧର୍ମ ନ ଲଙ୍ଘିବି ପରା,

ମନ ନିଷ୍ଠା ବୋଲି କାଟି ଦେଇଛନ୍ତି ଗିରା ।୫।

ସିଦ୍ଧ ବାକ୍ୟ ବ୍ରହ୍ମବାଣୀ ହେଉଅଛି ମାରା,

ଭକ୍ତେ ଅଶାନ୍ତି ଅଧୀରା,

କହେ ଭୀମଭୋଇ ଆଗ୍ୟାଁ ପଡ଼ୁଛି ଦୋସରା ।୬।

 

(୧୧୧)

କ୍ଷଣେ ନ ଛାଡ଼ିବି ପାଦ,

ଅଣବୁଝାମଣା ହେଲେ କରିବି ପ୍ରମାଦ । ଘୋଷା ।

ଦେବ କୂଟ ବିଷ୍ଣୁକୂଟ ଲାଗିଛି ବିବାଦ,

ମନ ଭୟରେ ତବଦ,

ମାୟା କାଳକୂଟ ଡାକ ପଡ଼ୁଛି ।୧।

ନିଦୋଷେ ଦୋଷ ଲଗାଇ କଲେଣି ବିଚ୍ଛେଦ,

ଦଣ୍ଡ ଶାସ୍ତି ଦେଇ ଖେଦ,

ୠକ ସାମ ଯଜୁ ସାକ୍ଷ ଥାନ୍ତୁ ଚାରିବେଦ ।୨।

ରଖ ବା ନ ରଖ ମହୀ ଭକ୍ତ କୁଳ ସିଦ୍ଧ,

ଦୁଷ୍ଟେ କରୁଛନ୍ତି ବାଦ,

ନ ସଂହାରି ଦେଉଅଛ ଇନ୍ଦ୍ର ଚନ୍ଦ୍ର ପଦ ।୩।

ପାଳନ କରୁଛ ମ୍ଲେଚ୍ଛ ଘୁସୁରି ଯେ ଗଧ,

ସୁଖ ଭୋଗରେ ଆନନ୍ଦ,

ଗରବିତା ପଣେ ଉପହାସେ ଗଦ ଗଦ ।୪।

ଲୁଚିଅଛ ସ୍ୱାମୀ ଲତା ବନ ଗିରିକନ୍ଦ,

ଦେଇ ଏକାକ୍ଷର ପଦ,

ଦତ୍ୟ ସଙ୍ଗତେ ଭକ୍ତଙ୍କୁ କରାଉଛ ଯୁଦ୍ଧ ।୫।

ସ୍ୱର୍ଗ ମର୍ତ୍ତ୍ୟ ପାତାଳ ତ୍ରିପୁର କର ସାଧ୍ୟ,

ନାମ ମହିମା ଅଗାଧ,

କହେ ଭୀମଭୋଇ କର ଏକଠାରେ ମେଦ ।୬।

୧୧୧-୫- କଳିଯୁଗ କରୁଅଛି ବହୁତ ପ୍ରମାଦ

 

(୧୧୨)

ସତ୍ୟ ଧର୍ମକୁ ଚାହିଁ,

ନାମ ଶବଦ ଆକାରେ କମ୍ପୁଅଛି ମହୀ । ଘୋଷା ।

ଅଣରୂପ ହୋଇଥିଲେ ମହାଶୂନ୍ୟେ ରହି,

ଅବତାର କଲେ ଦେହୀ,

ଭକ୍ତବୃନ୍ଦ ରବିତଳେ ଛନ୍ତି ଜନ୍ମ ହୋଇ ଯେ ।୧।

ପଳାଇଲେ ଚାରି ଧର୍ମେ ବାରତା ନ କହି,

ପ୍ରଭୁ ଆଣିଲେ ଫେରାଇ,

ଗୁପତରେ ଚାରିଦିଗେ ବସାଇଲେ ନେଇ ଯେ ।୨।

ବ୍ରହ୍ମାଣ୍ଡେ ସ୍ଥାପିଲେ ଧୂନି ଘୃତ ଯେ ପକାଇ,

ଶାନ୍ତିଶୀଳ ଦୟା ବହି,

ଭକ୍ତଜନ ଭଗବାନ ସାଧୁ ସନ୍ଥ ଦୁଇ ଯେ ।୩।

ଜଗତର ପାପ ଭାରା ଛେଦିବାର ପାଇଁ,

ବୀର ବଧୂବାନା କହି,

ଏତେଦୂର ଦଶା କଳିଯୁଗ ଥିଲା କାହିଁ ଯେ ।୪।

ତିଆର ହେଉଅଛନ୍ତି ଯୁଝିବେ ନିଠାଇ,

ଧନୁ ହୁଳେ ଗୁଣ ଦେଇ,

ବ୍ରହ୍ମବାଣେ ଛିଡ଼ିଯିବେ ଖଣ୍ଡ ଖଣ୍ଡ ହୋଇ ଯେ ।୫।

ଗୁରୁ ଶିଷ୍ୟଙ୍କର ବେନି ଚରଣକୁ ଧ୍ୟାୟି,

ଶରଣ ମାଗୁଛି ତ୍ରାହି,

ଭଣେ ଭୀମ ଅରକ୍ଷିତ ସ୍ୱାମୀପଦ ଧ୍ୟାୟି ଯେ ।୬।

 

(୧୧୩)

ଅନାଦି ମଣ୍ଡଳରୁ ସର୍ବେ ସଞ୍ଚରି,

ରୂପ ଅରୂପ ନାମ ବ୍ରହ୍ମକୁ ଧରି । ଘୋଷା ।

ମହାଶୂନ୍ୟ ପୂର୍ଣ୍ଣ ବ୍ରହ୍ମ କର୍ତ୍ତା ପୁରୁଷ,

ରୂପରେଖ ବର୍ଣ୍ଣ ଚିହ୍ନ ନ ଥିଲା ଦୃଶ,

ଅବନା ଅଣାକ୍ଷରୁ, ଦୁର୍ଗମ ହେଲା ଜାତ,

ଦୁର୍ଗମରୁ ଜନ୍ମିଲା, ଅନାମ ଅବ୍ୟକତ,

ଅନାମରୁ ଜନ୍ମିଲା, ନିଗମ ଭେଦ ତତ୍ତ୍ୱ,

ନିଗମରୁ ଜନ୍ମିଲା, ସ୍ୱାହା ଶବଦ ଘାତ,

ଶବଦରୁ ଜନ୍ମିଲା, ଓଁକାର ସାରସ୍ୱତ,

ଓଁକାର ରା ରା କାର, ଜନ୍ମିଲା ଆଦିଶକ୍ତ,

ରା ରା କାରରୁ ରାମ- ନାମ ପଦ ଉଦିତ,

ଉଜାଣି ଠୁଳ ଶୂନ୍ୟ ପରେ ବିହରି ।୧।

ଊର୍ମ ଧୂର୍ମ ଜ୍ୟୋତି ଜ୍ୱଳା କେହି ନ ଥିଲେ,

ଅରୂପାନନ୍ଦଙ୍କ ସ୍ୱାମୀ ଆଗ୍ୟାଁରେ ହେଲେ,

ଠୂଳ ଶୂନ୍ୟରୁ ଜନ୍ମହେଲା ଦିଗ ଆକାଶ,

ଆକାଶରୁ ଜନ୍ମିଲା ପବନ ଅଣଚାଶ,

ଅଣଚାଶରୁ ଜନ୍ମ ହେଲା ଅଗ୍ନି ହୁତାଶ,

ହୁତାଶନରୁ ଜଳ ବୁନ୍ଦେ ହେଲା ପ୍ରକାଶ,

ଜଳରୁ ଜ୍ୟୋତି ରୂପ ବର୍ଣ୍ଣ ହୋଇଲା ଦୃଶ,

ଜ୍ୟୋତି ରୂପରୁ ଜନ୍ମହେଲେ ଭୂତ ଭବିଷ,

ଭବିଷରୁ କାମନା କଳ୍ପଣା ହେଲା ଜାତ,

ତହିଁ ଉତ୍ତାରୁ ଧରତି ବସୁନ୍ଧରୀ ।୨।

ଅହି ପରେ ପୃଥ୍ୱୀରୁ ହାଇଲେକ ମାଡ଼ି,

ସେଠାରୁ ରଞ୍ଚିଲା ଜ୍ୟୋତି ଯୁଗଳ ଯୋଡ଼ି,

ସୁମନ ଶାନ୍ତିମନ, କ୍ଷମାଦି ବିଚାରଣ,

ଶୀଳ ଦୟାକୁ ଘେନି, ହୋଇଲେ ପାଞ୍ଚଜଣ,

ପାଞ୍ଚମନରୁ ଜାତ ହେଲେ ପ୍ରକୃତିଗଣ,

ପଚିଶ ପ୍ରକୃତିରୁ, ବିକୃତି ଉଦ୍ୟାପନ,

ବିକୃତିରୁ ଜନ୍ମିଲା ହାସ୍ୟ ପ୍ରେମ ପ୍ରଧାନ,

ପ୍ରଧାନରୁ ଜନ୍ମିଲା ରେତ ରସାଦି ମାନ,

ରେତ ରସରୁ ଜନ୍ମ ହୋଇଲା ରଜୋଗୁଣ,

ସ୍ଥଳେ ରସସାଗରେ ରହିଲା ପୂରି ।୩।

ପରମ ମଜ୍ଜାରୁ ଶୂନ୍ୟ ଶିଖୁଁ ଖସିଲା,

ଗର୍ଭଗତେ ଛଡ଼ଦଳେ ବିଶ୍ରାମ କଲା,

ପୀତ ଶ୍ରୋଣିତ ଶ୍ୱେତ, ଶୁକଳ ପ୍ରାୟେ ଦିଶି,

କଳା କୁଙ୍କୁମ ରଙ୍ଗ ଧବଳ ଆଠ ମିଶି,

ଗୌର ନୀଳ ଲୋହିତ, ଶାମଳ ପରକାଶି,

ଜୀବ ଯୁବତୀ କର୍ମ, କାମନା ଫଳେ ରସି,

ପିଣ୍ଡ ଆବୋରି ଛନ୍ତି, କାଳ ବିକାଳ ଆସି,

ପରମ ସାକ୍ଷୀ ରୂପେ, ଜାଗ୍ରତେ ଦିବାନିଶି,

ସେ ଯେବେ ଛାଡ଼ିଯିବେ ଏ ପିଣ୍ଡ ଯିବ ଭାସି,

ବାର କଳାରେ ପିଣ୍ଡ ରଞ୍ଚନା କରି ।୪।

ପିଣ୍ଡ ବ୍ରହ୍ମାଣ୍ଡକୁ ସପ୍ତ ସିଦ୍ଧିରେ କଲା,

ଶାଖାରୂପେ ଚାରିବେଦ ଜାତ ହୋଇଲା,

ବାମ ଡାହାଣ ଜାନୁ, ୠକ ସାମ ସେ ସ୍ଥାନୁ,

ଦ୍ୱିତୀୟ ଭୁଜ ମୂଳୁ, ଯଜୁ ଅଥର୍ବ ତେଣୁ,

ଧନୁର୍ବେଦ ଯା କହି, ଅଟଇ ଏହି ତନୁ,

ମୁଖେ ତୋ ଶିଶୁବେଦ, ଶୂନ୍ୟ ରହିଲା ଗ୍ୟାନୁ,

ନିରଞ୍ଜନ ଲଲାଟ, ଚକ୍ରେ ଉଦୟେ ଭାନୁ,

କୋଟିଏ ଯୁଗ ଗଲେ, ଗୋଟିଏ ହୁଏ ମନୁ,

ତଥିପରେ ଅଲେଖ, ପୁର ନିର୍ବାଣ ଶୂନ୍ୟୁ,

ସ୍ୱର୍ଗ ମର୍ତ୍ତ୍ୟ ପାତାଳ ତ୍ରିପୁରକୁ ଧରି ।୫।

ତିନିପୁର ମଧ୍ୟେ ବନଗିରି ସ୍ଥାପିଲା,

ତେଣୁକରି ପାଖୁଡ଼ାରେ ଲତା ଫୁଟିଲା,

ପିତା ବୀଜକୁ ଅସ୍ଥି, ପିଞ୍ଜରା ହାଡ଼ କଲା,

ମାତା ରଜ ରକତ, ମାୟେଁସ ଘୋଡ଼ାଇଲା,

ଶିରା ଶାଙ୍କୋଳି ଗଣ୍ଠି, ମୁଠି ବନ୍ଧନ କଲା,

ରୋମ ଚର୍ମକୁ ରୁଅ, ବତା ଛାଏଣି କଲା,

ଦଶମ ଦ୍ୱାରୁ ନବ ଦ୍ୱାରକୁ ଫିଟାଇଲା,

ଏହି ସଂସାରେ ସାର, ମାନବ ଜନ୍ମ ହେଲା,

ସ୍ଥିତି ଦେଇ ଉତ୍ପତ୍ତି, ପ୍ରଳୟ କରି ନେଲା,

ଭଣେ ଭୀମ ଅର୍କ୍ଷିତ ଗ୍ୟାନ ବିଚାରି ।୬।

୧୧୩-୪୩- ପିଣ୍ଡ ବ୍ରହ୍ମାଣ୍ଡକୁ ସତ ସିଦ୍ଧିଏ କଲା,

୧୧୩-୪୮- ଶିଖେ ରହିଲା ଗ୍ୟାନୁ,

 

(୧୧୪)

ଦୁର୍ଲ୍ଲଭ ଜନ୍ମ ପିଣ୍ଡେ ସକଳ ସିଦ୍ଧି,

ଏହି ଶରୀରେ ଗ୍ୟାନ ପାରିଲେ ସାଧି । ଘୋଷା ।

ଅନୁମାନ କରି ସର୍ବ କର୍ମ ଜାଣିଲା,

ଓଲଟ ଜଙ୍ଗମ ବୃକ୍ଷ ନାମ ବହିଲା,

ପାଦପଙ୍କଜେ ଛନ୍ତି, ସେ ଅଷ୍ଟକୁଳା ନାଗ,

ଶିରରେ ବହିଅଛି ସପ୍ତ ବ୍ରହ୍ମାଣ୍ଡ ସ୍ୱର୍ଗ,

ଅସାଧନା ସିଦ୍ଧିରେ ଘେନି ତପସ୍ୟା ଯୋଗ,

ଭିତରେ ପୂରିଅଛି ସପତ ସିନ୍ଧୁ ମାର୍ଗ,

ଚାଲନ୍ତେ ଦୁମୁ ଦୁମୁ ଶବ୍ଦ କରୁଛି ନାଦ,

ଶ୍ରୋତା ବକତା ଦୁହେଁ ଚାଳୁଅଛନ୍ତି ଅଙ୍ଗ,

ନେଇ ଆଣୁ ଅଛନ୍ତି ସେହି ସମ୍ପାଦି ।୧।

ଦୁଇ ପଖା ଏକଠାରେ କରାଇ ମେଳ,

ବେନି ଜାନୁ ସନ୍ଧି ପଦ୍ମ ଇନ୍ଦ୍ରି ମଣ୍ଡଳ,

ସେଠାରେ କାମ କାମୀ, ଫୁଟିଅଛନ୍ତି କଢ଼ି,

କାମ କଳ୍ପଣା ମଧ୍ୟେ, ରହି ଅଛନ୍ତି ଜଡ଼ି,

ପ୍ରକୃତି ପବନରେ, ଦେଇ ଅଝାଲ ଧାଡ଼ି,

ତପ୍ତ ଅନଳ ତେଜ, ଜଳୁଅଛି ଦିହୁଡ଼ି,

ରେତ ଜଳ କୁହୁଡ଼ି, ମାରୁଅଛି ଲହଡ଼ି,

କ୍ଷଣ କ୍ଷଣକେ ଧାପ, ନାଗ ସରପ ପରି,

ଯୋଖି ନାରାଜ ବିନ୍ଧୁଛି ମରମ ଭେଦି ।୨।

ନାଭି କମଳରେ ବ୍ରହ୍ମା ବେଦାନ୍ତ ପତି,

ହୃଦୟରେ ଜଗନ୍ନାଥ ବସି ଅଛନ୍ତି,

ସପତ ବ୍ରହ୍ମାଣ୍ଡକୁ, ବାଣ୍ଟି ଚଉଦ ପୁର,

ନବ ଦ୍ୱାର ସ୍ଥାପିଲେ, ଦୀର୍ଘ ପ୍ରତି ଓସାର,

ଦଶ ଦିଗରେ କଲେ, ଜଗତ ପ୍ରତିପାଳ,

ଛପନା କୋଟି ଜୀବ, ଦେବୀ ଦେବାନ୍ତ ସୁର,

ଚାରି ଯୁଗ ଭିତରେ, ଭିଆଇ ସାତ ବାର,

ପିଣ୍ଡ ପ୍ରାଣକୁ ଗଢ଼ି, ସଞ୍ଚିଲେ କ୍ଷୀର ନୀର,

ଚାରି ରସ ଭିତରେ କରାଇ ବନ୍ଦୀ ।୩।

କଣ୍ଠତଟେ ସଦାଶିବ ଅଛନ୍ତି ରହି;

ଅଷ୍ଟାଙ୍ଗ ଯୋଗ ସମାଧି ନାମକୁ ଧ୍ୟାଇ,

ରୁଦ୍ର ଅନଳ ଜ୍ୱାଳା, ଉଠୁଅଛି ହୁତାଶ,

ସେଠାରେ ଉପୁଜୁଛି, ଅନର୍ଥ କୋପ ରୋଷ,

ବକତା ରଡ଼ିଛାଡ଼ୁ, ଅଛି ଶବଦ ଘୋଷ,

କଣ୍ଠ ଶୁଖି ଯିବାରୁ, କରୁଅଛି ପିଆସ,

କ୍ଷଣେ ଯେ ସ୍ଥିର ନୋହେ, ବଚନ ପରକାଶ,

ପାଣି ପବନ କିଛି, ପଡ଼ିଲେ ହୋଏ ତୋଷ,

ତହିଁ ଉପରେ ଅଛି ତ୍ରିକୂଟ ସନ୍ଧି ।୪।

ଠୂଳ ଶୂନ୍ୟେ ନିରାକାର ରହି ଅଛନ୍ତି,

ତହିଁ ଏକୋଇଶ ପୁର ତଳକୁ ପୃଥ୍ୱୀ,

ବାମ ଡାହାଣ କାନ୍ଥ, ଶ୍ରୀରାମ ଜଗନ୍ନାଥ,

ପୂର୍ବରେ କୃଷ୍ଣଚନ୍ଦ୍ର, ପଛ ଭାଗେ ଅନନ୍ତ,

କୁଢ଼ କୁଢ଼ ପଡ଼ିଛି ଶାହାସ୍ତ୍ର ଗ୍ରନ୍ଥ ଗୀତ,

ରୋମ ମୂଳରେ ମାଳ ମାଳ ମେଦିନୀ ଜାତ,

ସେଠାରୁ ଉଦ୍ୟାପନ, ହେଉଛି କବି କୃତ୍ୟ,

ମୁଦା ପଡ଼ିଛି କୁଞ୍ଚି, ଫୁଟିଅଛି ଫୁଲତ,

ବହି ଆସୁଅଛି ସଧୀରେ ଏ ଚାରି ନଦୀ ।୫।

ତାଳୁକା ଦୁଆର ଶିଖେ ଅଲେଖ ପୁର,

ଅଖଣ୍ଡିତ ପୂର୍ଣ୍ଣବ୍ରହ୍ମ ବିଜେ ସେଠାର,

ସେ ଗୁରୁଦେବ ସ୍ୱାମୀ, ଅଣଶେଷ ମହିମା,

ମୁଁ କିସ ସାମରଥ, ବର୍ଣ୍ଣିବାକୁ ଉପମା,

ଏକୋଇଶ ପୁରେ ଯାର, ନ ଜାଣେ ଗୁଣ ସୀମା,

ଅବନା ଅଣାକାର, ଅନାମେ କର ଠଣା,

କହେ ଭୀମ ଅର୍କ୍ଷିତ, କି ରୂପକୁ ବର୍ଣ୍ଣିମା,

ସେ ଯେ ମହାଶୂନ୍ୟ ପୁରୁଷ ଅନାଦି ।୬।

୧୧୪-୧୦- ଶକତା ବକତାରେ ତେବେ ଉଠୁଛି ଅଙ୍ଗ,

୧୧୪-୩୫- କଣ୍ଠ ଶୁଖି ଯିବାକୁ,

 

(୧୧୫)

(୩) ଅମନ ମନ୍ଦିରକୁ କର ଗମନ,

ମାୟାରେ ପଡ଼ି ବାୟା ନୁହ ସୃଜନ । ଘୋଷା ।

ଅଲେଖ ମନ୍ଦିରକୁ ଫିଟିଛି ବାଟ,

ଜୀବ ପରମର ଅନ୍ତେ ଯହିଁରେ ଭେଟ,

ଭବସାଗରେ ଭାସି ଯିବାର ହେଉଅଛି,

ନାବ ଆଣି କୈବର୍ତ୍ତ, ତୀରରେ ଖଟାଇଛି,

ପାରି ହୁଅ ନାବରେ, ନିଜ ମହିମା ବାଛି,

ମୂଲ କଉଡ଼ି ତହିଁରେ, ନ ଲାଗୁଅଛି କିଛି,

ଦୁଆରୀ ଜଗିଅଛି, ଗଳି ନ ପାରେ ମାଛି,

ଶତେ କବାଟ ଲାଗି, ମୁଦା ପଡ଼ିଛି କଞ୍ଚି,

ହସ୍ତରେ ନ ଫିଟଇ, ଅନୁଭବେ ଫିଟୁଛି,

ଗ୍ୟାନୀ କି ଗ୍ୟାନନେତ୍ରେ, ଝଟ ଝଟ ଦିଶୁଛି,

ଛଡ଼ବେଦ ପରେ ବାନ୍ଧିଛନ୍ତି ଆସନ ।୧।

ଏକାକ୍ଷରକୁ ହୃଦେ ନିରତେ ଜପ,

ଫୁଙ୍କାବନ୍ଧ ପରେ ନୃତ୍ୟ ନୟନେ ଦେଖ,

ବାଂଶରୀ ନାଦ ସ୍ୱନ, ଷୋଳ ଗୋପୀ ଅଗ୍ୟାନ,

ବେନି ହସ୍ତେ ତାଳନ, ଅର୍ଘ୍ୟସ୍ଥାଳୀ ବନ୍ଦାଣ,

ଶିରେ ଖଞ୍ଜନ୍ତି ଗଭା, ବିବିଧ ପୁଷ୍ପମାନ,

ଘେନି ବୁଲନ୍ତି ସଙ୍ଗେ, ମନମଥ ରଞ୍ଜନ,

ଲୀଳାମୃତ ଗର୍ଜନ, ଶୁଭୁଛି ଘନ ଘନ,

ଅତ୍ୟନ୍ତ ଶୋଭାବନ, ଦିଶଇ ସେ ଭୁବନ,

ଏ ରୂପ ମୁନିଗଣେ, ଧ୍ୟାୟନ୍ତି ଅନୁକ୍ଷଣ,

ଯାହାର ଥିବ ପୂର୍ବ ସୁକୃତ ମାନ ।୨।

ବଜାଇ ତାଳ ମୃଦଙ୍ଗ ବୀଣା ଛନ୍ଦରେ,

ଗହ ଗହ ନିତ୍ୟସ୍ଥଳ ରାସ ମନ୍ଦିରେ,

ଢୋଲ ଦମା ଟମକ, ଚାଙ୍ଗୁ ନିଶାଣ ଭେରୀ,

ଶଙ୍ଖ ଶିଙ୍ଘା ନଫେରି, ମହୁରୀ ବୀରତୁରୀ,

ଶିରେ ଶ୍ୱେତ ଛତିରି, ଆଲଟ ଚାମଞ୍ଜରୀ,

ନୃତ୍ୟରେ ଉନ୍ମାଦରୀ ଷୋଳସସ୍ର କୁମାରୀ,

ପାଦେ ନୃତ୍ୟ ଚାତୁରୀ, ମୁଖେ ନାମ ଗାୟରି,

କମ୍ପୁଛି ବସୁନ୍ଧରୀ, ଶବ୍ଦ ଘଣ୍ଟି ଘାଗୁଡ଼ି,

ସର୍ବେ ଆନନ୍ଦେ ପୂରି, ସ୍ୱାମୀ ନାମ ଉଚ୍ଚାରି,

ଦେଖ ଦ୍ୱାଦଶ ବନ୍ଧେ ତହିଁ କୀର୍ତ୍ତନ ।୩।

ଅନ୍ତର୍ଯ୍ୟାମୀ କରତା ସେ ଆପେ ନିର୍ମାଣ,

ଭଗତ ଜନଙ୍କ ଧନ ମନ ଜୀବନ,

ଯାହାର ରୋମମୂଳେ, ମାଳ ମାଳ ମେଦିନୀ,

ବର୍ଣ୍ଣି ନାହାନ୍ତି ଯାକୁ, ସାରଳା ସିଦ୍ଧ ମୁନି,

ବ୍ରହ୍ମାଣ୍ଡ କରତା ସେ, ଅବ୍ୟକ୍ତ ଶିରୋମଣି,

ଯା ଗର୍ଭେ ପୂରିଅଛି, ସପ୍ତଦ୍ୱୀପା ଧରଣୀ,

ଗଙ୍ଗା ଯମୁନା ନଦୀ, ବହୁଅଛି ତ୍ରିବେଣୀ,

ତତ୍ତ୍ୱ ନ ଜାଣି ପ୍ରାଣୀ, ମାୟା ମୋହେ ଭ୍ରମଣୀ,

ଗ୍ୟାନି ଜନେ ନ ଚିହ୍ନି, ମୂର୍ଖକୁ କାହିଁ ପୁଣି,

ପ୍ରତେ ହେଲେ ହେବେ ପଣ୍ଡିତ ସୁଗ୍ୟାନୀ ।୪।

ତହିଁର ମହିମା ମୁଖେ କହିବି କିସ,

ଯହିଁ ଚାରିବେଦ ହୋଇଅଛି ପାବଚ୍ଛ,

ଋକ ବେଦରୁ ବିନ୍ଦୁ, ମହୀ ସପତ ସିନ୍ଧୁ,

ସାମବେଦ ଚରିତ, ଶୂନ୍ୟେ ମରୁତ ଫାନ୍ଦୁ,

ଅଥର୍ବ ବେଦ ବିଦ୍ୟା, ଦଶ ଦିଗକୁ ଛନ୍ଦୁ,

ଯଜୁର୍ବେଦରୁ ସାମ ଯୁକ୍ତ, ହେଲାକ ଅର୍ଦ୍ଧୁ,

ଶିଶୁବେଦ ଆସ୍ଥାନ, ଅନାମ ଦୀନବନ୍ଧୁ,

ଭଗତ ଭାବେ ବଶ, କରୁଣା କୃପାସିନ୍ଧୁ,

ଅଭୟ ଶ୍ରୀପୟରୁ, ଝରୁଛି ସୁଧା ମଧୁ,

ଶ୍ୱେତ ଶୁକଳ ରୂପ ବର୍ଣ୍ଣ ଉଦ୍ଦାନ ।୫।

କୁଗ୍ୟାନୀକି ବିଷ ଭକ୍ତଜନଙ୍କୁ ରସ,

ସୁଗ୍ୟାନୀକି ଅନୁଭବ ଚିତ୍ତେ ଆଦୃଶ୍ୟ,

ଭଣେ ଭୀମ ଅର୍କ୍ଷିତ, ସେ ଧନେ ସାରସ୍ୱତ,

ଗୁରୁ ମୋ ଅବଧୂତ, ଜାଣନ୍ତି ତଦଗତ,

କାରଣ ଗତି ମୁକ୍ତି, ସେ ପ୍ରଭୁଙ୍କ ମର୍ଜୀତ,

ଅରୂପ ଅନ୍ତର୍ଯ୍ୟାମୀ, ଭଗତ ଭାବେ ରତ,

ଅତି ନିଗମ ପଥ, ଗମିବାକୁ ସାମର୍ଥ,

ଦିଶିବ ଯେବେ ମୋର, ପୂର୍ବ ଜନ୍ମ ସୁକୃତ,

ତପସ୍ୟା କରିଥିଲେ, ସେବି ଭୃତ୍ୟର ଭୃତ୍ୟ,

ଅନୁସରି ବହନ, ସାଧୁଜନ ପଶ୍ଚାନ୍ତ,

ଭାଗ୍ୟଥିଲେ ଯିବି ଅଲେଖ ଭୁବନ ।୬।

୧୧୫-୩୪- ନିର୍ବାଣ- ପାଠାନ୍ତର

୧୧୫-୫୭- ସେ ଧନେଶ୍ୱର ସୁତ

 

(୧୧୬)

(୪) ସୁଦୟା କର ଶୂନ୍ୟ ସ୍ୱରୂପ ବାସୀ,

ଉଦ୍ଧରି ଧର ଜୀବ ଗଲାଟି ଭାସି । ଘୋଷା ।

ମାତା ପିତା ଦୁହିଙ୍କର ଯୁଗଳ ବେଳେ,

ମୁଦିତ ହୋଇଲା ବ୍ରହ୍ମ ପଦ୍ମର ଫୁଲେ,

ରଜ ବୀଜ ସଂଯୁକ୍ତ, କରିଣ ଏକତୁଲେ,

ଆପେ ପିଣ୍ଡକୁ ସ୍ୱାମୀ, ଗଢ଼ିଲ ତେତେବେଳେ,

ମୀନ ପରାୟେ ବୁଲୁ-ଥିଲି ଗର୍ଭ ଭିତରେ,

ଅନ୍ଧକାର ସେ ଭୂମି ନ ଦିଶୁଥିଲା ଡୋଳେ,

ଉର୍ଦ୍ଧ୍ୱମୁଖେ ମୁଁ ଧ୍ୟାନ, କରୁଥିଲି ନିରୋଳେ,

ଏବେ ସେ କଥାମାନ, ପାସୋର ଗଲା ଢାଳେ,

ବନ୍ଧା ହେବାରୁ ମାୟା ସଂସାର ମୋହ ଜାଲେ,

ଜନ୍ମ ହେବାରୁ ମର୍ତ୍ତ୍ୟ ମଣ୍ଡଳେ ଆସି ।୧।

ଯେତେବେଳେ ଗର୍ଭଗତୁଁ ପଡ଼ିଲି ମୁହିଁ,

ତିରଣ ପରାୟେ ଦିଶୁ ଥିଲା ଏ ମହୀ,

ଅଷ୍ଟକୋଟି ବେଦନା, ଛନ୍ତି ଚୌଷଠୀ ରୋଗ,

ଯେ ଯାହା ସମୟରେ, କରୁଅଛନ୍ତି ଭୋଗ,

ଦୁର୍ବଳ କାଳେ ଆତ୍ମା, ଉପରେ ହୋନ୍ତି ସିଙ୍ଘ,

କାମ କଳ୍ପଣା ଆଣ୍ଟେ, ମନକୁ କରି ବାଗ,

ଚର୍ମ ନୟନେ ପଶି, କରାଉଅଛି ଭୋଗ,

ସର୍ବ ଗୁଣରେ ଜିଣା, ସ୍ତିରିଙ୍କ ରୂପ ରଙ୍ଗ,

କଣ୍ଠେ ଲଗାଇ ଘିଞ୍ଚୁଛି ଏ କାଳ ଫାଶି ।୨।

ଯେବଣ ପ୍ରାଣୀ ସଂସାରେ ଦେହକୁ ବହେ,

ଲୋଭ ମୋହ କାମ କ୍ରୋଧ ସମ୍ଭାଳି ନୋହେ,

ଜନ୍ମ ହେବାରୁ ମର୍ତ୍ତ୍ୟେ, ମାନବ ଦେହ ବହି,

ମନେ ପଡ଼ିଲେ କଥା, ଲାଗୁଛି ତ୍ରାହି ତ୍ରାହି,

ଅଗାଧ ଭବ-ସିନ୍ଧୁ, ତରି ଯିବ କି ହୋଇ,

ତରିବାକୁ ଉପାୟେ, ଭରସା ଦିଶୁ ନାହିଁ,

ଛପନା କୋଟି ଜୀବ, ଅଛନ୍ତି ବନ୍ଦୀ ହୋଇ,

ଯେ ବ୍ରହ୍ମା ବିଷ୍ଣୁ ଶିବ, ଅଟନ୍ତି ତିନି ଭାଇ,

ମାୟାରେ ପଡ଼ି ସୃଷ୍ଟି, କଲେ ରଞ୍ଚନା ସେହି,

ଛଡ଼ ବ୍ରହ୍ମ ବାସିଙ୍କି, ପ୍ରକୃତି ଛାଡ଼ି ନାହିଁ,

ଲେଶେ ହେଲେ ମାୟାରେ, ପଡ଼ି ଅଛନ୍ତି ସେହି,

ମୋତେ କେବଣ ବାଟ ଦେଉଅଛସି ।୩।

ଶୂନ୍ୟ ଶୂନ୍ୟ ଅଣାକର ପରମ ଜ୍ୟୋତି,

ମାୟା ରଚନାରେ ସ୍ୱାମୀ ସର୍ଜିଲ ପୃଥ୍ୱୀ,

ନିଶବ୍ଦରୁ ଶବଦ, କ୍ଷରୁଛି ବିନ୍ଦୁ ନାଦ,

ଓଁ କାରରୁ କ୍ଷରିତ, ହୋଇଲା ଚାରି ବେଦ,

ଚାରି ବେଦରୁ ଶ୍ଲୋକ, ହେଲା ଶାସ୍ତ୍ର ସମ୍ପାଦ,

ଶାହାସ୍ତ୍ରରୁ ଜନ୍ମିଲା, ଅଥର୍ବ ପଦ ଭେଦ,

ଭେଦକୁ ତୋଳି ନେଇ, ଅନାମେ କଲା ମୁଦ,

ଅନାମୁ ଉପୁଜିଲା, ସୁପକ୍ୱ ଫଳ ସ୍ୱାଦ,

ସ୍ୱାଦରୁ ଶ୍ରୁତି ଯୋଗ, ଉଦୟେ ପୂର୍ଣ୍ଣ ବେଦ,

ଯୁଗକୁ ଭିଆଇଲା, ଭୋଗକୁ କଲା ଛେଦ,

ଶୂନ୍ୟ ମଣ୍ଡଳରେ ବିଜୟେ ପୂର୍ଣ୍ଣ ଶଶୀ ।୪।

ଶୂନ୍ୟ ମଣ୍ଡଳରୁ ବାନା ଆସିଛି ଚାଲି,

ଭକ୍ତଗଣ ରଖିବେ ଶରଣ ସମ୍ଭାଳି,

ମୋତେ କି ଯୋଗ ଅଛି, ଆଗ୍ୟାଁ କିପାଁ ନୋହୁଛି,

କି ଯଶ ଅପଯଶ, କର୍ମେ ମୋ ଲେଖା ଅଛି,

କର୍ମ୍ମ ଯୋଗର କଥା, ନ ଜାଣଇ ମୁଁ କିଛି,

କି ଅନକୂଳ ବେଳା, କି କଳା ଲାଗିଅଛି,

ଗୁରୁ ମୋ ସାମରଥ, ବାଛି ଦେବେ ବୋଲୁଛି,

ଅନୁସରି ରହିଛି, ଯେହ୍ନେ ଚାତକ ପକ୍ଷୀ,

କୃପା କରି ବୋଇଲେ ଏ ମନେ ପ୍ରତେ ଅଛି,

ଜନ୍ମ ଯୁଗାନ୍ତେ ଚରଣ ତଳେ ବାସୀ ।୫।

ଭକ୍ତ ହିତକାରୀ ସ୍ୱାମୀ ଗତି ମୁକତି,

ଚଉଦିଗେ ଫେରି ଅଛ ଯଶ କିରତି,

ଭଣଇ ଭୀମଭୋଇ, ଗୁରୁ ଚରଣ ଧ୍ୟାୟି,

ବ୍ରହ୍ମାଣ୍ଡ ପାପ ଭାରା ଛେଦ ହେ ଶୂନ୍ୟ ଦେହୀ,

ଆଦି ଅନାଦି ରୂପେ, କରୁଣା ଜଳ ଦେଇ,

କ୍ଷମା କର ଦୁସ୍ତରୁ, ମାୟାଜାଲ ଛିଣ୍ଡାଇ,

ପାଞ୍ଚମନ ପ୍ରକୃତି, ନାମ ବ୍ରହ୍ମେ ଜଡ଼ାଇ,

ରଖ ଭଗତକୁଳ, ତ୍ରିଗୁଣରୁ ଛଡ଼ାଇ,

ଅସ୍ଥି ମାଂସକୁ ବ୍ରହ୍ମ-ଅଗ୍ନି ମଧ୍ୟେ ପୋଡ଼ାଇ,

ଦେଖୁଁ ଦେଖୁଁ ଘୋଟିଲାଣି ଏ କାଳ ଫାଶି ।୬।

 

(୧୧୭)

(୧) ଗୁରୁ କଟାକ୍ଷ କଲେ ଯହୁଁ ହୃଦରେ,

ପାଇ ପରଚେ ଭଜିଲି ମୁଁ ନିରନ୍ତରେ । ଘୋଷା ।

ଫିଟାଇ କିଳଣି ଯନ୍ତ୍ର ଗ୍ୟାନ ମନ୍ତ୍ରରେ,

ପ୍ରତ୍ୟକ୍ଷେ ଦେଖିଲେ ରୂପ ମହା ନିତ୍ୟରେ,

ଖେଳୁଛି ଶିଶୁମେଳେ, ଦଧି ସମୁଦ୍ର କୂଳେ,

ବୀଣା ବଂଶୀ ବାଜୁଛି, କଦମ୍ବ ତରୁ ମୂଳେ,

ସୁରତି ଲୀଳା ରସ, ସତୀ ରାଧିକା ତୁଲେ,

ନିତ୍ୟ ଲୀଳା ହେଉଛି, ଆଦ୍ୟ ବୃନ୍ଦାବନରେ,

ଷୋଳ ସହସ୍ର ଗୋପୀ ପଡ଼ି ଅଛନ୍ତି ଭୋଳେ,

ଅକ୍ଷଏ ଅଣାକାର, ବିଜୟେ ସେ ଠାବରେ,

ପଞ୍ଚ ପ୍ରକାରେ ବାଦ୍ୟ ବୀଣା ଛନ୍ଦରେ ।୧।

ନବ ମୁନିଗଣେ କରି ମଣ୍ଡଳି ସଭା,

ତହିଁ ପରେ ବିଜେ ଶୂନ୍ୟ ପୁରୁଷ ଦେବା,

ସେଠାରେ ନବ ଋଷି, ସତ୍ୟ ସାର ପ୍ରକାଶି,

ଯାକୁ ଯେମନ୍ତ ଦିଶି, ଲିହି ପୁରାଣେ ଘୋଷି,

ବ୍ରହ୍ମଗ୍ୟାନରେ ମିଶି, ନାମେ ଅଛନ୍ତି ରସି,

ଅବ୍ୟକ୍ତ କର୍ମେ ପଶି ଯୋଗ ଧ୍ୟାନରେ ମିଶି

ଶାସ୍ତ୍ର ଶ୍ଲୋକାଦି ଗ୍ରନ୍ଥ ନବ ପ୍ରକାରେ ।୨।

ସଭା ମଣ୍ଡାଇଛି ସୂରପତି ନାଏକା

ଚନ୍ଦ୍ରାତପ ଚମତ୍କାର ଦିଶେ ଧାଡ଼ିକା,

ରମ୍ଭା ନାରୀ ସୁନ୍ଦରୀ, ମେନକା ଅପକ୍ଷରୀ,

ଅମର-ବିଳାସୁଣୀ, କିନ୍ନରୀ ବିଦ୍ୟାଧରୀ,

ସଭା ଆସ୍ଥାନ ମଧ୍ୟେ, ନୃତ୍ୟ ମଙ୍ଗଳକାରୀ,

ଦେବ ସଭା ବିହରି, ଶଚି ବଲ୍ଲଭ ନାରୀ,

ରତ୍ନକନକ ମଣ୍ଡପର ଉପରେ ।୩।

ବିଷ ଜ୍ୱାଳାରେ ଅଚେତ ସେ ଶୂଳଧର,

ପଡ଼ି ଅଛନ୍ତି ସ୍ୱସ୍ଥାନ ଭୂମି ମଧ୍ୟର,

ଅନାଦି ଆଦିସୁର, ଭୂତ ପ୍ରେତ ଈଶ୍ୱର,

ଅଷ୍ଟାଙ୍ଗ ଯୋଗଧାର, ଦେଲେ ସେ ନିରାକାର,

ସମ୍ପଦେ ଅଧିକାର, ପାର୍ବତୀ ପ୍ରାଣେଶ୍ୱର,

ଯେ ଯାହା ବାଞ୍ଛା ବରେ, ବାଛି ଦେଉଛି ବର,

ଯୋଗୀ ଯୋଗାନ୍ତୀ ହୋଇ ଯୋଗ ଧ୍ୟାନରେ ।୪।

ବ୍ରହ୍ମା ବେଦବର ଅଷ୍ଟ ନୟନ ତାର,

ଚାରିବେଦ ଚତୁର୍ମୁଖେ କରି ପ୍ରଚାର,

କରିଛି ଆତଯାତ, ଯା ଯେତେ କର୍ମବିତ୍ତ,

ପାପୀ ନର୍କେ ଲିପତ, ଧର୍ମାଦି ସ୍ୱର୍ଗ ପଥ,

ଯା ଯେତେ ଫଳ ଶ୍ରୁତି, ଲଲାଟରେ ଲିହିତ,

ଏ ତ୍ରିପୁର ଜଗତ, କଳ୍ପଣା କରି ନିତ୍ୟ,

ରଚନା କରି ଧ୍ୟାନ ଦିବା ନିଶିରେ ।୫।

କୁଞ୍ଜବନେ ନୃତ୍ୟ କରେ ନଟବରନା,

ଦେଖ ଛବି ଛଡ଼ବେଦ ପରେ ଭାବନା,

ଭଣିଲେ ଭୀମଭୋଇ, ପରମାର୍ଥରେ କହି,

କଦମ୍ବ ବୃକ୍ଷ ଯେହି, ଓଲଟେ ଅଛି ରହି,

ଗୁରୁ ଚରଣେ ଧ୍ୟାୟି, ବାରମ୍ବାର କହଇ,

ତେତିଶ କୋଟି ଦେବ, ଶ୍ରବଣ ଡେରି ରହି

ଶୁଣି ଲୀଳା ବିନୋଦ ଶୂନ୍ୟ ମନ୍ଦିରେ ।୬।

 

(୧୧୮)

(୨) ଦିନ ପାହିଲା ଯୁଗ ହେଲାଣି ଶେଷ,

ଖଣ୍ଡି ଅପରାଧ କ୍ଷମା କର ମୋ ଦୋଷ । ଘୋଷା ।

ଅଲେଖ ମହିମା ସ୍ୱାମୀ ବିଜେ ସଂସାରେ,

କ୍ଲେଶ ପାଉଛନ୍ତି ଭକ୍ତଙ୍କ ନିମନ୍ତରେ ।

ଧନ୍ୟ ଏ କଳିଯୁଗ କି ଭାଗ୍ୟ କରିଥିଲା,

ପ୍ରତ୍ୟକ୍ଷରେ ପ୍ରଭୁଙ୍କ ନିଜରୂପ ଦେଖିଲା ।

ନିର୍ବେଦ କର୍ମେ ପ୍ରଭୁ ଲଗାଇଛନ୍ତି ଲୀଳା,

ଆତ୍ମା ଭକତି ଭାବ କାହିଁ ଦେଖା ନ ଥିଲା ।

ରୂପ ଦେଖି ଜଗତେ ହେଉଅଛନ୍ତି ଭୋଳା,

ଅଗ୍ୟାନୀ ଜନମାନେ ବୁଜନ୍ତି ବେନି ଡୋଳା ।

ମୁକ୍ତି ପସରା ଢାଙ୍କୁଣି ହୋଇଅଛି ମେଲା,

ଚିହ୍ନି ଭଜିବ ଯେ ହେବ ଅବଧୂତ ବଳା ।

ବେଳହୁଁ ଲାଗିଅଛି ଅକ୍ଷୟ ବ୍ରହ୍ମକଳା,

ହେଳା କଲେ ସହଜେ ବୁଡ଼ିଯିବଟି ଭେଳା,

ଜାଣୁ ଜାଣୁ ମୁଁ ନିଶ୍ଚେ ହେଲି ବିନାଶ ।୧।

ଛପନା କୋଟି ଜୀବଙ୍କୁ ତାରିବା ପାଇଁ,

ନିଜରୂପେ ବିଜେ କେ ଜାଣିବାକୁ ନାହିଁ ।

ବ୍ରହ୍ମାଣ୍ଡେ ସ୍ୱାମୀ ମୋର ପାଉଛନ୍ତି କଷଣ,

କର୍ଣ୍ଣେ ଶୁଣି ମୋ ପିଣ୍ଡେ ନ ରହୁଛି ଜୀବନ ।

ସ୍ଥିର ମୋ ହୃଦୟରେ ନ ରହେ ପଞ୍ଚୁପ୍ରାଣ,

ଭାଳି ମରୁଛି ନିଜେ ଝୁରୁଛି ରାତ୍ରଦିନ ।

କିସ ବର୍ଣ୍ଣିବି ପଦ ମାଡ଼ୁଅଛି ରୋଦନ,

ନୟନୁ ଅଶ୍ରୁଜଳ ବହୁଛି ଘନ ଘନ ।

ତିନି ବ୍ରହ୍ମାଣ୍ଡ ମୋତେ ଦିଶୁଛି ଧୂମବର୍ଣ୍ଣ,

ପାପ ଘୋଟିଲା ପୃଥୀ ଉଦେ କରାଅ ପୁଣ୍ୟ ।

ଆଜ୍ଞା ପଡ଼ୁ ମୋଠାରେ କରିଯିବ ଦର୍ଶନ,

ଜାଣିଲଇଁ ଏଥର ଜଗତ ହେବ ଶୂନ୍ୟ ।

ନିଶ୍ଚେଁ ପାଦପଦ୍ମକୁ କରିଛି ଆଶ ।୨।

 

୧୧୮-୬- ପ୍ରଭୁଙ୍କ ନିଜରୂପ ନୟନରେ ଦେଖିଲା । ୧-୧୪ ଭବେ ବୁଡ଼ିବ ଭେଳା । ୨-୪- ରହୁ ନାହିଁ ଜୀବନ । ସମ୍ବଲପୁର ପୋଥିରେ- ୨ୟ ପଦର ୭ ଧାଡ଼ି ୫ ଧାଡ଼ିରୂପେ; ୫ ଧାଡ଼ି ୬ ଧାଡ଼ିରୂପେ; ୮ ଧାଡ଼ି ୭ ଧାଡ଼ିରୂପେ ଓ ୬ ଧାଡ଼ି ୮ ଧାଡ଼ିରୂପେ ପଠିତ;

 

ଆଜ୍ଞା ଦେଇଥିଲ ପ୍ରଭୁ ଯେତେ ଦିନକୁ,

ପ୍ରଘଟ ହେଲାଣି ଯୁଗ ବେଳୁଁ ବେଳକୁ ।

ଅଭୟ ମଣ୍ଡଳରେ ଅନାଦି ଯୋଗେଶ୍ୱର,

ବିଚାର କଲାବେଳେ ଥିଲି ମୁଁ ଶ୍ରୀଛାମୁର ।

ଆଜ୍ଞା ଦେଲ ‘‘ମୁଁ ହେବି କଳଙ୍କି ଅବତାର,’’

ମୁହିଁ ବୋଇଲି ମୋତେ ମର୍ତ୍ତ୍ୟରେ ଜାତ କର ।

କୃପା କରି ବୋଇଲ ଯାଅସି ରେ କୁମର,

ମୁହିଁ ଯାଉଛି ଆଗେ ତୁ ପଛେ ଶୁଭ କର ।

ଅନନ୍ତ କୋଟି ସାଧୁ ଚୌଷଠି ସିଦ୍ଧ ମୋର,

ଅଚେତା ହୋଇ ଜନ୍ମିଛନ୍ତି ଗୃହ ଭିତର ।

ଭେଟ ପାଇବୁ ଦୀକ୍ଷା ଉଦେ ନବ ଅଙ୍କର,

ବସି ବର୍ଣ୍ଣିବି ପଦ ତୋହ ହୃଦପଦ୍ମର ।

ଶୂନ୍ୟ ମହିମାଧ୍ୱନି ହେବ ପ୍ରକାଶ ।୩।

 

୧୧୮-୨-୭ ମରୁଛି ଚିତ୍ତେ; ୨-୮- ଅଶ୍ରୁଧାର ୨-୧୩- ନିତ୍ୟ ପାଦପଦ୍ମକୁ । ୧୧୮-୩-୧୧- ପାଇବେ ଦୀକ୍ଷା ଉଦେ ପୂର୍ବ ଦିଗର ।

 

ତେର ଅଙ୍କରୁ ଆକୁଳେ କମ୍ପୁଛି ଦେହ,

ସତର ଅଙ୍କ ହେଲାଣି ବହୁଛି ଲୁହ ।

ମୁଁ ଯେ ଯୌବନ ନାରୀ ବହୁତ ଆଶା କରି,

ଛାମୁକୁ ଅନୁସରି ଭେଟିବଇଁ କିପରି ।

ବନେ ବନେ ଖୋଜୁଛି ଚିଆଁ ଚୈତନ୍ୟ ଧରି,

କିମ୍ପା କରୁଛ ମୋତେ ବିଛେଦ ଯୁବା ପରି ।

ପିନ୍ଧିଲାର ବସନ ହେଲାଣି ମୋତେ ଭାରି,

ବହି ନ ପାରେ ପିଣ୍ଡ ଚକଟା ମୃତ୍ତିପରି ।

ମାୟା ମୋହରେ ପଡ଼ି ନିତ୍ୟେ ହେଉଛି ଘାରି ।

କେତେ ଦିନକୁ ଆଜ୍ଞା ହେବ ଶୂନ୍ୟବିହାରୀ,

ଯେହ୍ନେ ଜଳକୁ ଅନୁସରି ପୀୟୂଷ ।୪।

ହେଳା କଲେ ଭେଳା ବୁଡ଼ି ଭାସିଲା ଜୀବ,

କେତେ ଦିବସକୁ ସିଦ୍ଧି କରୁଛ ଶୁଭ ।

ଅନାଦି ବ୍ରହ୍ମ ବିଜେ କରିଛ ରବିତଳେ,

ପାରି କରିବ ପରା ଏ ଘୋର କଳିକାଳେ ।

ଛାଡ଼ି ଦେଇଛ ମୋତେ ଦୁଷ୍ଟଗଣଙ୍କ ମେଳେ,

ଢାଉରଙ୍ଗ ପସରା ଦେଖି ପଡ଼ୁଛି ଭୋଳେ ।

ଭସି ଯାଉଛି ମୁହିଁ ଅଗାଧ ସିନ୍ଧୁ ଜଳେ,

ଦେଖ ଦେଖ ମୁଁ ପଡ଼ିଗଲିଟି ରସାତଳେ ।

ପିଣ୍ଡ ପ୍ରାଣ ସମର୍ପି ଦେଇଛି ପାଦତଳେ,

ସହି ନ ପାର ଉଚ୍ଚେ ଡାକୁଅଛି ବିକଳେ ।

ଚାଲିଯିବାକୁ ମୋର ବେନି ପାଦ ନ ଚଳେ,

ଅଭୟ ଶୂନ୍ୟବାନା ଉଡ଼ୁଛି ଏତେବେଳେ

ବାରେ ଉଦ୍ଧରି ଧର ଶୂନ୍ୟ ପୁରୁଷ ।୫।

 

୧୧୮-୪- ଶେଷ ଧାଡ଼ି ପୂର୍ବରେ ‘‘ଏ କଳିଯୁଗେ ମୋତେ କିପାଇଁ ଜାତକର’’ - ପାଠାନ୍ତର, କିନ୍ତୁ ସମୀଚୀନ ବୋଧ ହେଉ ନାହିଁ ।

୧୧୮-୫- ପ୍ରଥମ ଦୁଇଧାଡ଼ି ପାଠାନ୍ତର ଯଥା - ଭଗତ ଜୀବନ ବନ୍ଧୁ ପ୍ରାଣର ପତି, କେତେ ଦିବସକୁ ସାଧ୍ୟ କରୁଛ ପୃଥୀ ।

 

ଆକାଶକୁ ଚାହିଁ କେତେ ବର୍ଣ୍ଣିବି ପଦ,

କଳିଯୁଗ ମୋରଠାରେ ଲାଗିଛି ବାଦ ।

ଭଣେ ଭୀମ ଅର୍କ୍ଷିତ ମଥାରେ ଦେଇ ହସ୍ତ,

ଚଣ୍ଡୀ ଚାମୁଣ୍ଡାଗଣେ ଆସୁଅଛନ୍ତି ନିତ୍ୟେ ।

ଆସନ ଚଉକତି ବେଢ଼ିଛନ୍ତି ଏକାନ୍ତ,

ଜଗିଛନ୍ତି ନିର୍ବନ୍ଧେ ଛାଡ଼ି ନ ଦ୍ୟନ୍ତି ପଥ ।

ପ୍ରଥମ ଆସନରେ ହେଉଛି ଏତେ କୃତ୍ୟ,

କାଳ ବିକାଳ ଆସୁଅଛନ୍ତି ଭୂତ ପ୍ରେତ ।

ବିଷ୍ଣୁମାୟା କୂଟରେ ରହୁ ନାହିଁ ମହତ,

କଟାଳ କରି ମୋତେ ଜାଗୁଛନ୍ତି ନିଅତ ।

ପିଣ୍ଡ ବ୍ରହ୍ମାଣ୍ଡ ସ୍ୱାମୀ କର ହେ ରକ୍ଷାଗତ,

ଦୟା କର ହେ ସ୍ୱାମୀ ଅଲେଖ ଅବଧୂତ ।

ତିନି ବ୍ରହ୍ମାଣ୍ଡେ ମୋର ନୋହୁଛି ବାସ ।୬।

୧୧୮-୫-୮ ଧାଡ଼ି ଓ ୭ ଧାଡ଼ି ଅସ୍ତବ୍ୟସ୍ତ ହୋଇଛି- ପୁନଶ୍ଚ ଉଦ୍ଧରି ଧର ମୁଁ ଭାଷିଗଲିଟି ସିନ୍ଧୁଜଳେ-ପାଠାନ୍ତର । ଶେଷ ଦୁଇଧାଡ଼ି ପୂର୍ବରେ ଗୋଟିଏ ଅଧିକା ଧାଡ଼ିଅଛି; ପାପସାଗରେ ପଡ଼ିଅଛି ମହୀମଣ୍ଡଳେ ।

୧୧୮-୫-; ୧୧,୧୨ ଓ ୧୩ ଧାଡ଼ି ଅନ୍ୟ ପୋଥିରେ ନାହିଁ । ପୁନଶ୍ଚ- ୬ ଧାଡ଼ି ପରେ - ବେଢ଼ିଛନ୍ତି ଏକାନ୍ତ ଛାଡ଼ି ନ ଦେଇ ପଥ, କୂଟ କପଟ ପାଞ୍ଚି ସମସ୍ତେ ଏକମତ । କାଳ ବିକାଳ ଆସୁଅଛନ୍ତି ଭୂତପ୍ରେତ ।

 

(୧୧୯)

(୩) ଦର୍ଶନ କର, ଧ୍ୟାଇ ଶ୍ରୀଗୁରୁ ପୟର । ଘୋଷା ।

ନିର୍ବେଦ ଅମୃତ ସୁଧା, ଥିଲା ଯେ ଅଲେଖ ବିଦ୍ୟା,

ଖିଲ ପଡ଼ିଥିଲା ମୁଦା, ଏବେ ବହୁଅଛି ଧାର ।୧।

ସେ ଠାବକୁ ହେଲେ ଲକ୍ଷ, ବୋଲାଇବ ବ୍ରହ୍ମଲୋକ,

ଜିଣିବ ତିନି ତ୍ରୈଲୋକ୍ୟ, ତେବେ ହୋଇବ ଅମର ।୨।

ଶ୍ରୀପୟରୁ ବଢ଼ୁଅଛି, ବସୁଧାରେ ଜଡ଼ୁଅଛି,

ଅନୁସରି ପିଅ କିଛି କୋଟିଜନ୍ମ ପାପ ହର ।୩।

ବାହ୍ୟରେ କଲେ ପ୍ରକାଶ, ଯୁଗ ଯହୁଁ ହେଲା ଶେଷ,

ବୁନ୍ଦେ ବୁନ୍ଦେ କର ଗ୍ରାସ, ମାୟା ମୋହ ଯିବ ଦୂର ।୪।

ଯେ ସର୍ଜିଲା ପିଣ୍ଡ ପ୍ରାଣ, ସେହି ସେ କରତା ଜାଣ,

ସେବା ଲାଗି ନିଅ ଦିନ, ଅଛି ଯେବେ ପ୍ରତିକାର ।୫।

ସ୍ୱାମୀ ମହିମା ଅଶେଷ, ଭଣେ ଭୀମ ହୀନ ଦାସ,

ଉଦ୍ଧାର ହେବ ଅବଶ୍ୟ, ଦୃଢ଼ ବନ୍ଧେ ଧର ଧର ।୬।

 

ଆସନ ଚଉକତି ବସିଅଛନ୍ତି ନିତ୍ୟ ପ୍ରଥମ ଆସନରେ ହେଉଛି ଏତେ କୃତ୍ୟ । ଦୟା କର - ଇତ୍ୟାଦି -

 

(୧୨୦)

(୪) ଭଜ ସ୍ୱାମୀଙ୍କି, ଚର୍ମ ନୟନରେ ଦେଖି । ଘୋଷା ।

ଶୁଷ୍କତରୁ ପଲ୍ଲବୁଛି, ଫୁଟି ପୁଷ୍ପ ବାସୁଅଛି,

ଚାହିଁଲେ ନେତ୍ରେ ଦିଶୁଛି ଏତେ ଅପ୍ରତେ କାହିଁକି ।୧।

ପାତକ ଭାରା ଛେଦନ, ଉଦୟ ହେଲାଣି ଗ୍ୟାନ,

ଦେଖ ଦେଖ ସର୍ବଜନ ମନକୁ ଥବିରେ ରଖି ।୨।

ମିଛ ମାୟା ଗାଳି ଗର୍ବ, ଛେଦନ ହେଲାଣି ସର୍ବ,

ପଶିଲାଣି ସତ୍ୟଯୁଗ, ଆସି ରହିଲାଣି ବାକି ।୩।

ଆଗ୍ୟାଁରେ ଚାରି ଦିଗରେ, ରହିଲାଣି ବଚନରେ,

ପ୍ରଚରି ବ୍ରହ୍ମ କର୍ମରେ ସ୍ୱକାମକୁ ଦୂରେ ଫିଙ୍ଗି ।୪।

ଶ୍ରୀପୟରୁ ସୁଧାପାନ, ପାଇଲେଣି ଭକ୍ତିଗଣ ।

ମନ ବାଞ୍ଛା କରି ପୂର୍ଣ୍ଣ ଲଭିଲେ ସଦ ଗତିକି ।୫।

ପ୍ରଭୁ ନାମକୁ ନିରୋପି, କହୁଛି ଜଗତେ ଡାକି

ଭଣେ ଭୀମ ଅରକ୍ଷିତ ପିଣ୍ଡ ପରାଣକୁ ବିକି ।୬।

୧୨୦-୯- କୁ କର୍ମକୁ ଦୂରେ ଫିଙ୍ଗି,

୧୨୦-୧୩- କହୁଛନ୍ତି ଭକ୍ତେ ଡାକି,

 

(୧୨୧)

(୧) ନିଜ ଅଙ୍ଗରେ, ଖେଳୁଛନ୍ତି ବ୍ରହ୍ମାଣ୍ଡରେ । ଘୋଷା ।

ଜମ୍ବୁଦୀପ ପୂର୍ବଦିଗେ, ବିଜୟ ଅନନ୍ତ ଯୋଗେ

ସାବଧାନ ହୁଅ ସର୍ବେ ଯାଇ ଦେଖି ଆସ ଥରେ ।୧।

ନ ଗଲେ ନ ରହେ ଜୀବ, ଜଗତେ ନୋହିବ ଠାବ,

କାହିଁରେ ନାହିଁ ନା ଭାବ, ଅଛି ପ୍ରଭୁଙ୍କ ଛାମୁରେ ।୨।

ସେ ମହିମା ମହାମେରୁ, ଦୁବକୁ କରନ୍ତି ଦାରୁ

ଛପନା କୋଟିର ଗୁରୁ ସେବା କର ନିରନ୍ତରେ ।୩।

ପଡ଼ିଦାତା ଗ୍ୟାନ ଦାତା, ପିଣ୍ଡ ପ୍ରାଣର କରତା,

କିପାଇଁ କରୁଛ ଚିନ୍ତା ଦୁଜା ନ ହୁଅ ମନରେ ।୪।

ଯୁବାଙ୍ଗ ଯୁବତୀ ଯେତେ, ବାଳ ବୃଦ୍ଧ ପରିଯନ୍ତେ,

ଦେଖ ଦେଖ ନେତ୍ର ପଥେ ପୂର୍ବଜନ୍ମ ତପସ୍ୟାରେ ।୫।

ନ ଜାଣଇ ଆଦିଅନ୍ତ, ନୁହଇ କବି ପଣ୍ଡିତ,

ଭଣେ ଭୀମ ଅରକ୍ଷିତ ଧ୍ୟାଇ ଅଭୟ ପୟରେ ।୬।

 

(୧୨୨)

(୨) ମହିମା ଦେଖ ଯାର ନାହିଁ ରୂପ ରେଖ । ଘୋଷା ।

ନିଶବ୍ଦ ଘରୁ ଶବଦ ଜଡ଼ା କହେ ଚାରିବେଦ

ଶୂଦ୍ର ହୋଇ ବ୍ରହ୍ମ ପଦ ପ୍ରକାଶ ହେଉଛି ମୁଖ ।୧।

ମୂର୍ଖେ ହୋଇଲେ ପଣ୍ଡିତା ବେଦ ଶାସ୍ତ୍ରେ ନାହିଁ ଶ୍ରୋତା

ଅଗ୍ୟାନୀ ହୋଇଲେ ଚେତା ବୁଦ୍ଧିକି କରି ବିବେକ ।୨।

ଗୃହୀମାନେ ହେଲେ ଋଷି ତପରେ ବ୍ରହ୍ମକୁ ତୋଷି

ବୋଲାଇଲେ ଦାସ ଦାସୀ କ୍ଷଏ କରି ପାପ ଦୁଖ ।୩।

ମଲା ପିଣ୍ଡ ଉଠିଲାଣି ପାଷାଣ ପାଣି ହେଲାଣି

ଗୁପ୍ତକଥା ଫିଟିଲାଣି ମିଛ ନୋହେ ସତବାକ୍ୟ ।୪।

ପଙ୍ଗୁଗିରି ଲଙ୍ଘି ଯାଇ, ଅନ୍ଧ ଚକ୍ଷୁଦାନ ପାଇ ।

ଅପୂତ୍ରିକ ପୁତ୍ର ହୋଇ, ଏଥୁକି ନେବ ପରୀକ୍ଷ ।୫।

ଭଣେ ଭୀମ ଅରକ୍ଷିତ, ଧାଇ ଗୁରୁ ପାଦ ଗତ

ସେ ଅଲେଖ ଅବଧୂତ ଲଭିବାକୁ ନାହିଁ ସକ୍ଷ ।୬।

୧୨୨-୨- ଜଡ଼ା କହୁଅଛି ବେଦ,

 

(୧୨୩)

ପାକ ଛଡ଼ରସରେ, ଭୁଞ୍ଜୁଅଛି ସତୀ ।

ପରଶୁଛି ପତି, ଅତି ହରଷ ମତିରେ । ଘୋଷା ।

ଦୋପଖା ଚୁଲାରେ, ବସିଅଛି ଭାଣ୍ଡ, ନୀର ଫୁଟୁଛି ତହିଁରେ ।

କଷ୍ଠ ନାହିଁ ଅଗ୍ନି, ହୁତାଶେ ଜଳୁଛି, ଖୋଳା ବିମ୍ବର ଭିତରେ ।୧।

ଦୋପଖାରେ ପାକ ରନ୍ଧନ ହେଉଛି ଏକ ଗୋଟି ତଣ୍ଡୂଳରେ ।

ଭାଣ୍ଡ ପୂରି ମଣ୍ଡ ଉଛୁଳି ପଡ଼ୁଛି, ନିର୍ଦ୍ଧୂମ ଅଗ୍ନି ଜାଳରେ ।୨।

ଭୁଞ୍ଜାଉଛି ଘୃତ, ହରୁଛି ସର୍ବତ୍ର, ମନ ଧ୍ୟାନ ଭଣ୍ଡାରରେ ।

ଦିଗୁଣେ ନେଉଛି, ତିନିଗୁଣେ ଦେବ, ଦୁର୍ଲ୍ଲଭ ରତ୍ନ ଦାନରେ ।୩।

ପୂରାଜଳ ଭାଣ୍ଡେ, ସଲିଳ ପ୍ରଚଣ୍ଡେ ବିନ୍ଦୁ ବ୍ରହ୍ମ ଲୀଳା କରେ ।

ଚନ୍ଦନ ଅର୍ଗଳି, ତିଳମାତ୍ରେ ଗଳି, ମୁଦ୍ରିତ ଛଡ଼ ଦଳରେ ।୪।

ସେ ତପତ କୁଣ୍ଡ, ସଞ୍ଚିରିଛି ପିଣ୍ଡ, ପ୍ରଚରୁଛି ବ୍ରହ୍ମଗ୍ୟାନରେ ।

ଭଣେ ଭୀମକନ୍ଧ, କବି କୁଳଚାନ୍ଦ, ଗ୍ୟାନ ରସ ସମ୍ପାଦରେ ।୫।

 

(୧୨୪)

ସୁବେଶକୁ ଜାଗିଛି ।

କ୍ଷରି ପଦ୍ମପୁଷ୍ପ, ପୁରି ମଧୁରସ, ବିନ୍ଦୁରେ ବଶ କରୁଛି । ଘୋଷା ।

ଜ୍ୟୋତି ମୂର୍ତ୍ତି ଘେନି, କ୍ଷିତି ପ୍ରକାଶିଛି, ଥଳରେ ଜଳ ରହିଛି,

ଜଳ ମଧ୍ୟେ ଛଡ଼ ପାଖୁଡ଼ା ଦଳରେ, ଅନାଡ଼େ ପୁଷ୍ପ ଫୁଟିଛି ।୧।

ଅହି କାଳସର୍ପ, ଆମୋଦ ପୁଷ୍ପକୁ, ବେଢ଼ାଇ ତହିଁ ରହିଛି ।

ଆଧାର ନ ଅଣ୍ଟି, ବିସ୍ତାରିଛି ପାଟି, ବିନ୍ଦୁ ଗ୍ରାସ କରୁଅଛି ।୨।

ରଞ୍ଚିବାର ଯୋଗେ, କହିଅଛି ପଦେ, ନିତ୍ୟେ ଭୋଜନକୁ ବାଞ୍ଛି ।

ତ୍ରିପୁରର ଧନ, କରୁଛି ଆପ୍ୟାନ, ଉଦର ତା ନ ପୂରିଛି ।୩।

ଶିରୀଷର ପୁଷ୍ପ, କରିଅଛି ବାସ, ତିନିଭୁବନ ମୋହୁଛି ।

କଢ଼ିର ସଙ୍ଗେ, ଆବୋରି ଭ୍ରମର, ମଧୁପାନ କରୁଅଛି ।୪।

ଲାଗିଅଛି ତହିଁ, ଇଛାକ କବାଟ, କଞ୍ଚି ଖୀଲ ନାହିଁ କିଛି ।

ମାଛି ଗଳିବାକୁ, ନ ମିଳଇ ସଜ, ମତ୍ତଗଜ ଛନ୍ଦୁଅଛି ।୫।

ଏ ଜଗତ ରୂପ, ଭବାର୍ଣ୍ଣବ କୂପ, ଛଡ଼ ରଚନା କରିଛି,

ଭଣେ ଭୀମଭୋଇ, କୁଢ଼ ରସେ ବାଇ, ଦିବସ ସରି ଯାଉଛି ।୬।

 

(୧୨୫)

ଅନାହତବିହାରୀ, ଆବୋରିଛ କାୟେ,

ଜଳ କୁମ୍ଭ ପ୍ରାୟେ, ଭିତର ବାହାରେ ପୂରି । ଘୋଷା ।

ବିନା ଚକେ ରଥ, ବୁଲେ ଅବିରତ, ମନୁ ଦଣ୍ଡ ଯୋଚି କରି ।

ତହିଁର ବାହାରେ, ହଦ ପଙ୍କ ଜଳ, ଶ୍ରୋଣୀ ସେ ତ ଭବବାରି ।୧।

ଚନ୍ଦ୍ର ମଧ୍ୟେ ବ୍ରହ୍ମ, କରିଛି ଆଶ୍ରମ, ଜଳରେ ପାଷାଣ ପରି ।

ଗଙ୍ଗା ଯମୁନା ସରସ୍ୱତୀ ବହୁଛି, ବଙ୍କୁ ନାଳ ଶିଖେ ଝରି ।୨।

ସପ୍ତଦ୍ୱୀପା ମହୀ, ରଚନା କରୁଛି, ଚତୁର୍ଦ୍ଦଶ ପୁର କରି ।

ଚଉଦ ବ୍ରହ୍ମାଣ୍ଡ, ଭିତର ବାହାରେ, ଅଛି ସପ୍ତସିନ୍ଧୁ ପୂରି ।୩।

ଅସ୍ଥି ମାଂସ ଚର୍ମ, ରୋମ ୟେକ କରି, ଲତା ବନକୁ ଆବୋରି ।

ଏ ତିନି ବ୍ରହ୍ମାଣ୍ଡେ, ଯେ କରିଛି ପିଣ୍ଡ, ସର୍ବ ଘଟେ ବିଜେ କରି ।୪।

ଏ କୀଟପ ଜୀବ, କରୁଅଛି ଭାବ, ଅରୂପକୁ ଅନୁସରି ।

କହେ ଭୀମଭୋଇ, କୃପା ଯେବେ ହେବ ଭବସିନ୍ଧୁ ଯିବି ତରି ।୫।

 

(୧୨୬)

ବାନା ଜଗତେ ସଞ୍ଚରି, ରହିଲେ ଭଗତେ ।

ନାମ ଭଜ ନିତ୍ୟେ, ଚଉଦିଗ ରାଷ୍ଟେ ପୂରି । ଘୋଷା ।

ବିଜେ କଲେ ଗୁରୁ, ପୃଥ୍ୱୀ ରଖିବାରୁ, ଉଦେ ଅସ୍ତି ପୂର୍ଣ୍ଣ ଗିରି ।

ଧୂନିର ପାରୁଶେ, ଜଗି ରହିଅଛି, କାଳନ୍ଦୀ ନାମେ ଶର୍ବରୀ ।୧।

କାଳନ୍ଦୀ ମଧ୍ୟରେ, ଯେତେ ସୀମାନ୍ତରେ, ବହେ ବନ ପ୍ରଚାରୀ ।

ତେଣୁ ଜଳ ପଙ୍କ, ଅନୁଭବେ ଦେଖ, ହେଉଅଛି ଏକାନ୍ତରୀ ।୨।

ସେ କାଳନ୍ଦୀ ହଦ, ନାହିଁ ଅନ୍ତ ଭେଦ, କେ କହିବ ଅନ୍ତ କରି ।

ଠିକେ ଠିକେ କରି, କହିବା ବିସ୍ତାରି ଛନ୍ତି ସସ୍ରେ ବ୍ରହ୍ମଚାରୀ ।୩।

ଯେଉଁ ପୁରୁଷର, ହାଇ ଛାଇ ନାହିଁ, ଛନ୍ତି ତହିଁ ମଠ କରି ।

ନ କରି ଆହାର, ନାମରେ ପିଅର, ଅଣ ସାଧନାରେ ତରି ।୪।

ତହିଁର ଗଭୀର, ଦୀର୍ଘ ପ୍ରତି ତାର, ସମାନେ ପୂରିଛି ବାରି ।

ଭଣେ ଭୀମ ହୀନ, ପାମର ଅଗ୍ୟାନ, ଗୁରୁପାଦ ବିନ୍ଦୁ ଧରି ।୫।

 

(୧୨୭)

ବ୍ରହ୍ମ ଯହିଁ ଅଛି କର ନିରୂପଣ ହେ ସାଧୁଜନ । ଘୋଷା ।

ଅଲେଖରୁ ଲେଖା ହେଲେ            ବୃଦ୍ଧ ଅଙ୍ଗେ ବିରାଜିଲେ

ସଂସାର ବାହ୍ୟକୁ ହୋଇଛନ୍ତି ଶୂନ୍ୟ,

ଅନାଦି ଈଶ୍ୱର ଯେହୁ            କ୍ଷୟ ବୃଦ୍ଧି ନୁହେ ସେହୁ

କଉଁ ବେଦେ ଶୁଣିଛ କି ଲଭନ୍ତି ସେ ମରଣ ।୧।

ଅଜନ୍ମ ପୁରୁଷ ସେହି            ଜନ୍ମ ମୃତ୍ୟୁ ତାଙ୍କ ନାହିଁ

କାହିଁ ଜନ୍ମ ହୋଇଛନ୍ତି କେ କେ ଜାଣ ।

ସମସ୍ତଙ୍କୁ ପଚାରୁଛି                  ଜାଣିଥିଲେ କହ କିଛି

ଚିନ୍ତା କରି ହୃଦୟରେ ସରୁ ନାହିଁ ମୋ ଦିନ ହେ ।୨।

ସେ ପ୍ରଭୁ ଯହିଁରେ ଛନ୍ତି            ସୁର ନର ନ ଜାଣନ୍ତି

ବିଶ୍ୱାସ ଲଗାଇ କର ପରଶନ ।

ନିଷ୍କାମ ହୋଇଲେ ମନ            ଦୃଶ୍ୟ ହେବେ ନାରାୟଣ

ଅଳ୍ପଦିନେ ମିଳିବ ପାଦପଦ୍ମେ ଦର୍ଶନ ହେ ।୩।

ଅଲେଖ ବୋଇଲେ ମୋତେ      ରୋଦନ ମାଡ଼ୁଛି ଚିତ୍ତେ

ଶୋକ ସନ୍ତାପେ ପୋଡ଼ୁଛି ମୋ ଜୀବନ ।

ସେ ଯେ ଅଣରୂପ ସ୍ୱାମୀ            ସର୍ବଦା ସେ ଅନ୍ତର୍ଯ୍ୟାମୀ

ରୂପ ହୋଇଛନ୍ତି ପରା କୋଟି ମଦନ ହେ ।୪।

ସେ ଅଲେଖ ଅଣାକାର            କାହାକୁ ନାହିଁ ଗୋଚର

ଅଙ୍ଗରେ ହୁଅନ୍ତି ବିରାଜିତମାନ

ଭଗତଙ୍କ ଧନ ସେହି            ତିନିପୁରେ ଛନ୍ତି ଧ୍ୟାଇ

ସତ୍ୟାଦି ଧର୍ମରେ ଏକା ହୁଅନ୍ତି ସେ ବନ୍ଧନ ହେ ।୫।

ଭଣେ ଭୀମ ଅରକ୍ଷିତ            ଶ୍ରୀଗୁରୁ ଚରଣେ ଚିତ୍ତ

ଅଲେଖକୁ ସମର୍ପିଛି ପିଣ୍ଡପ୍ରାଣ

ମରିଗଲେ ବୋଲୁଛନ୍ତି            କିରୂପେ ରହିଛି ପୃଥ୍ୱୀ

କଦାଚିତରେ ପରତେ ନ ପାଉଛି ମନ ହେ ।୬।

୧୨୭- ୩- ସଂସାର ସାରକୁ

୧୨୭-୬- ଅଯୋନି ପୁରୁଷ

 

(୧୨୮)

ତାଙ୍କୁ ଭେଦ କର, ରବିତଳେ ଥିବେହେ କଳିଯୁଗେ । ଘୋଷା ।

ବନ୍ଦଇ ଅଲେଖ ବ୍ରହ୍ମ            ଅନାମୁ କ୍ଷରିଲା ନାମ

ରୂପ ରେଖ ବର୍ଣ୍ଣ ନାହିଁ ଥିଲା ପୂର୍ବେ

ଘରବାହାରେ ଅଲେଖ            ପିଣ୍ଡ ବ୍ରହ୍ମାଣ୍ଡରେ ଦେଖ

ଘଟେ ଘଟେ ଜୀବରୂପେ ପୂରି ସର୍ବଠାବେ ହେ । ୧ ।

ଚାରିଯୁଗେ ସେ ଅଲେଖ            ନ ଲାଗେ ମାୟା କଳଙ୍କ

ନରଅଙ୍ଗେ ବିରାଜିତ ଗୁପ୍ତ ଭାବେ

ଇଚ୍ଛାରେ ଆସନ୍ତି ବ୍ରହ୍ମ            ପରକାଶ ସତ୍ୟ ଧର୍ମ୍ମ

ଚିହ୍ନା ପଡ଼ିଅଛନ୍ତି ସେ ସମ୍ଭାଳି ଧର ଏବେ ହେ । ୨ ।

ଖେଳ କରିବା ନିମନ୍ତେ            ଆସି ବିଜୟ ଜଗତେ

ସଂସାର ତାରିବା ପାଇଁ ସର୍ବ ଶୁଭେ

ଭକ୍ତଙ୍କ ହାରି ଗୁହାରି            ବାଞ୍ଛା କାମନା ଯାହାରି

ନିର୍ଦୟା ନ କରି ସ୍ୱାମୀ ତତ୍‌ପରେ ବୁଝିବେ ହେ । ୩ ।

ଶୂନ୍ୟ ବୋଲି ଯାହା କହି            ବେଦର ଭ୍ରମଣ ସେହି

ଆକାଶକୁ ସର୍ବେ ଚାହିଁ ଅଛ ଲୋଭେ

ଅନନ୍ତ କୋଟି ସାଧୁ ସଙ୍ଗେ            ଚଉଷଠୀ ସିଦ୍ଧ ଅଙ୍ଗେ

ଏହି ଭିତରେ ଲୋଡ଼ିଲେ ନିଶ୍ଚେ ଧରା ପଡ଼ିବେ ହେ । ୪ ।

ଥବିର କର ମନକୁ କାଟ            ଚିତ୍ତୁଁ ବଡ଼ିମାକୁ

ତତ୍ତ୍ୱ କରି ଜପ ମନ ଧ୍ୟାନ ସଙ୍ଗେ

ବାଇ ହେଉଛ ସମସ୍ତେ            ବୁଝାଇ କହିବି କେତେ

ସତ୍ୟଧର୍ମ୍ମକୁ ପରୀକ୍ଷା ମାଗିବ ଜଣେ ଆଗେ ହେ । ୫ ।

ଯେ ଅଛ ସାଧୁ ସୁଜନ            କିମ୍ପା ହେଉଛ ଅଗ୍ୟାନ

ଅନୁସରି ଲୋଡ଼ି ଠାବ କର ବେଗେ

ଭଣେ ଭୀମ ଅରକ୍ଷିତ            ନିର୍ଣ୍ଣୟେ କରୁଛି ସତ୍ୟ

ଗୁପତରେ ଛନ୍ତି ପ୍ରଭୁ ଅନନ୍ତର ଗର୍ଭେ । ୬ ।

 

୧୨୮-୧- ସର୍ବଶୁଭେ ।

୧୨୮-୩- ରୁପରେଖ ବର୍ଣ୍ଣ ଚିହ୍ନି ନ ଥିଲା ପୂର୍ବେ ।

 

( ୧୨୯ )

ଦୃଢ଼େ ଧର ଅପ୍ରତେ ନ କର ହେ ଚିହ୍ନ ଭଲ କରି । ଘୋଷା ।

ଅନନ୍ତ ପୁରୁଷ ସେହି            ଆଦିଅନ୍ତ ତା ନ ପାଇ

ଭଗତ ହିତରେ ମର୍ତ୍ତ୍ୟେ ଅବତରି

ଅଶେଷ ମହିମା ଗାଦି            ଶିଶୁ ଅନନ୍ତ ସମାଧି

ଚାରି ଯୁଗେ ରହି ଆସୁଛନ୍ତି, ଏ ସଂସାରେ ହେ । ୧ ।

ସେ ଅଲେଖ ଅବଧୂତ            ଧରନ୍ତି ଅତିଥ ମତ

ଧର୍ମ୍ମ ତାଙ୍କର ଅଟଇ ନିର୍ବିକାର

ଯେ ଯେମନ୍ତ ଖଟିଛନ୍ତି            ନ ଥାଇ ସଂଶୟ ଭୀତି

ସମାନେ ଦୟା ବହନ୍ତି ନ କରନ୍ତି ଅନ୍ତର ହେ । ୨ ।

କେ ପାରେ ଏ କର୍ମ୍ମମାନ            ଛତିଶ ପାଟେ ଭାଜନ

ସମ କରିବାକୁ ଅଛି ଶକ୍ତି କାର

ବ୍ରହ୍ମ ଯେବେ ଚିହ୍ନି ଥାଇ            କିଞ୍ଚିତମାତ୍ର ହୁଅଇ

ଆଗ୍ୟାଁ ଯେବେ ଶ୍ରୀମୁଖରୁ ପଡ଼ିଥାଇ ତାଙ୍କର ହେ । ୩ ।

ଯେଉଁ ବୃଦ୍ଧରୂପ ଗୋଟି            ଦିଶଇ କ୍ଷୀଣ ରୂପଟି

ସେ ପ୍ରଭୁ କାହିଁ ରହିବେ ହେତୁ କର

ବୈଷ୍ଣବ ଜଣେ ବୋଇଲେ            ଯୋଗୀ ପରାୟେ ମଣିଲେ

ମାନବ ଶକତି ନୋହେ ଅନାଦି ଈଶ୍ୱର ହେ । ୪ ।

ରଜ ବୀର୍ଯ୍ୟେ ଲାଗିଥାଇ            ବିଲଗେ ଅଲଗା ହୋଇ

ଆପେ ଏ ଘଟକୁ କରିଛନ୍ତି ତିଆର ହେ

ଆତ୍ମାରୂପେ ରହିଅଛି            କହୁଅଛି ନ ଦିଶୁଛି

ଇଚ୍ଛାରେ ବାସନା ଭୋଗ କରୁଛନ୍ତି ସେ ଆହାର ହେ । ୫।

୧୨୯-୧୮- ରଜବୀର୍ଯ୍ୟେ ନ ଲାଗଇ ।

ଅବିଶ୍ୱାସ ହେଲେ ଯହୁଁ            ଅପମାନେ ମହାବାହୁ

ତେଜି ହୋଇ ଯାଉଥିଲେ ସେ ବାହାର ହେ

ଭଣେ ଭୀମ ହୀନ କନ୍ଧ            ସୁଜନେ ନ ବୁଝ ମନ୍ଦ

ଧାଇଁ ପଡ଼ ସେ ପ୍ରଭୁର ଛନ୍ଦିଛି ପୟର ହେ । ୬ ।

 

( ୧୩୦ )

ବଣା ନୁହ ହେ । ହେତୁ ଚେତା ହୁଅ ହେ । କର ବିଚାରଣା । ଘୋଷା ।

ଏଡ଼େବଡ଼ ବ୍ରହ୍ମ କର୍ମ୍ମ            ହୋଇ ଯାଉଛି ଅଧର୍ମ

ହୃଦରେ ବିବେକ କରି ବୁଝି ନିଅ

ବେଦ ବତାଉଛି ଯାହା            କରି ନ ପାରୁଛ ତାହା

ବଡ଼ିମା ପଣରେ ସର୍ବେ ହେଉଛ ଅନ୍ୟାୟ ହେ । ୧ ।

ଯାହା ଆଗ୍ୟାଁ କଲେ ଗୁରୁ            ପାଇଅଛି ଶ୍ରୀମୁଖରୁ

ସତ୍ୟାଦି ଧର୍ମକୁ ସାଧି କର ଥୟ

ଜୀବନ୍ତାରେ ଯେହୁଥିବ            ଧର୍ମ୍ମ ପରୀକ୍ଷା ଦେଖିବ

କାଳ ବେଳ ଘଟି ଏବେ ଆସୁଛି ସମୟେ । ୨ ।

ସ୍ତିରୀ ପୁରୁଷ ସମସ୍ତେ            ମହିମା ଭଜୁଛ ଯେତେ

ଶାନ୍ତି ଶୀଳ ଦୟା କ୍ଷମା ହୃଦେ ବହ ।

ମୋର କିଛି ଦୋଷ ନାହିଁ            ସବୁରି ହିତାନ୍ତ ପାଇଁ

ମାୟା, କରିବାକୁ ନାହିଁ କହୁଛି ନିର୍ଣ୍ଣୟ ହେ । ୩ ।

କିପାଁ ଅଗ୍ୟାନ ହେଉଛ            ସତ୍ୟକୁ ମିଥ୍ୟା ମଣୁଛ

ଶୂନ୍ୟବାସୀ ପରା ଧରିଥିଲେ ଦେହ ।

ସେବା ଭକ୍ତି କରିଥିଲେ            ମନରୁ ପାସୋରି ଦେଲ

ଭଲ ଅସାର ଏ ଦୁଇ ନ ତୁଟେ ସଂଶୟ ହେ । ୪ ।

 

୧୩୦-୧୭- ଦୁଇ ତୁଟଇ ।

 

କିବା ଗୃହୀ ଦିଗମ୍ବରୀ            କି ଅତିଥ ବ୍ରହ୍ମଚାରୀ

ଯେହୁ ଅଛି ଏ ସଂସାରେ ଯୋଗିପୁଅ ।

ବଡ଼ ପ୍ରଭୁଙ୍କୁ ଭଜିଛ            ସାନବୁଦ୍ଧି କରୁଅଛ

ବଡ଼ବୁଦ୍ଧି ବିବେକେ ସମ୍ଭାଳି ଏବେ ରୁହ ହେ । ୫ ।

ସତ୍ୟଧର୍ମେ ଯେହୁଥିବ            ଯଶ କୀରତି ପାଇବ

ଶୁଭ ମଙ୍ଗଳ ଶୁଭିବ ଜୟ ଜୟ ।

ଭଣେ ଭୀମ ହୀନ ଦାସ            ପ୍ରଭୁଙ୍କୁ ଲୋଡ଼ିବା ଆସ

ସମସ୍ତଙ୍କୁ କର ଯୋଡ଼ି କହୁଛି ବିନୟ ହେ । ୬ ।

 

( ୧୩୧ )

ଅନାଦି ଗୁରୁ ଅଣକ୍ଷରୁ ନାମ ବୋଲାଇଲ ମହିମା ମେରୁ । ଘୋଷା

ଅଲେଖ ବୋଲିବା ଯେବଣ ଶବଦ

ବ୍ରହ୍ମଗ୍ୟାନୀ ଜନେ କର୍ଣ୍ଣେ ଶୁଣି ଭେଦ

ଚାରି ଯୁଗେ କବି ଲେଖି ନ ପାରିଲେ,

ଅଲେଖ ବୋଲିଣ ନାମ ତହୁଁ ଦେଲେ ।

ପ୍ରକାଶ ହୋଇଲା କି ଶବ୍ଦରୁ । ୧ ।

ଶୂନ୍ୟ ବୋଲିବାର ଯେବଣ ବିଭୂତି,

ଊର୍ଦ୍ଧ୍ୱକୁ ଚାହିଁଲେ କିଛି ନ ଦିଶନ୍ତି ।

ସର୍ବଭୂତେ ପୂରି ଅଛନ୍ତି ଆବୋରି

ଏ ପିଣ୍ଡ ବ୍ରହ୍ମାଣ୍ଡ ଯେତେ ସୀମାରୁ । ୨ ।

ଅନନ୍ତ ପୁରୁଷ ବୋଲିବା ନିର୍ଣ୍ଣୟେ

ଚାରି ଯୁଗେ ଆଦ୍ୟଅନ୍ତ ପାଇ ନୋହେ

ନୁହଇ କବିତ ଅଦ୍ଭୁତରେ ଯୁକ୍ତ

ଅଚଳ ଶକତି କେ ବର୍ଣ୍ଣିପାରୁ । ୩ ।

ସ୍ୱାମୀ ବୋଲିବାର ଯେବଣ ବିଭୂତି

ଛପନା କୋଟିର ଅଟନ୍ତି ସେ ପତି ।

ସେ ଜଗତନାଥ ସମସ୍ତଙ୍କ ହିତ

ଅବତାର ହୋନ୍ତି ଅଣରୂପରୂ । ୪ ।

ଗୁରୁ ବୋଲିବାର ଯେବଣ ଅରଥ

ଗ୍ୟାନବୁଦ୍ଧି ହେତୁ ଦେବାକୁ ସମର୍ଥ

ଘେନି ସେବାଭକ୍ତି ଦ୍ୟନ୍ତି ସଦଗତି

ତାରଣ କରନ୍ତି ଭଗସାଗରୁ । ୫ ।

କର୍ତ୍ତା ବୋଲିବାର ଯେଉଁ ରୀତିମତ

ପିଣ୍ଡ ବ୍ରହ୍ମାଣ୍ଡକୁ କରିଛନ୍ତି ଜାତି ।

ଭଣେ ଭୀମକନ୍ଧ ମନରେ ଆନନ୍ଦ

ସର୍ଜନା କଳ୍ପଣା ଶୂନ୍ୟ ମନ୍ଦିରୁ । ୬ ।

 

( ୧୩୨ )

ପରମବ୍ରହ୍ମ ସତ୍ୟାଦି ଧର୍ମ୍ମ ଭଗତି ଭାବକୁ ବହନ୍ତି ନାମ । ଘୋଷା ।

ଯେ ଆଦିଅନାଦି ବୋଲିବା ବିଧାନ

ଏ ଦୁଇ ଶବଦ ନାହିଁ ପ୍ରତି ଭିନ୍ନ

ଏକ ଅଙ୍ଗ ସେହି ଖଣ୍ଡ ଖଣ୍ଡ ନୋହି ବିଚାରି ବୁଝିଲେ ଏକତ୍ୱ ସମ । ୧ ।

ଅଶେଷ ବ୍ରହ୍ମଙ୍କୁ କେ ବୋଲିବ ଅଶେଷ

ନୁହନ୍ତି ସ୍ତିରୀ ଯେ ନୁହନ୍ତି ପୁରୁଷ

ସେ ନିଗମ ବେଦ କେ କରିବ ଭେଦ ନରତନୁ ବହି କାହାର କ୍ଷମ ।

ଏକାକ୍ଷର ବ୍ରହ୍ମ ଗ୍ୟାନମତବାଣୀ

ଅଧାଧୁନ୍ଦ ନୋହ ସାଧୁ ସନ୍ଥ ପ୍ରାଣୀ ।

ଏକବର୍ଣ୍ଣ ଶୁକ୍ଳାମ୍ବର ନିରାଧାର ଅଧେ ମାଈ ତହିଁ ଅଧେକ ଅଣ୍ଡୀର

ବାରି ନୁହେ ତହିଁ ଡାହାଣ ବାମ । ୩ ।

ଅଲେଖ ମହିଁମା ପଦ ନିରୂପଣ

ଖଡ଼ି ଘେନି ହସ୍ତେ ଗାର କାଟି ଗଣ

ଛଡ଼କ୍ଷର ଯାକ ଏକାକ୍ଷରେ ଯୋଗ ଭଜିବାର ତେବେ ସୁଫଳ କାମ

ଚିହ୍ନାଇ କହୁଛି ଭଲ କରି ଚିହ୍ନ

ମହିଁମା ନାମଟି ଅନନ୍ତ ଭୁବନ

କୋଟି କୋଟି ଜାତ କୋଟି କୋଟି ହତ ପ୍ରଳୟ ଶବଦେ ଅଟନ୍ତି ଯମ

ନିଶବଦପୁର ଅମନ ମନ୍ଦିର

ପେଲି ପଶିବାକୁ ଶକ୍ଷ୍ୟ ନାହିଁ ଆର

ଭଣେ ଭୀମକନ୍ଧ କବିକୁଳଚାନ୍ଦ ମୋଠାରୁ ସଂସାରେ ନାହିଁ ଅଧମ ।୬।

 

( ୧୩୩ )

କରବିଚାର ସୁଗ୍ୟାନୀ ନର ବ୍ରହ୍ମଠାରୁ ଆଉ ନାହିଁନା ସାର । ଘୋଷା ।

ମହାବ୍ରହ୍ମ ବୋଲି ବାରମତ ରୀତି ।

ନିର୍ମ୍ମାୟା ପ୍ରଭୁ ସେ ନ ଭେଦେ ପ୍ରକୃତି

ଆପଣା ମାୟାକୁ ଆପେ ଅଛି ଜିଣି

ତେଣୁ ତା ପକ୍ଷିରେ ନ ଲାଗଇ ପାଣି

ଭିଆଣ କରିଛି ଭବସାଗର । ୧ ।

ଅବଧୂତ ବୋଲିବାର ବାକ୍ୟ ପ୍ରତି

ଅଦ୍ଭୁତରୁ ଯେଣୁ ଉଦିତ ହୁଅନ୍ତି

ପାପଭାରା ହେଲା ନବଦ୍ୱୀପା ପୃଥୀ

ଅତିଥରୂପରେ ଭ୍ରମି ସଂସାର । ୨ ।

ସର୍ବ ଅଭ୍ୟାଗତ ବୋଲିବା ଚରିତ

ପୃଥ୍ୱୀ ପ୍ରାୟେ ସହେ ଅଣହିଁସା ମତ

ଜୀବ ପରେ ଦୟା ନାମରେ ଶରଣ

ସଦଗୁରୁ ସେବାକରେ ପ୍ରତିଦିନ

ପିଣ୍ଡ ବ୍ରହ୍ମାଣ୍ଡରେ ନାହିଁ ବିକାର । ୩ ।

ସଦଗ୍ୟାନ ବୋଲି ଯାହାକୁଟି କହି

ସମୁଦ୍ର ପରାୟେ ବୁଦ୍ଧି ଥୀର ହୋଇ

ଆକାଶ ପରାୟେ ବିଚାର ବିବେକ

କପଟ ନ ରଖି ନ କରଇ କୋପ

ଧୀରାନ୍ତ ପଣକୁ ଅଟେ ଗଭୀର । ୪ ।

ସତ୍ୟଧର୍ମ ବୋଲିବାର ଯଉଁ ନାମ

ବ୍ରହ୍ମ ଶକ୍ତିରୁ ହୁଅଇ ଜନମ

ନୋହେ ମିଥ୍ୟାପଦ ସାକ୍ଷାତେ ସେ ପାଦ

ସେବା ଭଗତିରେ ଚେତା ସୁମର । ୫ ।

ତତ୍ତ୍ୱପଦ ବୋଲିବାର ଯେ ବଚନ

ପଞ୍ଚଭୂତ ମନୁ ହୁଏ ଉଦ୍ଦୀପନ

କର ଦୃଢ଼ବ୍ରତ ସୁଗ୍ୟାନ ପଣ୍ଡିତ

ଗୁରୁପାଦପଦ୍ମେ ରଖ ନେଇ ଚିତ୍ତ

ଭଣେ ଭୀମଭୋଇ ହୀନ ପାମର । ୬ ।

୧୩୩-୨୩- ବ୍ରହ୍ମଶକତି

 

( ୧୩୪ )

ପରମେଶ୍ୱର ଏହିଟି ସବୁ ତାଙ୍କ ବିନୁ ନାହିଁ ଦ୍ୱିତୀୟ ପ୍ରଭୁ । ଘୋଷା ।

ମେରୁ ମନ୍ଦରକୁ ଚାହିଁ ଆଗ୍ୟାଁ ଦେଲେ

ନବଖଣ୍ଡ ମହୀ ଧରିଥା ବୋଇଲେ

ଆମ୍ଭ ଆଗ୍ୟାଁ ଘେନି ପ୍ରତିପାଳ ହୁଅ

ଧରଣୀକି ଶିର ପରେ ବହିଥାଅ

ନିସତ ହୋଇଲେ ଦ୍ରୋହ ପାଇବୁ । ୧ ।

ଜଳ ସାଗରକୁ ଆଗ୍ୟାଁ ଦେଲେ ଚାହିଁ

ପୂରିଥିବୁ କୂଳ ଲଙ୍ଘବୁ ତୁ ନାହିଁ

କହୁଅଛି ତୋତେ ହେତୁ କରି ଚିତ୍ତେ

ଛପନା କୋଟିକୁ ଅଣ୍ଟିଥିବୁ ନିତ୍ୟେ

ଆଗ୍ୟାଁ ନ ମାନିଲେ ଅପ୍ରାଧୀ ହେବୁ । ୨ ।

ପବନକୁ ହକରାଇ ଆଗ୍ୟାଁ ଦେଲେ

ପିଣ୍ଡ ବ୍ରହ୍ମାଣ୍ଡରେ ବୁଲୁଥା ବୋଇଲେ

ଦେଉଥିବୁ ସୁଖ ନୋହିବୁ ବିମୁଖ

ଯେମନ୍ତ ପ୍ରକାରେ ନ ପାଇବେ ଦୁଖ

ଦେଉଥିବୁ ସୁଖ ନୋହିବୁ ବିମୁଖ

ଯେମନ୍ତ ପ୍ରକାରେ ନ ପାଇବେ ଦୁଖ

ଚଳିବାର ତୁ ହୋ ହେଳା ନୋହିବୁ । ୩ ।

ଅନଳକୁ ଆଗ୍ୟାଁ ଦେଲେ ପ୍ରତିବାକ୍ୟ

ପିଣ୍ଡ ବ୍ରହ୍ମାଣ୍ଡରେ କରୁ ଥାଅ ପାକ

ଆଗ୍ୟାଁ ମାନିଥିବୁ ଅବଗ୍ୟାଁ ନୋହିବୁ

ଘରଷଣ କାଳେ ବାହାର ହୋଇବୁ

ବଚନ ଏଡ଼ିଲେ ଦୋଷୀ ହୋଇବୁ । ୪ ।

ଚନ୍ଦ୍ର ସୂର୍ଯ୍ୟଙ୍କୁ ଯେ ଆଗ୍ୟାଁ ଦେଲେ ଜାଣ

ଉଦେ ଅସ୍ତ ତୁମ୍ଭେ ହୁଅ ପ୍ରତିଦିନ

ଆଗ୍ୟାଁ ବହିଥିବ ଆକାଶରେ ଯିବ

ଦିବସ ରଜନୀ ବାରିଣ ପଡ଼ିବ

ତିଆରି ତୁମ୍ଭଙ୍କୁ କହୁଛି ବାବୁ । ୫ ।

ସେ ଆଦ୍ୟ ଅନନ୍ତ ପରମ ଅଲେଖ

ଯହିଁ ନିରୂପିଲେ ତହିଁ ଛନ୍ତି ଦେଖ

ବ୍ରହ୍ମମୟେ ଭୂତ ତ୍ରିପୁର ଜଗତ

ଭେଦାଭେଦ କରି ବୁଝି ସାଧୁସନ୍ଥ

ଭଣେ ଭୀମ କନ୍ଧ ମୁରୁଖ କାବୁ । ୬ ।

 

( ୧୩୫ )

ଶୂନ୍ୟ ଅଣରୂପ ନିର୍ବେଦ ହେ

ବର୍ଣ୍ଣଚିହ୍ନ ନାହିଁ ତହିଁ ସମ୍ପାଦ ହେ । ଘୋଷା ।

ଅଣାକ୍ଷର ବ୍ରହ୍ମ ସେହି            ମାତ୍ରାକ୍ଷର ନ ବସଇ

ଅକ୍ଷୟ ଅଖଣ୍ଡ ଦେହୀ ନଶବ୍ଦ ହେ । ୧ ।

ଅମନମନ୍ଦିରେ ବାସ            ଭ୍ରମଣ କରେ ଆକାଶ

ନାହିଁ ତା ରାତ୍ର ଦିବସ ଉଇଁଅଛି ଚାନ୍ଦ ହେ । ୨।

ପଡ଼ୁଛି ତାର କିରଣ            ଛପନା କୋଟିରେ ଜାଣ

ସକଳ ଘଟରେ ସମ ପୂରିଛି ବିଭେଦ ହେ । ୩ ।

ଅତି ଅଗୋଚର ପନ୍ଥା            ନିଗମ ବ୍ରହ୍ମ ଦେବତା

କେ କଳିପାରୁ ମହିଁମା ସାଗର ଅଗାଧ ହେ । ୪ ।

ସେହି ଏକା ବଡ଼ ପ୍ରଭୁ            ଆଉ ଯେତେ ମିଥ୍ୟା ସବୁ

ରଜ ବୀଜ ନ ଅଟଇ ନିଷ୍କାମ ନିର୍ବେଦ ହେ । ୫ ।

ନୁହଇ ସ୍ତିରୀ ପୁରୁଷ                  ଥୟ ମୁଁ କରିବି କିସ

ଭଣେ ଭୀମ ହୀନ ଭକ୍ତ ନ ପାଇଲା ଆଦ୍ୟ ହେ । ୬ ।

 

(୧୩୬ )

କେ ପାରିବ କରି ଦର୍ଶନ ହେ,

ଏକବ୍ରହ୍ମ ଦୁତି ନାହିଁ ନ କହେ ବଚନ ହେ । ଘୋଷା ।

ନୁହଇ ଜନମ ଯୋନି            ନାହିଁ ତାର ପାଦ ପାଣି

ମୂରତି ନୁହନ୍ତି ସେହି କି ହେବେ ପ୍ରସନ୍ନ ହେ । ୧ ।

ନାହିଁ ତା ଉଦର କଟି            ନିଦା ବ୍ରହ୍ମ ଲିଙ୍ଗ ଗୋଟି

ଅନାମୁଁ ହୋଇଛି ଜାତ ବ୍ରହ୍ମାଣ୍ଡ ରଞ୍ଚନ ହେ । ୨ ।

ନାହିଁ ତା ଶ୍ରବଣ ଆକ୍ଷି            ଅଟେ ସମସ୍ତଙ୍କ ସାକ୍ଷି

ଭଗତ ଗୁହାରି କର୍ଣ୍ଣେ ଶୁଣନ୍ତି ବଚନ ହେ । ୩ ।

ସର୍ବଭୂତେ ପୁରିଛନ୍ତି            ରୂପରେଖ ନ ଦିଶନ୍ତି

ବ୍ରହ୍ମକୁ ନ ଲାଗେ ମାୟା ଅଙ୍ଗରେ ବନ୍ଧନ ହେ । ୪ ।

ସେହି ସତ୍ୟଧର୍ମ ସାର            କରୁଅଛନ୍ତି ଉଦ୍ଧାର

ବେଳହୁଁ ହୋଇଛି ଶୂନ୍ୟ ନିଶ୍ଚିନ୍ତେ ଗୋପ୍ୟାନ ହେ । ୫ ।

ସେ ପ୍ରଭୁଙ୍କୁ ଧ୍ୟାନ ଦେଇ            ଭଣେ ଭୀମ ହୀନ ଭୋଇ

ଭରସା ନୋହିଲା ଚିତ୍ତେ ହୋଇଲି ମଉନ ହେ । ୬ ।

 

( ୧୩୭ )

କିଛି ନ ଦିଶନ୍ତି ଚାହିଁଲେ ହେ ।

କଦାଚିତେ ନ ପଡ଼େ ଧଇଲେ ହେ । ଘୋଷା ।

ମହାଶୂନ୍ୟ ଶୂନ୍ୟମଏ,            କେ କାହିଁ କରିବ ଥୟେ

ଛଡ଼ାଇ ସକଳଠାରୁ ହୋଇଛି ପହିଲେ ହେ । ୧ ।

ସକଳ ଆତ୍ମାରୁ ସାର,            ସେ ଅନାଦି ପର୍ମେଶ୍ୱର,

କେ କରି ପାରିବ ଭେଦ ଅଧିକ କହିଲେ ହେ । ୨ ।

ପୂର୍ବରୁ ନାମ ନ ଜାଣି,            କିସ ମୁଁ ପାରିବି ବର୍ଣ୍ଣି

ଅକ୍ଷର ନ ବସେ ତାଙ୍କ କରୁଣା ନୋହିଲେ ହେ । ୩ ।

ଲୋଡ଼ୁଅଛି ତିନିପୁରେ,            ଭ୍ରମି ଅଶେଷ ସଂସାରେ

ଯାହା ମୋ ବିଚାର ଚିତ୍ତେ ଠିକରେ କହିଲେ ହେ । ୪ ।

ଅରୂପ ବ୍ରହ୍ମ ମହିଁମା,            କେ କଳିବ ଗୁଣ ସୀମା

ଭରସା ନୋହିଲା ମୋର ପଦରେ ଲିହିଲେ ହେ । ୫ ।

ଭଣେ ଭୀମ ଅରକ୍ଷିତ,            ଶୂନ୍ୟକୁ କରି ଆଶ୍ରିତ

ପଦ୍ମ ପାଦରେ ଦର୍ଶନ କରନ୍ତି ପାଇଲେ ହେ । ୬ ।

 

( ୧୩୮ )

ଆତଙ୍ଗରେ ଡାକ ପ୍ରଭୁଙ୍କୁ ହେ ।

ଦିବା ନିଶି ଏକ କରି ସତ୍ୟାଦି ଧର୍ମକୁ ହେ । ଘୋଷା ।

ଅମନ ବ୍ରହ୍ମ ପୁରୁଷ            ରୂପି ପାରିଲେ ବିଶ୍ୱାସ

ଭଗତିରେ ହେବେ ବଶ ତିଜେଲେ କର୍ମକୁ ହେ । ୧ ।

ସତ୍ୟାଦିରେ ହେଲେ ଯୁକ୍ତ,            ଗମି ପାରିବ ସେ ପଥ

ନ ପାଏ ଭରସା ଆଶା ଉଠିଲେ ଶୂନ୍ୟକୁ ହେ । ୨ ।

ନିଷ୍କାମରେ ଅନୁସର;            ଅଦୃଶ୍ୟ ପଥ ସେ ପୁର

ପିଣ୍ଡ ପ୍ରାଣ ଦିଅ ଦାନ ସମର୍ପି ବ୍ରହ୍ମକୁ ହେ । ୩ ।

ବହୁତ କଲେ କଷଣ            ତେବେ ମିଳୁଛି ଦର୍ଶନ

ଅନୁଭବେ ସାଧୁସଙ୍ଗେ ରଖିଲେ ମନକୁ ହେ । ୪ ।

ସଦଗୁରୁ ସେବା ଖଟ            ମନକୁ ନ କର ମୋଟ

ଦେଖିବ ଅଲେଖ ପ୍ରଭା ପାଇବ ଗ୍ୟାନକୁ ହେ । ୫ ।

ଭଣେ ଭୀମ ହୀନ କନ୍ଧ            ଅନେକ ପ୍ରକାରେ ଫାନ୍ଦ

ପକାଇ ଧରିବା ବୋଲି ବିଚାର ମନକୁ ହେ । ୬ ।

 

(୧୩୯ )

କର ସାଧୁସଙ୍ଗ, ନିଶ୍ଚେ ପରାପତ ହେବ ବ୍ରହ୍ମଅଙ୍ଗ । ଘୋଷା ।

ସଂସାର ସାଗର ପ୍ରିୟଜନେ,            ସୁଖଭୋଗ ନ ବାଞ୍ଛିବ ମନେ

ମାୟା ଘର ଦ୍ୱାର ଆଶରା ନ କରି ଯେସନେ ପସରା ଢାଉରଙ୍ଗ । ୧ ।

ଚାରି ଦିବସକୁ ଥାଅ ଟାକି,      କଳିଯୁଗ ରହିଲାଣି ବାକି,

ଦୀକ୍ଷାକୁ ନ ଲେଖି, ବାନାକୁ ନ ଦେଖି, ସଦଗ୍ୟାନ କରୁଛନ୍ତି ଭଙ୍ଗା । ୨ ।

ନିନ୍ଦାକଲେ ଯୁଗ ଯିବ କ୍ଷୟେ,            ତହିଁକି ନ କର କିଛି ଭୟେ,

ଯେସନେ ପାଷାଣ, କରି ପଞ୍ଚମନ ଦେଖିବା ଶୁଣିବା ଦୂରେ ଫିଙ୍ଗ । ୩ ।

ସଂସାର ମତରେ ନୁହ ବାଇ,            ସବୁ କଥା ଥାଅ ଦେହେ ସହି,

ଏ ଜଗତ ଲୋକ, ସର୍ବେ ଅବିବେକ, ବିଘ୍ନ କରୁଛନ୍ତି ଯେହ୍ନେ ସିଂଘ । ୪ ।

ମାୟା ମୋହେ ପଡ଼ିଛନ୍ତି ବନ୍ଦୀ,            ନିଜ ନାମ ଦେଉଛନ୍ତି ଫିଙ୍ଗି,

ଆପେ ନିନ୍ଦାକରି ଆପେ ଯିବେ ମରି ଦେଖିବ ହୋଇବ କିସ ଢଙ୍ଗା । ୫ ।

ଶ୍ରୀଗୁରୁ ବଚନ ହୃଦେ ରଟି,            ଏତେବେଳେ କର ସାଧୁ ଗୋଷ୍ଠି,

କହେ ଭୀମଭୋଇ ନ ଛୁଇଁବ ଯମ ଧରିଥାଅ ନାମ ଆଗମଙ୍ଗ । ୬ ।

 

( ୧୪୦ )

ଭଜ ନିରିବେଦ, ଏହି ଶରୀରୁ ସୁଗ୍ୟାନ ହେବ ଉଦେ । ଘୋଷା ।

ଦୁର୍ଲ୍ଲଭ ଶରୀର ଗୋଟା ପିଣ୍ଡ,            କିମ୍ପାଇଁ କରୁଛ ଖଣ୍ଡ ଖଣ୍ଡ,

ବୁଡ଼ିଗଲେ ଚେତା, ସର୍ବ ହେବ ବୃଥା, ଚିହ୍ନି ଧର ଧର ଏକପାଦେ । ୧ ।

ଅଲେଖ ପୁରୁଷ ବିଜେ କରି,            ରୂପ ରେଖ ନାହିଁ ତାହାଙ୍କରି,

ସେହି ସେ କରତା, କର୍ମ ଦେବ ସ୍ୱାମୀ, ଭୁଲାଇ ମାରୁଛି ମାୟା ମୋହେ । ୨ ।

ପଚିଶ ପ୍ରକୃତି କରି ବାଣ୍ଟ,            ଏମାନେ କରନ୍ତି ନଟ କୂଟ,

ସ୍ୱକାମରେ ଜୀବ, ମାୟାରେ ସଂଯୋଗ, ବୁଡ଼ି ରହିଅଛି ଫଳସ୍ୱାଦେ । ୩ ।

ଏ ଦେହ ଛାଡ଼ିଲେ ଜନ୍ମ କାହିଁ,            ଯେବେ ଜନ୍ମ ହେବୁ ହେତୁ ନାହିଁ,

ମନେ ମନେ ଭାଳି, ଗଲେ ଆଜି କାଲି, ପଡ଼ିଯିବୁ କୁମ୍ଭୀ ନର୍କ ମଧ୍ୟେ । ୪ ।

ଦାରା ସୁତ ବିତ୍ତ ବନ୍ଧୁ ବର୍ଗ,            କେହି କାହାକୁ ନ ନ୍ୟନ୍ତି ସ୍ୱର୍ଗ,

ଏମାନେ ବିଷୟା, ସର୍ବେ ମୋହ ମାୟା, ସଙ୍ଖୋଳି ଅଟନ୍ତି ବେନିପାଦେ । ୫ ।

ଅଭୟ ଚରଣ ଚିତ୍ତେ ଧ୍ୟାୟି,             ବୋଲେ ଅରକ୍ଷିତ ଭୀମଭୋଇ,

ତେଜି ପିଣ୍ଡ ପ୍ରାଣ, ନାମ ବ୍ରହ୍ମେ ଲୀନ, ନବ୍‌ଧା ଭକ୍ତିଭାବ ଗଦଗଦେ । ୬ ।

 

(୧୪୧ )

ଚିହ୍ନ ସ୍ୱଦେହରେ, ଚିତ୍ତ ଲଗାଅ ଅନାମ ଅଦେହରେ । ଘୋଷା ।

ଜପ ତପ ମନ୍ତ୍ର ଯନ୍ତ୍ରେ ନାହିଁ,       ବେଦ ବିଦ୍ୟା ଭେଦ ନ ଲାଗଇ,

ଦାନ ଧ୍ୟାନ ଗ୍ୟାମ, ତୀର୍ଥ ବ୍ରତ ପୁଣ୍ୟ, ଫିଙ୍ଗି ଦେଇଛନ୍ତି ଦୂରାନ୍ତରେ । ୧ ।

ଧରତି ଆକାଶ ନ ଲାଗଇ,            ମହାଶୂନ୍ୟ ଶୂନ୍ୟେ ଶୂନ୍ୟେଦେହୀ,

ଆପ ତେଜ ବାଇ, ଛାୟା ନ ଲାଗଇ, ଧର ଏକ ପାଦ ନିର୍ମାୟାରେ । ୨ ।

ଚାହିଁ କହିବା ବହିବା ଠାରେ,       ନ ଥାଇଟି ଶାସ୍ତ୍ର ଥର ଥରେ,

ପଣ୍ଡିତ ପାଣ୍ଡିତ୍ୟ, ସର୍ବ ଏ ଖଣ୍ଡିତ, ଲୋଡ଼ ଯାଇଁ ରୂପ ବାହାରରେ । ୩ ।

ଅନୁସରି ଥିଲେ ଲଏ କରି,            ନିଷ୍କାମ ନିର୍ମୋହ ଚିତ୍ତେ ଧରି,

ଆଶା ମାତ୍ର ଥିବ, ବାଞ୍ଛାହିଁ ନୋହିବ, ତରି ଯିବ ଗୁରୁ ସୁଦୟାରେ । ୪ ।

ସ୍ୱଦେହରେ ନାହିଁ କଲେ ଠାବ,       ଅଦେହରେ ଆଉ କି ପାଇବ,

ବେଳ ଥାଉଁ ଠାବ, କରି ଯେବେ ଥିବ, ବସିବ ଅଭୟ ମଣ୍ଡଳରେ । ୫ ।

ନାହିଁ ସେବା ଭକ୍ତି ଭାବନାରେ,            ଶୁଣୁଛି ଦେଖୁଛି ସର୍ବଠାରେ,

ଗୁରୁପାଦ ଧ୍ୟାଇ, ଭଣେ ଭୀମଭୋଇ, ଅଲେଖ ସ୍ୱାମୀଙ୍କ କରୁଣାରେ । ୬ ।

 

( ୧୪୨ )

ଆରେ ମୂର୍ଖ ବାଇ, ମାନି ସେବା କଲେ ସିନା ଗ୍ୟାନ ପାଇ । ଘୋଷା ॥

କୋଟି ବ୍ରହ୍ମା ବିଷ୍ଣୁ ଶିବ ଗଲେ       ଆପ ବଡ଼ିମାରେ ନ ପାଇଲେ

ଭାବେ ଭୋଳେ ପଡ଼ି            ଭବେ ଗଲେ ବୁଡ଼ି

ବ୍ରହ୍ମେ କେହି ଲୀନ ହୋଇ ନାହିଁ ରେ । ୧ ।

ନାମେ ଆତଯାତ ଜୀବ ଜନ୍ତୁ       ସଦଗୁରୁ ପାଦେ ନାହିଁ ହେତୁ

ଅନେକ ସାଧିଲେ                  ଅନ୍ତ ନ ପାଇଲେ

ବାହାରି ଗଲେଣି ଦେହ ବହି । ୨ ।

ଲକ୍ଷେ କଳ୍ପ ଗଣ୍ଡା ଯୁଗ ତେଣୁ       କୋଟି କୋଟି କଳ୍ପାନ୍ତର ମନୁ

କେହୁଣି ଯୁଗରେ                  ନ ପାଇ ଠାବରେ

ବ୍ରହ୍ମ ଆସ୍ତାନକୁ କେ ନ ପାଇ । ୩ ।

ମନକୁ କରି ପାରିଲେ ସରୁ            ତେବେ ଭେଟ ହେବେ ସଦଗୁରୁ

କବାଟ ଅର୍ଗଳି                  ଶିଶୁ ରନ୍ଧ୍ରେ ଚଳି

ବିଚାରିଲେ ନିକଟରେ ଥାଇ । ୪ ।

ମାଂସ ଫୁଟେ ଏ ଦେହରେ ଅଛି      ବଜ୍ରହୁଁ କଠିଣ ବୋଲାଉଛି

ଜଳ ପବନରେ            ଭେଦାଭେଦ ନାହିଁ

ନିଗମ ଭୁବନ ବୋଲି କହି । ୫ ।

ଭଣେ ଭୀମ ଅରକ୍ଷିତ କନ୍ଧ       ସେଠାକୁ ସୁଗ୍ୟାନୀ ଜନେ ଭେଦ

ବାହ୍ୟରେ ଖୋଜିଲେ            କେବେ ନାହିଁ ମିଳେ

ଘଟ ଭେଦନ୍ତରେ ଭେଟପାଇ । ୬ ।

 

( ୧୪୩ )

ବିଜେ ମହିମା ହେ ଏ ମହୀମଣ୍ଡଳେ

ରୂପ ରେଖ ନାହିଁ ତାଙ୍କୁ ଦେଖ ଚର୍ମ ଡୋଳେ । ଘୋଷା ।

ଚାରି ଯୁଗେ ଦେଖ ନ ମଉଳି ରୂପ

ତରିବା ଯେମନ୍ତେ ଆସ ଭଜିବା ସକଳେ । ୧ ।

ଜମ୍ବୁ ଦ୍ୱୀପ ମଧ୍ୟେ ଏକାକ୍ଷର ପାଦେ

ସତ୍ୟାଦି ସାଗର ବାନା ବିଖ୍ୟାତ ନିରୋଳେ ।୨।

ରକ୍ଷାର ନିମନ୍ତେ ଭଗତଙ୍କ ହିତେ

ଭାସିଯିବେ ବୋଲି ଧ୍ୟାଇ ଅଛନ୍ତି ଆକୁଳେ । ୩ ।

ସେହି ଏକା ଯୋଗୀ ନିଷ୍କାମୀ ନିରୋଗୀ

ନିଜ ଅଙ୍ଗ ରଖିଛନ୍ତି ଅସାଧନା ତୁଳେ । ୪ ।

ବକଳ ଭୂଷଣ ଭୂମିରେ ଆସନ

ଭୋଗନ କରୁଅଛନ୍ତି ସୁବର୍ଣ୍ଣର ଥାଳେ । ୫ ।

ନିଷ୍କାମକୁ ଧରି ଆଗ୍ୟାଁ ଅନୁସରି

ଭଣେ ଭୀମ ଅରକ୍ଷିତ ଗୁରୁ ପାଦ ତଳେ । ୬ ।

 

( ୧୪୪ )

ସ୍ୱାମୀ ବୁଝିବେ ହେ ଆତଙ୍ଗେ ଡାକିଲେ ।

ଉଦେ ଅସ୍ତ ଦରଶନ ଧର୍ମକୁ ପାଳିଲେ । ଘୋଷା ।

ଅମୂଲ ରତନ,            ବାନ୍ଧିଥା ଯତନ

ହସ୍ତରୁ ଖସିବ ଧର ଧର ଏତେବେଳେ । ୧ ।

ଫିଟିଛି କବାଟ,            କରିଆସ ହାଟ,

ବଜାର ବସିଛି କିଣ ଯାହା ଇଛା ଥିଲେ । ୨ ।

ବାଛି ବାଛି ନିଅ,            ଭଣ୍ଡାରରେ ଥୁଅ,

ହେଳା କଲେ ଭେଳା ବୁଡ଼ି ଭାସ ଯିବ ଜଳେ । ୩ ।

ଧରିଥା ସମ୍ଭାଳି,            ନିତ୍ୟେ ପ୍ରତିପାଳି,

ତିମିର ଫିଟିବ ପ୍ରଭୁ ପ୍ରସନ୍ନ ହୋଇଲେ । ୪ ।

ପଡ଼ୁଅଛି କୂଟ,            ହୋଇ ନାନା ବାଟ,

ରଙ୍ଗ ପସରାରେ ବୁଡ଼ି ନ ମରାନା ଭୋଳେ । ୫ ।

ଚାହିଁ ଦୟାଥିବ,            ସ୍ୱାମୀ ଗୁରୁଦେବ,

ଭୀମଭୋଇ ଅଛି ସୁର ଅସୁରଙ୍କ ମେଳେ । ୬ ।

 

( ୧୪୫ )

କ୍ଷୀନ ରୂପରେ ହେ,            ଏ କଳିଯୁଗରେ

ଦୁଖ ସୁଖ ସହି ସ୍ୱାମୀ ବିଜୟେ ସଂସାରେ । ଘୋଷା ।

ଫିଟାଇ ଧର୍ମକୁ,            ସାତୁକ୍ୟ କର୍ମକୁ

ଆଗ୍ୟାଁକୁ ବିସ୍ତାର କରି ଅଛନ୍ତି ସଂସାରେ । ୧ ।

କାଷ୍ଠ ଖଣ୍ଡ ତିନି,            ସମାଧିରୁ ଆଣି,

ଛାଡ଼ି ଆସିଛନ୍ତି ଖଣ୍ଡେ ଅଭୟ ପୁରରେ । ୨ ।

ଦେଲେ ଘୃତ ବୁନ୍ଦେ,            ଅଗ୍ନି ରୂପେ ଉଦେ,

ରହି ନୁହଇ ପାରୁଶେ ସେ ବ୍ରହ୍ମର ତେଜରେ । ୩ ।

ଅବନା ଭିତରେ,            ଥିଲେ ଗୁପତରେ,

ଗ୍ୟାନକୁ ବିସ୍ତାର କରି ଅଛନ୍ତି ସଂସାରେ । ୪ ।

ଅଛି ଯେବେ ପୁଣ୍ୟ,            ବଚନକୁ ମାନ,

ଭାଗ୍ୟଥିଲେ ଦରଶନେ ମୋକ୍ଷ ହୁଅ ନରେ । ୫ ।

ମୁଁ ପାପୀ କୁସଙ୍ଗୀ,            ଦେଇଛନ୍ତି ଫିଙ୍ଗି,

ଭୀମ ଅରକ୍ଷିତ ଧ୍ୟାନ କରୁଛି ପୟରେ । ୬ ।

 

( ୧୪୬ )

ନାମ ଦୁଆରୀ ହେ ଶୁଣ ସୁପଣ୍ଡିତା ।

ନିଜ ଅଙ୍ଗ ଧରି ସ୍ୱାମୀ କହୁଛନ୍ତି କଥା । ଘୋଷା ।

ନ କରନା ମିଛ, ଲାଗିଥାଅ ପଛ,

ବୁଦ୍ଧ ଅବତାର ହୋଇଅଛନ୍ତି କରତା । ୧ ।

ବ୍ରହ୍ମଟି ମହିମା, ଗଞ୍ଜୁଛି ଗାରିମା,

ଅଲେଖ ଅଚ୍ୟୁତ ଅଖଣ୍ଡିତ ଗ୍ୟାନଦାତା । ୨ ।

ଅନୁମାନେ ବୁଝ, ଅନ୍ତର୍ଗତେ ଖୋଜ,

ଭେଦ ମାର୍ଗ ଧର ଦେହୁଁ ନ ବୁଡ଼ାଅ ଚେତା । ୩ ।

ରୂପର ଛଡ଼ାଅ, ଅରୂପେ ଜଡ଼ାଅ,

ଜନ୍ମରୁ ମରଣ ଯାଏ ଲାଗିଅଛି ଲତା । ୪ ।

ପଡ଼ୁଛି କଷଣ, କମ୍ପୁଛି ଆସନ,

ପରୀକ୍ଷ ଉଠିଲେ କାର ନ ରହିବ ପତା । ୫ ।

ବୋଲେ ଭୀମଭୋଇ, ଗୁରୁପାଦ ଧ୍ୟାୟି,

ସ୍ଥିତି ହେବାଯାଏ ପୃଥ୍ୱୀ ଲାଗିଅଛି ଚିନ୍ତା । ୬ ।

 

( ୧୪୭ )

ବ୍ରହ୍ମମୟେ ଜଗତ ମନରେ ଚେତା ।

ସେ ଅରୂପ ହରି ଥିଲେ ଦେହ ଧରି ତେଜ ହେଲେ ଗୁପତ । ଘୋଷା ।

ସେ ଅଲେଖଗୁରୁ ବିଜୟେ ଶୂନ୍ୟରୁ ନରଅଙ୍ଗେ ଉଦିତ ।

ବ୍ରହ୍ମଗ୍ୟାନ ଘେନି ବିଜୟେ ମେଦିନୀ ବ୍ରହ୍ମାଣ୍ଡରେ ବିଦିତ । ୧ ।

ସତ୍ୟଧର୍ମ ଖେଳା ମହାନିତ୍ୟ ଲୀଳା ଅନକୁଳ ଆଗତ ।

ନବଖଣ୍ଡ ମହୀ ଯାଇଛନ୍ତି ଥୋଇ ଦେଇଛନ୍ତି ସମସ୍ତ । ୨ ।

ମହିମା ନାମକୁ ଭଗତ ଜନଙ୍କୁ ବଢ଼ାଇଲେ ଦୀକ୍ଷାନ୍ତ ।

ତାଙ୍କ ଦାସୀ ଦାସ ଯତି ସତୀ ବେଶ କଳିଯୁଗେ ବିଖ୍ୟାତ । ୩ ।

ସେ ପ୍ରଭୁ ଅନାଦି ଘେନିଲେ ସମାଧି ଜଗତରେ ପୂରିତ ।

ଆତ୍ମା ସ୍ୱରୂପରେ ଭଗତ ସଙ୍ଗରେ ସର୍ବଘଟେ ବ୍ୟାପିତ । ୪ ।

ବୁଦ୍ଧ ରୂପ ଗୋଟି ନବଦ୍ୱୀପ ସୃଷ୍ଟି ଦେଖିଅଛି ସମସ୍ତ ।

ସେ ଅଲେଖ ପରା ପଡ଼ିଥିଲେ ଧରା ନ ଜାଣିଲ ତଦନ୍ତ । ୫ ।

ଆତ୍ମାରେ ଗୋଚର କର ସୁଗ୍ୟଁନର ପାଇବ ଆଦ୍ୟନ୍ତ ।

ଭଣେ ଭୀମ ହୀନ ପାମର ଅଗ୍ୟାନ ଗୁରୁଚରଣେ ଚିତ୍ତ । ୬ ।

 

( ୧୪୮ )

ଅଦେହୁଁ ଦେହେଁ ଅଛି ସେ ଯେ ନ ଦିଶୁଛି ।

ଆତ୍ମା ଭୂତପ୍ରାୟେ ଆବୋରିଛି କାଏ ସକଳଠାରେ ଅଛି । ଘୋଷା ।

ଘଟ ନିରୂପଣ କର ହେ ସୁଜନ ବ୍ରହ୍ମକୁ ଧର ବାଛି ।

ସର୍ବାଙ୍ଗ ଶରୀରେ ଭିତର ବାହାରେ ଭେଦ କଲେ ହେଉଛି । ୧ ।

ଆତ୍ମାରେ ନିମଜ୍ଜ ସୁଧାରସ ଭୁଞ୍ଜ ଆନେ ନୁହଇ କିଛି ।

ମନ ମଧ୍ୟେ ତତ୍ତ୍ୱୁ ଏବେ କର ହେତୁ ଗୁପତରେ ରହିଛି । ୨ ।

ପରମ ପଦକୁ ସୁମର ଆଦ୍ୟକୁ ଅର୍ଥରେ ଧର ଘିଞ୍ଚି ।

ଶୂନ୍ୟ ବୋଲିବାରୁ ସବୁ ବୋହିଗଲା ତୋଳି ନେଇ ଯାଉଛି । ୩ ।

 

୧୪୮-୭- ଧର ବାଛି ।

ସେ ବ୍ରହ୍ମ ପୁରୁଷ ଘଟେ ଘଟେ ବାସ ରୂପରେ ବିହରୁଛି ।

ପିଣ୍ଡ ପ୍ରାଣ ଗୁରୁ ଅଟନ୍ତି ଆଦ୍ୟରୁ ଗୁଣ ନୋହେ ମୁରୁଛି । ୪ ।

ଯହିଁ ତହିଁ ଦେଖ ମହିମା ଅଲେଖ ସର୍ବ ଭୂତେ ପୂରିଛି ।

ଗୁରୁ ନାମ ସାର ଦୃଢ଼ କରି ଧର ତେଣୁ ମୁଁ ବତାଉଛି । ୫ ।

ଭଣେ ଭୀମ ହୀନ ପାମର ଅଗ୍ୟାନ ଭବକୂପେ ପଡ଼ିଛି ।

ଅଲେଖ ପ୍ରଭୁଙ୍କୁ ଭଜି ଲଭିବାକୁ ଭାଗ୍ୟ ମୋ କାହିଁ କିଛି । ୬ ।

 

( ୧୪୯ )

ଆକାଶକୁ ନ ଯାଇ ପ୍ରଭୁ ଅଛନ୍ତି ରହି ।

ତନୁତ୍ୟାଗ କରି ଘଟେ ଘଟେ ପୂରି ଉଲଟି ଦେହ ବହି । ଘୋଷା ।

ହୃଦେ କରି ଦୃଢ଼ କର ତାଙ୍କୁ ଲୋଡ଼ ଏ ନବଦ୍ୱୀପା ମହୀ ।

ତିନିପୁରେ ଖୋଜ ବାହ୍ୟ ଅନ୍ତେ ବୁଝ ଶକତ ଅଛି ଯେହି । ୧ ।

ଶୂନ୍ୟ ହେଲେ ବୋଲି ନ ପାର ବୋବାଳି ମନେ ଅପ୍ରତେ ନ ହୋଇ

ଏ ପିଣ୍ଡ ବ୍ରହ୍ମାଣ୍ଡେ ବିରାଜି ଅଛନ୍ତି ଏବେ ମୁଁ ଦେଲି କହି । ୨ ।

ବଞ୍ଚୁଛନ୍ତି ଦିନ କଷୁଛନ୍ତି ମନ ମାୟା ଗୋଟି ଭିଆଇ ।

ଜଗତ ଭଗତ ଭାବ ବୁଝୁଛନ୍ତି ସତ୍ୟ ଧର୍ମ ଦିଆଇ । ୩ ।

କେହି ନ ଗଛନ୍ତି ସମସ୍ତେ ହସନ୍ତି ଯେବଣ ଠାରେ ଥାଇ ।

ଅଶେଷ ମହିମା ସେଠାରୁ ପ୍ରକାଶ ଚିହ୍ନି ପାରିଲେ ପାଇ । ୪ ।

ବ୍ରହ୍ମ ଯାକୁ କହି ମରଇ କି ସେହି ସର୍ବେ ହୋଇଛ ବାଇ ।

ଅଖଣ୍ଡ ବ୍ରହ୍ମକୁ ଖଣ୍ଡିତ ନ କର ଏକରୁ ନାହିଁ ଦୁଇ । ୫ ।

ଆଦ୍ୟ ବୃକ୍ଷ ମୂଳ ସୁମରି ସୁଫଳ ଅନୁସରିଛି ଧ୍ୟାୟି ।

ଭଣେ ଭୀମହୀନ ପାମର ଅଗ୍ୟାନ ଗୁରୁ ଛାମୁରେ କହି । ୬ ।

 

( ୧୫୦ )

ଶରୀରରେ ଧର ତାଙ୍କୁ ସେ ଅଲେଖଙ୍କୁ

କରତା ପୁରୁଷ ହୁଅନ୍ତି ମନୁଷ୍ୟ ଜଣା ନାହିଁ କାହାକୁ । ଘୋଷା ।

ଠୂଳ ରୂପ ଧରି ଇଛାରେ ବିହରି କରଇ ବ୍ରହ୍ମାଣ୍ଡକୁ

ଅଶେଷ ରଞ୍ଚନା ସଂସାର ଥାପନା ଥାଇ ଚାରି ଯୁଗକୁ । ୧ ।

ଧର୍ମ ମାନ ଦେଇ ଗ୍ୟାନରେ ମଜ୍ଜାଇ ନିସ୍ତାରେ ଭଗତକୁ

ନାମ କଳ୍ପତରୁ ଦୁବ ହୁଏ ଦାରୁ ଦୟା କରେ ଯାହାକୁ । ୨ ।

ସଦଗୁରୁ ଛାଡ଼ି ଅଗ୍ୟାନରେ ପଡ଼ି ଯାଉଛ ଦୂରାନ୍ତକୁ

ସାକ୍ଷ ଲକ୍ଷ୍ୟ କଥା ଅଲେଖ କରତା ନେତ୍ରରେ ଦେଖୁଁ ଦେଖୁଁ । ୩ ।

ସେ ବ୍ରହ୍ମ କଳପ ନ ମଣ ଅଳପ ଘୋଟିଛି ଅଶେଷକୁ

ମନୁଷ୍ୟ ବିଚାର ବୁଦ୍ଧି ନାହିଁ କର ଦ୍ରୋହ କୋଟି ଜନ୍ମକୁ । ୪ ।

କେ ଅଛ ଶକତ ବ୍ରହ୍ମାଣ୍ଡେ ଭଗତ ଲୋଡ଼ ଏବେ ପ୍ରଭୁଙ୍କୁ

ଶିରେ କର ଯୋଡ଼ି ପାଦ ତଳେ ପଡ଼ି କହୁଛି ସମସ୍ତଙ୍କୁ । ୫ ।

ନର ଦେହେ ଦେଖ ବିରାଜି ଅଲେଖ ଲଭି ସୁଖ ଶ୍ରମକୁ

Unknown

ଭଣେ ଭୀମଭୋଇ ଠାବ କର ଯାଇ ଶକତି ଭିତରକୁ । ୬ ।

 

( ୧୫୧ )

ଅନ୍ତର୍ଯ୍ୟମୀ ସେ କରତା ପିତା ମାତା

ଅନାଦି ଈଶ୍ୱର ଯେହୁ ଗୁରୁ ପଣେ ସାମରଥା । ଘୋଷା ।

ଉଦେ ଯେବେ ହୋନ୍ତି ସେହି ଏତିନି ଭୁବନ ମହୀ ହୁଅନ୍ତି ଚେତା

ନିର୍ବେଦ ଧର୍ମ୍ମ ତାଙ୍କର ନଥାଇ ମନେ ବିକାର ନ ଲାଗେ ଦେବୀ ଦେବତା

 

୧୫୦-୧୪- ଶକତି ଉପରକୁ ।

ସେ ଯେ ଅଣରୂପ ପ୍ରଭୁ ତାଙ୍କର ବଢ଼ନ୍ତା ସବୁ ବିହି ବିଧାତା

ଜଳ ସ୍ଥଳ ଅନଳରେ ଛପନା କୋଟି ଜୀବନରେ ଆତ୍ମାସ୍ୱରୂପେ ବସନ୍ତା

ନାହିଁ ତାଙ୍କ ପାଦ ପାଣି ସେ ପ୍ରଭୁ ବିଜେ ଧରଣୀ ନ ମଣ ମିଥ୍ୟା ।

ଅରୂପ ରୂପ ହୋଇଲେ ବୁଦ୍ଧଅଙ୍ଗେ ବିହରିଲେ ଉଚିତ ପ୍ରମାଣକଥା ॥

ନିଶ୍ଚୟେ ତାରିବେ ସେହି ବହିଛନ୍ତି ନରଦେହୀ ନ କର ଚିନ୍ତା

ମନେ ନ କରି ଅପ୍ରତେ ଆଶ୍ରେକର ଦୃଢ଼ ଚିତ୍ତେ ସେ ଅନାଦି ବ୍ରହ୍ମବେତ୍ତା

ସମସ୍ତେ ଆଗ୍ୟାଁରେ ହେଲେ ପାପ କର୍ମମାନ କଲେ ବୁଡ଼ାଇ ଶ୍ରୋତା

ବ୍ରହ୍ମକର୍ମ ନିରୂପଣ ବେଦମତ କର୍ମ୍ମ ମାନ ପଡ଼ିଯାଇଛନ୍ତି ପୋତା

ଶରଣ ପଶ ସମସ୍ତେ ଧ୍ୟାନଦିଅ ପାଦଗତେ ପୁତ୍ର ଦୁହିତା ।

ଭଣେ ଭୀମହୀନ ଭୋଇ ଜନ୍ମରୁ ଅଗ୍ୟାନ ମୁହିଁ ଗୁରୁଦେବ ଉଧାରନ୍ତା ॥

 

( ୧୫୨ )

ପ୍ରଭୁଙ୍କୁ ଡାକ ମୁଖରେ ନିରନ୍ତରେ

ବଞ୍ଚିବ ଯେବେ ସମସ୍ତେ ଏ ଘୋର କଳିଯୁଗରେ । ଘୋଷା ।

ସେ ଯେ ଅନାଦି ଅଲେଖ ହୋନ୍ତି କଳେବର ରୂପ ଭକ୍ତ ହିତରେ

ନିଶ୍ଚେ ମିଳିବ ଦର୍ଶନ ସେବା ଭକ୍ତି କର ପୁଣ୍ୟ ନିଷ୍କାମ ପ୍ରେମ ଭାବରେ

ଅଶେଷ ବ୍ରହ୍ମାଣ୍ଡ ଯାକ ଶୁଣାଇ ଦେଉଛି ଡାକ ହୁଅନ୍ତୁ ଚେତାରେ

ଛପ୍ନାକୋଟୀ ଜୀବଜନ୍ତୁ କର୍ଣ୍ଣେ ଶୁଣି କର ହେତୁ ଧ୍ୟାନକରି ଯେ ଯାହାରେ

କରଅଛି ଯେତେ ଦୋଷ ସର୍ବେ ଅନୁସରି ବସ ଧର୍ମ ନାବରେ

ଢାଙ୍କି ବସିଲାଣି କାଳ ଜାଗ୍ରତରେ ପ୍ରତିପାଳ ସତ୍ୟଧର୍ମ ଘରେ ଘରେ ॥

ନାମକୁ ମିଥ୍ୟା ମଣୁଛ ଇଛାରେ ଆପେ ନ ମୁଛ ମିଥ୍ୟାବାଦରେ

ଦୁର୍ଲ୍ଲଭ ଶରୀର ପାଇ ଅଗ୍ୟାନେ ଯାଉଛ ବହି ଏହି ସଂସାର ସାଗରେ ॥

ଜୀବ ଅଟଇ ଅଗ୍ୟାନ ଭାସୁଅଛି ଅନୁକ୍ଷଣ ଭବାର୍ଣ୍ଣବରେ

ମିଳିଛି ପରମ ପତି ଏତେବେଳେ କର ଭକ୍ତି ବୁଦ୍ଧରୂପ ଅବତାରେ । ୫ ।

ଭଣେ ଭୀମ ଅରକ୍ଷିତ ଦିବା ନିଶି ଦେଇ ଚିତ୍ତ ଗୁରୁ ପୟରେ

ଜନ୍ମ ଲଭିଅଛି ମଞ୍ଚେ ଗୁପରେ ବ୍ରହ୍ମାଣ୍ଡେ ଲୁଚେ ମିଥ୍ୟା ପାତକର ଡରେ

 

୧୫୨ - ୧୪ - ମିଥ୍ୟା ପାତକକୁ ଡରେ

( ୧୫୩ )

ବ୍ରହ୍ମାଣ୍ଡକୁ ବିଜୟେ ଯୁଗଶେଷକୁ

ପ୍ରବୁଦ୍ଧ ବୁଦ୍ଧ ସ୍ୱରୂପ କେହି ନାହିଁ ଜାଣିବାକୁ । ଘୋଷା ।

ଉଦେ ମହିମା ସାଗର ଦେବ ନରେ ଅଗୋଚର ନ ଜାଣିମାକୁ

ପ୍ରତକ୍ଷେ ମନୁଷ୍ୟରୂପୀ ଧନ୍ୟ ତୁମ୍ଭ ଚର୍ମ୍ମାଆକ୍ଷି ଦୃଶ ନୋହୁଛି କାହାକୁ

ଅନନ୍ତ ଶକତି ବହି ଗୋପ୍ୟାନରେ ଛନ୍ତି ରହି ଚାହିଁ ସବୁଙ୍କୁ

ନଜାଣି ହେଉଛ ବଣା ସମୟ ପଡ଼ିଲେ ସିନା ଛେଦିବେ ପାପଭାରାକୁ

ଅଣାକାର ବ୍ରହ୍ମ ଯେହି ଆଦି ଅବତାର ହୋଇ ବାହ୍ୟମର୍ତ୍ତ୍ୟକୁ

ରୂପ ଅରୂପ ସମାନ ନାହିଁ ତାଙ୍କ ବର୍ଣ୍ଣ ଚିହ୍ନ ଇଛା ବିହରେ ମନକୁ ॥

ଏହି ଧର୍ମ୍ମର ବୃତ୍ତାନ୍ତ ଦୀକ୍ଷା ହେଲେ ଅବଧୂତ ବହି ନାମକୁ

ସରିଲାଣି ସର୍ବସିଦ୍ଧି ଧୂପଦୀପ ପୂଜାବିଧି ପାଦେ ଅଛି ପରୀକ୍ଷକୁ । ୪ ।

ଏ କଳିଯୁଗ ପୁରୁଷ କରୁଛି ନାନା ଭବିଷ୍ୟ ଦିନ ଦିନକୁ ।

ସାଧୁ ସୁଗ୍ୟଁଜନେ ଭଜ ମାୟା ବିଷୟାକୁ ତେଜ ଲଭିବ ଶୂନ୍ୟ ପ୍ରଭୁଙ୍କୁ

ମୋର କିଛି ଦୋଷ ନାହିଁ କହୁଛି ସବୁ ବୁଝାଇ ତିନିପୁରକୁ

ବୋଲେ ଭୀମ ଅରକ୍ଷିତ ଶତେବାର ପ୍ରଳମ୍ବିତ ସୁମରି ସଦଗୁରୁଙ୍କୁ ॥

 

( ୧୫୪ )

ପରକାଶ, ଅଲେଖ ଶୂନ୍ୟ ପୁରୁଷ

ବ୍ରହ୍ମାଣ୍ଡ ରଖିବା ପାଇଁ ଧଇଲେ ବୈଷ୍ଣବ ବେଶ । ଘୋଷା ।

ଯାର ନାହିଁ ରୂପରେଖ ପ୍ରତ୍ୟକ୍ଷେ ନେତ୍ରରେ ଦେଖ ବକଳ ବେଶ

ଆଣି ଅବନାମଣ୍ଡଳେ ଥାପିଦେଲେ ରବିତଳେ ସତ୍ୟାଦିଧର୍ମ୍ମର ଯଶ ॥

ଅବଧୂତ ଦୀକ୍ଷାଦେଲେ ମହିମା ଭଜ ବୋଇଲେ ଯେ ନିଜଦାସ

ଗୃହପନ୍ଥାମାନ ଛାଡ଼ି ସାତୁକ୍ୟ କର୍ମରେ ବୁଡ଼ି

ନ ଲାଗଇ କାଳଫାଶ । ୨ ।

ନିଷ୍କାମ କରି ମନକୁ ଭଜ ଏକା ସେ ବ୍ରହ୍ମଙ୍କୁ ହୃଦରେ ଘୋଷ

ମାତୃହରଣ ଯେ ଦୋଷ ପିତାର ହେ ଅଭିଶାପ

ତେବେ କ୍ଷମା ହେବ ଦୋଷ । ୩ ।

କଳିକାଳରୁ ତରିବ ସତ୍ୟଯୁଗକୁ ପାଇବ ବୁଦ୍ଧି ଆଶିଷ୍ୟ

ସତର ହାଥ ମନୁଷ୍ୟ ବୁଦ୍ଧେ ନବୀନ ବୟସ

ସର୍ବଦା ବସନ୍ତ ମାସ । ୪ ।

ଛାପନା କୋଟି ଜୀବକୁ ଶରଣ ସମ୍ଭାଳିବାକୁ ବାନାବିକାଶ

ପ୍ରଳୟ ଆଗତ ଜାଣି ସେ ପ୍ରଭୁ ଅବ୍ୟକ୍ତ ମଣି

ବିପତ୍ତିକି କଲେ ନାଶ । ୫ ।

ପିଣ୍ଡ ବ୍ରହ୍ମାଣ୍ଡ ବଞ୍ଚାଇ ଶ୍ରୀଅଙ୍ଗେକଷଣ ସହି ପବନଗ୍ରାସ

ବୋଲେ ଭୀମଅରକ୍ଷିତ ଶତେବାର ପ୍ରଳମ୍ବିତ

ଗୁରୁପଦ୍ମପାଦେ ଆଶ । ୬ ।

 

( ୧୫୫ )

ସୁଜନ ଧଉର୍ଯ୍ୟ ଧରି ଥାଅମନ ହେ, ଛାମୁରେ ପଡ଼ିଛି ଜଣାଣ

ବୁଛିବେ ଗୁରୁ ନାରାୟଣ ହେ । ଘୋଷା ।

ଯେ ଯହିଁରେ ରହିଛି ସୁଗ୍ୟାନୀ ସନ୍ଥନ

ଧରମ ଡାକ ଦେଉଛି ସାବଧାନେ ଶୁଣ ହେ । ୧ ।

ସତ୍ୟଧର୍ମକୁ ନ ଛାଡ଼ ନୁହ ଛନଛନ

ଦିବାନିଶି ଗୁରୁ ପାଦେ ଲଗାଅ ଭଜନ ହେ । ୨ ।

ନାମବ୍ରହ୍ମ ଚିତ୍ତେ ଲୟ କର ଅନୁକ୍ଷଣ

ବୁଛି ବିଚାରି ଚିତ୍ତରେ ହୁଅ ସମ୍ଭାଳଣ ହେ । ୩ ॥

ଶ୍ରୀଗୁରୁ ଆଗ୍ୟାଁରେ ମୁଁ ଯେ କରିଛି ବଖାଣ

ମିଥ୍ୟା ନୋହେ କଦାଚିତେ ଏ ମୋର ବଚନ ହେ । ୪ ।

ମହିମା ଧର୍ମ ପରୀକ୍ଷା ହେବ ପରମାଣ

ବାହାର ହୋଇବେ ଗୁରୁ ଦେବେ ଦରଶନ ହେ । ୫ ।

ଗୁରୁଦେବ ବିନେ ଅନ୍ୟେ ନ ଜାଣେ ଶରଣ

ବୋଲେ ଭୀମ ଅରକ୍ଷିତ ପାମର ଅଗ୍ୟାନ ହେ । ୬ ।

 

( ୧୫୬ )

ଶେଷରେ, ଘଟିଛି ଏ କଳିଯୁଗରେ ହେ

ବୁଝାଉଅଛି ନିରନ୍ତରେ, ନିଷ୍କାମ ଭକ୍ତି ନିମନ୍ତରେ ହେ । ଘୋଷା ।

ପରଦାରା ଚୋରୀ ମିଥ୍ୟା ନ ଧର ମନରେ

ହିଂସା ଅହଂକାର ଛନ୍ଦ ନିବାର ଦୂରରେ ହେ । ୧ ।

କୁଟ କପଟ ଖଚକୁ ନ ରଖ ପାଶରେ

କାମ କ୍ରୋଧ ତେଜି ରହିଥାଅ ମଉନରେ । ୨ ।

ଶାନ୍ତି ଶୀଳ ଦୟା କ୍ଷମା ବହ ହୃଦୟରେ

ଗୁରୁ ଧର୍ମ ଆଶ୍ରେ କରି ନିଷ୍କାମ ପଥରେ । ୩ ।

ବୁଦ୍ଧ ଅବତାରେ ଗୁରୁ ବୁଲି ୟେ ସଂସାରେ

ସତ୍ୟଧର୍ମ ଦେଇ ଯାଇଛନ୍ତି ଘରେ ଘରେ । ୪ ।

ଯାର ପୂର୍ବଭାଗ୍ୟ ଥିବ ଏ ନର ଅଙ୍ଗରେ

କୋଟି ଜନ୍ମ ପାପ ଯିବ ଚାହିଁଲା ମାତ୍ରରେ । ୫ ।

ଶୟନ କରି ଅଛନ୍ତି ଅବନା ମନ୍ଦିରେ

ବୋଲେ ଭୀମ ଅରକ୍ଷିତ ଶ୍ରୀଗୁରୁ ପୟରେ । ୬ ।

 

( ୧୫୭ )

ଦେଖିବ, କଳଙ୍କି ହୋଇବେ ରାଘବ

ଏ କଳିକାଳ କ୍ଷୟେ ଯିବ । ନିଶ୍ଚେ କରିବେ ସତ୍ୟଯୁଗ ହେ । ଘୋଷା ।

ବେନି ପୟରେ ସପତ ପାତାଳ ପୂରିବ

ମର୍ତ୍ତ୍ୟରେ ଉଦର ଶିର ଆକାଶେ ଲାଗିବ ହେ । ୧ ।

କଟି ଯମ ଦାଢ଼ ଭିଡ଼ି ଢାଲ ପୃଷ୍ଠ ଭାଗ

ସହସ୍ରେ ହାତର ଖଣ୍ଡା କର ହସ୍ତେ ଥିବ ହେ । ୨ ।

କାଳାନ୍ତକ ରୂପ ଅଦଭୁତ ପ୍ରକାଶିବ

ଭଇରବୀ ବିକଟାଳ ମୂରତି ଦିଶିବ ହେ । ୩ ।

ନବଖଣ୍ଡ ମେଦିନୀରେ ଉଲ୍‌କାପାତ ହେବ

ରୂପକୁ ଦେଖିବ ଯେବେ ମନକୁ ଆସିବ ହେ । ୪ ।

ଏବେ ଆସି ଘଟିଲାଣି ଅନକୂଳ ଶୁଭ

ଚାରିଦିନ ଟାକିଥାଅ ଛପ୍ନା କୋଟି ଜୀବ ହେ । ୫ ।

ତିନି ଭୁବନରେ ମହାଭୟ ଉପୁଜିବ

ବୋଲେ ଭୀମ ଅରକ୍ଷିତ ଥୟ ନ ରହିବ ହେ । ୬ ।

 

( ୧୫୮ )

ସକଳ ଖଟିବେ ଦଶ ଦିଗପାଳ ହେ, ସଙ୍ଗତରେ ଦେବା ଦେବୀ ବଳ

ଅନେକ ଥିବେ କ୍ଷତ୍ରିକୁଳ ହେ । ଘୋଷା ।

ରଥୀ ମହାରଥୀ ତହିଁ ଥିବେ ମହାମଲ୍ଲ

ଉଚ୍ଚେ ସିଂହରଡ଼ି ଦେବେ ଶୁଭିବ ଚହଳ ହେ । ୧ ।

ରଙ୍ଗ ବର୍ଣ୍ଣ ଦିଶୁଥିବା ଏ ମହୀମଣ୍ଡଳ

ରକତର ନଦୀ ବହିଯିବ ଖଳ ଖଳ ହେ ।୨।

ସନ୍ଥକୁ ପାଳିବେ ସଂହାରିବେ ଦୁଷ୍ଟକୁଳ

ଜୟ ଶଙ୍ଖ ଦେବେ ବୀର କ୍ଷତ୍ରି ଅଚାର୍ଗଳ ହେ ।୩।

ସତ୍ୟ ପ୍ରକାଶିବ ମନ ହୋଇବ ନିର୍ମ୍ମଳ

ସର୍ବ ମୁଖେ ତ୍ରାହି ତ୍ରାହି ଶୁଭବ ମଙ୍ଗଳ ହେ ।୪।

ସହସ୍ର ତେଜରେ ଫାଟିଯିବ ମହୀମାଳ

ପୁଣ୍ୟରେ ପିଣ୍ଡ ବ୍ରହ୍ମାଣ୍ଡ ଦିଶିବ ଉଜ୍ଜ୍ୱଳ ହେ ।୫।

ଆଦିରୂପ ପ୍ରକାଶିବେ ସେ ଅନାଦିମୂଳ

ବୋଲେ ଭୀମ ଅରକ୍ଷିତ ଦେବେ ଭକ୍ତେ ଫଳ ହେ ।୬।

 

( ୧୫୯ )

କେ ଭଜି ପାରିବ ନାମ ଅରୂପ ହେ,

ଘଟଣା ହୋଇଛି ଶୂନ୍ୟ ସ୍ୱରୂପ ହେ । ପଦ ।

ଶୂନ୍ୟେ ଚାଲୁଛନ୍ତି ନାହିଁ ପାଦପାଣି,

ବାନା ଉଡ଼ାଉଛି ତିନି ତ୍ରୌଲୋକ୍ୟ ହେ । ୧ ।

ହସ୍ତ ନାହିଁ ତାଙ୍କ ସର୍ବ କରୁଛନ୍ତି,

ନାମଠାରୁ କିସ ନେବ ପରୀକ୍ଷ ହେ । ୨।

ପିଠି ନାହିଁ ତାଙ୍କ ମାଡ଼ ସହୁଛନ୍ତି,

ଚିଆଉଁଛି ଦେହେ ବ୍ୟଥା ଚମକ ହେ । ୩ ।

ମୁଖ ନାହିଁ ଭାଷା କହୁଛନ୍ତି କଥା,

ପଢ଼ାନାହିଁ ବର୍ଣ୍ଣୁଛନ୍ତି ଶୋଳକ ହେ । ୪ ।

ନାସାପୁଡ଼ା ନାହିଁ ଫୁଲ ଶୁଙ୍ଘୁଛନ୍ତି,

ହରି ନେଉଛନ୍ତି ବାସ ଗନ୍ଧକ ହେ । ୫ ।

ଚକ୍ଷୁନାହିଁ ତାଙ୍କ ସର୍ବ ଦେଖୁଛନ୍ତି,

ଦୃଷ୍ଟି ପଡୁଅଛି ଚଉଦିଗକ ହେ । ୬ ।

ଭଣେ ଭୀମ ହୀନ ପାମର ଅଗ୍ୟାନ,

ଅନୁସରି ଅଛି ପାଦ ଉଦକ ହେ । ୭ ।

 

( ୧୬୦ )

ନିର୍ବେଦେ ରହିଛି ଅଣଅକ୍ଷର ହେ,

ଅନାମିକାପଦ ଅଣବିକାର ହେ । ପଦ ।

ଅଶ୍ରୁତି ଅମୂର୍ତ୍ତ ନାହିଁ ରୂପକାନ୍ତି,

ନିରନ୍ତରେ ଲଭି ସତ୍ୟ ସୁମର ହେ । ୧ ।

ବେଶ ହୋଇଛନ୍ତି ନାହିଁ ଅଳଙ୍କାର,

ଭୂଷଣ ନ ଥାଇ ଶୋଭା ସୁନ୍ଦର ହେ । ୨ ।

ରହିଛନ୍ତି ପାଶେ ଭଗତ ବିଶ୍ୱାସେ,

ନେଇଆଣି ଲଗୁଛନ୍ତି ସଙ୍ଗର ହେ । ୩ ।

ଅଲେଖ ଅବଧୂତ ନିର୍ବେଦେ ଗୁପତ,

କେ ଅନ୍ତ କରିବ ବ୍ରହ୍ମସାଗର ହେ ।୪।

ନାହିଁ ହାଇଛାଇ କେ ପାରିବ ଚାହିଁ,

ବିଜେ କରିଛନ୍ତି ଶୂନ୍ୟମନ୍ଦିର ହେ । ୫ ।

ଭଣେ ଭୀମ ଭୋଇ, ଶ୍ରଣାଗତ ଯାଇ,

ବଚନ ଭାଷିଲେ କେଡ଼େ ମଧୁର ହେ । ୬ ।

 

( ୧୬୧ )

( ୧ )

ବିଜୟେ ଶ୍ରୀଗୁରୁ ଅବନା ମନ୍ଦିରୁ, ଶୂନ୍ୟେ ଯା ବାନା ପ୍ରକାଶ

ଗ୍ୟାନନେତ୍ରେ ଦେଖି ଉଠିଲି ଚମକି ରୂପ ବିଜୁଳିର ତ୍ରାସ ହେ,

ପୁଣ୍ୟ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଦଶମୀ ଦିବସ

ତହିଁ ଭେଟହେଲେ ଗୁରୁଶିଷ୍ୟ, କୃପାଭକ୍ତ ବାନ୍ଧବ ବିଶ୍ୱାସ ହେ ।

 

( ୨ )

ଏ ମାନବ ନର ନିନ୍ଦିଲେ ଅପାର, ଦୀକ୍ଷା କିପାଁ କଲ ଉଦେ

ଏ ଜଗତଜନ ସର୍ବେ ହତଗ୍ୟାନ ପଡ଼ି ମାୟାମୋହ ମଦେ ହେ,

କିସ କରିବି ବୁଦ୍ଧି ପୃଥ୍ୱୀ କି ରୂପେ ହୋଇବ ସାଧି

କଳି ସତ୍ୟ ସଙ୍ଗେ ହେଲା ହେଲା ବାଦୀ, ନିନ୍ଦା ଅଙ୍ଗକୁ ଯାଉଛି ଭେଦି

କେତେ ଦିବସରେ ସର୍ବସିଦ୍ଧି

 

( ୩ )

ଶୁଣିଣ ବିଚାର ଦଇନି ଉତ୍ତର ଆଦିବ୍ରହ୍ମ ଅବଧୂତ

କଳିଯୁଗ ନରେ କାଳକ ଅନ୍ତରେ ହେବେ ପିଚାଶୁଣୀ ଭୂତ ହେ

କାହୁଁ ଜାଣିବେ ଭାବ । ଅଛି ବହୁତ ଅବସ୍ଥା ଯୋଗ

ତାଙ୍କୁ କୁମ୍ଭୀନର୍କେ ଅଛି ଠାବ । ନାହିଁ ମୁକତି ପସରା ଲାଭ

ପାର ନାହିଁ ବିନୁ ସାଧୁସଙ୍ଗ ।

 

( ୪ )

ଠାବେ ଠାବେ ଦ୍ୱନ୍ଦ ହିଁସା ବାଦଛନ୍ଦ କଲେ ନର ଦେବବୃନ୍ଦ

ନିର୍ବେଦ ବିକାଶି ଦେଲ ବ୍ରହ୍ମରାଶି ଯା ମୁଖୁଁ ଶୁଣିଲୁଁ ମନ୍ଦ ହେ

ତୁମ୍ଭ ଭଗତଗଣ ହେଉଛନ୍ତି ବଡ଼ ହୀନିମାନ

ଦୀକ୍ଷା-ଦେଲ ନିର୍ବେଦ ସାଧନ, ନ ପାଇଲେ ସ୍ଥିତି ବସ୍ତିମାନ

କର୍ତ୍ତା ହେଲେ ବୁଝିବ ଆପଣ ।

 

୧୬୧-୨-୨- ମାତି ମାୟାରସ ମଦେ; ୧୬୧-୨-୫-ହେବ ସିଦ୍ଧି ।

 

( ୫ )

ଚାରିପାଦେ ଧର୍ମ୍ମ ପ୍ରତିମାରେ ବ୍ରହ୍ମ ସ୍ଥାପିବି ଯେଉଁ ଦିବସେ

ନିଜ ରୂପଧରି ମର୍ତ୍ତ୍ୟେ ଅନୁସରି ଛାମୁକୁ ଆସିବେ ତେବେ ସେ

ନେଉଟାଇବି ଯୁଗ, ଅଷ୍ଟ ଖଣ୍ଡ ଭାରତ ହୋଇବ ଯେ

ତେଣୁ ଭଗତଙ୍କୁ ଦେବି ଠାବ, ସମୟକେ ଯେହୁ ବ୍ରତୀ ଥିବ

ଜଣେ ଜଣେ ଦେବି ରାଜ୍ୟ ଭୋଗ ହେ ।

 

( ୬ )

ଶିର କର ଯୋଡ଼ି ପାଦତଳେ ପଡ଼ି କହେ ବିନୟ ବଚନ

ନ କରିବ କୋପ ଅନାଦି ଅଲେଖ ମୋ ବିନତି ବାରେ ଘେନ ହେ

କିପାଁ ଭ୍ରମୁଛ ମହୀ, ଅନ୍ନ ନାହିଁ କ୍ଷୀର ନୀର ଖାଇ

କି କାରଣେ ଏତେ ଦୁଖ ସହି, ଦିବାନିଶି ଦଣ୍ଡେ ସୁସ୍ଥ ନାହିଁ

ବେଶ ଦେଖି ରୋଦନ ମାଡ଼ଇ ।

 

( ୭ )

ଅବନୀର ଭାରା ନ ସହିଲୁ ପରା ଉଦୟ ହୋଇଲୁ ଆସି

ଏ ତିନି ବ୍ରହ୍ମାଣ୍ଡ ପୃଥ୍ୱୀ ନବଖଣ୍ଡ ଏକାଙ୍ଗେ ସାଧିବୁ ବସି ହେ

ରୁହାଇବି ମହିଁମା, ଭାଙ୍ଗିଦେବି ଦୁଷ୍ଟଙ୍କ ଗାରିମା

କେଉଁ ବାପ ରଖିବ ଜାଣିମା, ସାକ୍ଷୀ ଥାନ୍ତୁ ଚନ୍ଦ୍ର ସୂର୍ଯ୍ୟ ବ୍ରହ୍ମା

ଜଳ ପୃଥ୍ୱୀ ବେଦାନ୍ତ ସୁଧର୍ମ୍ମା ହେ

 

୧୬୧-୬- ଅନ୍ୟ ପୋଥିରେ ପାଦମାନ ଅସ୍ତ ବ୍ୟସ୍ତ ଅଛି ।

୧୬୧-୬-୪- କି କାରଣେ ଏତେ କ୍ଲେଶ ପାଇ ପାଠାନ୍ତର ।

 

( ୮ )

ଦୁଖ ସୁଖ କଥା ଗୁପତ ବାରତା ଶ୍ରୀଗୁରୁ ଶିଷ୍ୟ ସମ୍ପାଦ

ଶିଷ୍ୟ ପଚାରିଲେ ଶ୍ରୀଗୁରୁ କହିଲେ ଏଠାବକୁ ଅଷ୍ଟ ପଦ ଯେ

ଭଣେ ଭୀମସେନ ଭୋଇ, ଚିହ୍ନ ଅନାଦି ପୁରୁଷ ସେହି

ଯାର ଆଗ୍ୟାଁରେ କମ୍ପୁଛି ମହୀ, ବ୍ରହ୍ମ ତେଜ ପାଶେ ନୋହେ

ସାଧୁଜନେ ଶୁଣ ମନ ଦେଇ ହେ ।

 

( ୯ )

ଭାବ ଗଦଗଦେ ମନରେ ସାନନ୍ଦେ ପୁଣି ପୁଣି ପଚାରଇ

ଏ ଜଗତ ଲୋକେ ବୋଲୁଛନ୍ତି ଥୋକେ ପରୀକ୍ଷା ଦେଖିବା ପାଇଁ

ସର୍ବ ଘରେ ଭକ୍ଷିଲେ, କୁଳଧର୍ମ୍ମ ଜାତି ଗୋତ୍ର ନେଲେ

ବେଦ ଶାହାସ୍ତ୍ରକୁ ନିନ୍ଦା କଲେ, ପାପ ପୁଣ୍ୟ ସମାନ ମଣିଲେ

ଏହା ଭାଷୁଅଛନ୍ତି ସକଳେ ଯେ ।

 

( ୧୦ )

ନିନ୍ଦା କଲେ ନର କିସ ଯିବ ମୋର ମୁଁ ଅଟେ ଅରୂପ ହରି ।

କୋଟିଏ ପୁରୁଖା ବେଦେ ନାହିଁ ଦେଖା ବାନାକୁ ଚିହ୍ନି ନ ପାରିବ

କିସ ପରୀକ୍ଷା ଦେବି । ଅଧିକରେ ବ୍ରହ୍ମାଣ୍ଡ ଜାଳିବି ଯେ ।

ବେଶ ଧରିଛି ବୈଷ୍ଣବଯୋଗୀ ଯେ । ପୃଥୀ ଧୂଳି ପାଉଁଶ କରିବି ଯେ

କି କାରଣେ ଦତ୍ୟଙ୍କୁ ପାଳିବି ଯେ ।

 

( ୧୧ )

ଏହା ଶୁଣି ମୁଁ ତ ମନରେ ଚକିତ ଶ୍ରୀଚରଣ ତଳେ ପଡ଼ି

ଶ୍ରୀମୁଖ ବଚନ କେ କରିବ ଆନ, ବ୍ରହ୍ମବାକ୍ୟେ ପୁଞ୍ଜି ବୁଡ଼ି ଯେ

ଗଲେ ସମସ୍ତେ ନାଶ । କାହୁଁ ଆଣିବ ମାନବ ଅଂଶ

ଗୃହଧର୍ମ ନୋହିବ ପ୍ରକାଶ । ଭକ୍ତ ହେଲେ ଦିଗାମ୍ବରୀ ବେଶ

ନିଷ୍ଠା ଭଗତିକି କରି ଆଶ ହେ ।

 

( ୧୨ )

ଯେ ମୋର ଭଗତ ବାନ୍ଧବ ବିଶ୍ୱାସ ସୁକୃପା କରି ରଖିବି ।

ଅଧେ ଯୋଗିବେଶ ଅଧେ ଗୃହବାସ,ଧନ ପୁତ୍ର ନାରୀ ଦେବି ଯେ

ସେହୁ କହିବେ ସତ୍ୟ, ନାମ ଭଜନକୁ ସାମରଥ ।

ଗୋପଲକ୍ଷ୍ମୀହେବ ପରାପତି, ତାଙ୍କଠାରୁ ଜଗତ ଉଦିତ ।

ଗୃହଧର୍ମ ପାଳିବେ ବିହିତ ।

 

( ୧୩ )

ତ୍ରିପୁର ଜଗତ ନ ପାଇଲେ ଅନ୍ତ କେବଣ ପୁରୁଷ ତୁହିଁ ।

ମର୍ତ୍ତ୍ୟେ ଜାତ ହେଲି କବିକୃତ କଲି ଚିହ୍ନି ନ ପାରିଲି ମୁହିଁ ଯେ ।

ତୁମ୍ଭ ବିଭୂତି କହ ଶୁଣି ସନ୍ତୋଷ ହେଉମୋ ଦେହ ।

ଘୁଞ୍ଚିଯାଉ କାଳମାୟା ମୋହ ଦାନ ଦେଲି ପିଣ୍ଡପ୍ରାଣ ନିଅ ।

କୃପା ଅଭୟପଞ୍ଜରେ ଥୁଅ ହେ ।

 

( ୧୪ )

ଶୁଣ ସାବଧାନେ କହୁଁ ତୋ ବଚନେ ନିଜ ବିଭୂତି ବୃତ୍ତାନ୍ତ ।

ଶୂନ୍ୟେ ଆତିଯାତ ଶୂନ୍ୟରେ ସମ୍ଭୂତ ଆଦ୍ୟ ବ୍ରହ୍ମ ଅବଧୂତ ହେ ।

ବାସ ଶୂନ୍ୟ ମନ୍ଦିରେ, ଅଛି ତିନି ବ୍ରହ୍ମାଣ୍ଡ ବାହାରେ ।

ସ୍ଥିତି ଅବନାପୁର ମନ୍ଦିରେ, ଠିକ ବତିଶ ସସ୍ରଜୂଣରେ ।

ଭଜ ଅଜପା ଅଣଅକ୍ଷରେ ଯେ ।

 

( ୧୫ )

କୋଟି କୋଟି ଚନ୍ଦ୍ର କୋଟି କୋଟି ସୂର୍ଯ୍ୟ ପୃଥ୍ୱୀ ଆପ ତେଜ ବାଇ

ବ୍ରହ୍ମା ବିଷ୍ଣୁ ଶିବ କୋଟି କଳ୍ପଯୁଗ ପାଦତଳେ ଗଲେ ବହି ଯେ ।

 

୧୬୧-୧୨-୨- ପୁତ୍ରନାତି ଦେବି । ୧୬୧-୧୨-୫ କରିବେ ବିହିତ

 

ମୋତେ ଚିହ୍ନି ନ ପାରି, ଗଲେ ନାଗାନ୍ତୀ ଯୋଗାନ୍ତୀ ମରି ।

କର୍ମେ କୁମ୍ଭୀନର୍କେ ଠାବ କରି, ନିର୍ବେଦରେ ଭଜନା ନ କରି ।

ଆଦି ତପସ୍ୱୀ ବେଦଆଚାରୀ ଯେ ।

 

( ୧୬ )

ଦୁଖ ସୁଖ କଥା ଗୁପତ ବାରତା ଶ୍ରୀଗୁରୁ ଶିଷ୍ୟ ସମ୍ପାଦ

ଶ୍ରୀଛାମୁ ଆଗ୍ୟାଁରୁ ସମ୍ପୂର୍ଣ୍ଣ ହୋଇଲା ଏଠାବକୁ ଷୋଳ ପଦ ଯେ ।

ଭଣେ ଭୀମ ଅର୍କ୍ଷିତ, ଗୁରୁ ପାଦେ କରି ପ୍ରଳମ୍ବିତ ହେ ।

ଅନ୍ତର୍ଦ୍ଧାନ ହେଲେ ଅବଧୂତ, ନାମ ଭଜନକୁ ସାମରଥ ।

ଗତି ମୁକ୍ତି କରି ସମାପତ

 

( ୧୬୨ )

ମହିମା ଅଲେଖ ଅନନ୍ତ ଭାବୁଛି,

ପ୍ରଭୁ ପଦ୍ମପାଦକୁ ଆଶ୍ରେ କରିଛି । ପଦ ।

ଗୁରୁଦେବ କୃପା କଲେ ତରିବି ବୋଲି ।

ହୃଦପଦ୍ମେ ଭାବୁଅଛି ଯତନ କରି

ହେ ସ୍ୱାମୀ ନମସ୍ତୁତେ        କରୁଣା କର ମୋତେ ।

ପଦ୍ମପାଦର ବିନୁ ଅନ୍ୟ ନ ଦିଶେ ମୋତେ

ତୁମ୍ଭ ବିନୁ ଅନ୍ୟ ଆଉ ନ ଜାଣେ କିଛି । ୧ ।

ଶ୍ରୀଗୁରୁଙ୍କ ନାମ ଧରି ଜପି ହୃଦରେ ।

ନିଶ୍ଚଳ କରି ଭେଟିବି କେବଣଠାରେ

ଏ ଭବୁଁ ପାରି କର ଭୟ ନ ଥାଉ ଆର

ମାଡ଼ୁଛି ବଡ଼ ଡର               ହେ ଗୁରୁ କୃପା କର

କରୁଣା ବାରେ କିପାଁ ନୋହୁଛି । ୨ ।

ଚାରିବେଦ ପଢ଼ି ପଢ଼ି ହେଉଛି ବଣା ।

ଏମାନେ ଜାଣନ୍ତି ଭାବି ଚରିତ୍ର ସିନା

ଚାରି ଶାହାସ୍ର ବେଦ              ନାହିଁ ଶ୍ରୀଗୁରୁପାଦ

ସଦଗୁରୁଙ୍କୁ ଖୋଜି ବେଦରେ କିସ କାର୍ଯ୍ୟ

ବିଷୟା ଧନ୍ଦେ ମନ ଭୁଲୁଛି । ୩ ।

ସପ୍ତଫେଣି ପରେ ବିଜଏ ବ୍ରହ୍ମରୂପ ।

ଅନନ୍ତ ମହିମା ଅବଧୂତ ଅଲେଖ

ଅଟ ଭଗତରକ୍ଷ            ଅଭେଦ କର୍ମେ ମୁଖ୍ୟ

ନ କରନ୍ତି ବିବେକ ଅସାର ବୁଝି ଲୋକ

ମହିମା କେ କଳଣା କରିଛି । ୪ ।

ଅଲେଖ ପୁରୁଷ ନାମ ଦୀକ୍ଷା ବୋଲାଇ ।

ସାର ଅସାର କଥାକୁ ଅନ୍ତର ନୋହି

ଅଯୋନିର ପୁରୁଷ                  ଶୂନ୍ୟେ କରିଛି ବାସ

ପାଦେ କରିଛୁ ଆଶ ଦେଖାଅ ଗ୍ୟାନ ଅଂଶ

କେତେ ଦିନକୁ ଦୟା ହେଉଛି । ୫ ।

କେମନ୍ତ ଭାବେ ଭଜିବା ନ ଦିଶେ ବାଟ

ଶ୍ରୀମୁଖରୁ ଆଗ୍ୟାଁ ହେଉ ଫେଡ଼ ସଂକଟ

ଦେଖାଅ ଗ୍ୟାଁନବାଟ            ଫିଟିଯାଉ ସଂକଟ

ଉଛୁର ହେଉଛି ତ ଆଗ୍ୟାଁ ହେଉ ତୁରିତ

ଏ ରୂପେ ମନ ମୋର ଭାବୁଛି । ୬ ।

ଦୟା ଯେବେ ନ ହୋଇବ ଯେ ସଦଗୁରୁ

ଏ ମହୀମଣ୍ଡଳେ ମୋତେ କେ ରକ୍ଷା କରୁ

କରିଣ ନିଷ୍ଠାଭକ୍ତି                   ହୃଦୟ ପଦ୍ମେ ଚିନ୍ତି

ନିର୍ମ୍ମଳ କରି ମତି ଭଜୁଛି ଦିବାରାତି

ଛାମୁ ଆଗ୍ୟାଁକୁ ଟାକି ରହିଛି । ୭ ।

ନିଷ୍ଠାଭଗତିକି ଲଭି ନ ପାରେ ମନ ।

ମାୟାମୋହ ଧନ୍ଦେ ପଡ଼ି ଯାଉଛି ଦିନ

କୃପା କର ହେ ପ୍ରଭୁ             ଅଗ୍ୟାନ ଖଣ୍ଡ ସବୁ

ନିଶ୍ଚେ ଦର୍ଶନ ଶୁଭୁ ଏ ଜୀବ ଗ୍ୟାନ ଭାବୁ

ତରିବି ବୋଲି ଅନୁସରିଛି । ୮ ।

ନାମବ୍ରହ୍ମହୃଦେ ଜପି ଯୋଗୀନ୍ଦ୍ରମାନେ ।

ନିଶ୍ଚିନ୍ତେ ଧାଇଁ ରହିଲେ ଗୁରୁଚରଣେ

ଆସନେ ବସି ଭକ୍ତେ             ଭାବୁଛନ୍ତି ନିରତେ

ଏକରୂପକୁ ନିତ୍ୟେ ସେ ଧ୍ୟାନ କରେ ଚିତ୍ତେ

ଏକାନ୍ତେ ହୃଦପଦ୍ମେ ଭାବୁଛି । ୯ ।

ଦଶ ପଦ ପୂର୍ଣ୍ଣ ବ୍ରହ୍ମଗ୍ୟାନ ସୁଆଦ ।

ଆହେ ସୁଜ୍ଞଜନେ ଭଜ ଶ୍ରୀଗୁରୁପାଦ

ଭଣେ ଭୀମ ଅର୍କ୍ଷିତ             ଗୁରୁ ଚରଣେ ଚିତ୍ତ

ପ୍ରଭୁନାମ ଭଜିତ ହେଉଛି ଆନନ୍ଦିତ

ଏକାହିଁ ନିଷ୍ଠା ଭକ୍ତି କରୁଛି । ୧୦ ।

 

( ୧୬୩ )

ଖେଳୁଅଛି ଏକପାଦେ ବ୍ରହ୍ମଧର୍ମ୍ମ ଆଚରି

ଗୋଡ଼ାଇଛି ମୁକ୍ତି ପଛେ ତାହାରି । ଘୋଷା ।

ପଶ୍ଚିମଦ୍ୱାରେ ଅନନ୍ତ ଆଗ୍ୟାଁ ପାଇ ହୋଇ ଜାଗ୍ରତ

ସେ ଜ୍ୟୋତି ସିଦ୍ଧାନ୍ତ,            ସହସ୍ରେ କବାଟ ଅର୍ଥ କଞ୍ଚିଖିଲ

ମୁଦାଝର ମୁଣ୍ଡେ ଛନ୍ତି ଆବୋରି । ୧ ।

ଦକ୍ଷିଣରେ ଶ୍ରୀ ଜଗନ୍ନାଥ            ଆଗ୍ୟାଁପାଇ ହୋଇ ଜାଗ୍ରତ

ସେ ଦ୍ୱାରରକ୍ଷକ, ବେନିକର୍ଣ୍ଣଡେରି ଶବଦକୁ ବାରି

ଶାନ୍ତି ବଚନେ ଛନ୍ତି ଅନୁସରି । ୨ ।

ଉତ୍ତରଦ୍ୱାରେ ରାମନାଥ             ଆଗ୍ୟାଁପାଇ ଜଗିଛି ସତ୍ୟ

ସେ ବଚନ ତତ୍ତ୍ୱ, ଉତ୍ତର କବାଟ ଅତିହିଁ ଆକଟ

ଠାବେ ଠାବେ ଉଜାଗର ପାହାରୀ । ୩ ।

ପୂର୍ବଦ୍ୱାରେ ଶ୍ରୀକୃଷ୍ଣଚନ୍ଦ୍ରେ            ଜଗିଛନ୍ତି ଜାଉଁଳିରନ୍ଧ୍ରେ

ସେ କିଳିଣିବନ୍ଧେ, ସ୍ୱୟଂ ବ୍ରହ୍ମରାଶି ନିର୍ବେଦରେ ପଶି

ଯୋଗଧ୍ୟାନେ ଛନ୍ତି ନାମ ସୁମରି । ୪ ।

ଚତୃ ଦୁଆରେ ଚାରି ଦୁଆରୀ            ମଧ୍ୟେ ବ୍ରହ୍ମ ବିଜୟ କରି

ସେ ଅନାମୁଁ କ୍ଷରି, ବୋଲେ ଭୀମଭକ୍ତ ନ ଜାଣୁଛି ମୁଁ ତ

ଛଳି ଦେଇ ପ୍ରଭୁ ଯିବେ ବାହାରି । ୫ ।

 

( ୧୬୪ )

ଦେଖ ଆଦିବ୍ରହ୍ମ ମୂରତି            ନିତ୍ୟେ ପଡ଼ୁଅଛି ଆହୁତି

ଚିହ୍ନି ସାଧୁ ସୁଗ୍ୟଁ ଭଜୁଅଛନ୍ତି । ଘୋଷା ।

କ୍ଷୀର ନୀର ମଧୁ ଘୃତ            ଗୁଡ଼ ସଞ୍ଚା ପଞ୍ଚାମୃତ ।

ଭୁଞ୍ଜାଉଛନ୍ତି ଭଗତେ            ମଜାଉଛନ୍ତି ପୀରତି । ୧ ।

ଚଉଷଠି ସିଦ୍ଧିଯୋଗୀ            ଧୂନିକି ଅଛନ୍ତି ଜାଗି

ପିଉଛନ୍ତି ସୁଧାପାନ            ଛେଦିଣ ଲୋଭ ପ୍ରକୃତି । ୨ ।

ବିଜେ ପ୍ରଭୁ ଜମ୍ବୁଦୀପେ            ବାହ୍ୟକୁ ଅତିଥ ରୂପେ ।

ତାରିବେ ଭଗତଗଣ            ସାଧି ସପ୍ତଦ୍ୱୀପା ପୃଥ୍ୱୀ । ୩ ।

ଭରସା ଯେମନ୍ତେ ଅଛି            ଅପ୍ରେମ ନ କର କିଛି ।

ଧୂନି ମନ୍ଦିରରେ ଧ୍ୟାନ            ନାମ କର୍ମେଣ ଭଗତି । ୪ ।

ଭଣେ ଭୀମ ଅରକ୍ଷିତା            ହୃଦରୁ ଛଡ଼ାଇ ଚିନ୍ତା ।

ଜୀବ ଉଦ୍ଧାର ନିମନ୍ତେ            ଭଜୁଅଛି ଦିବାରାତି । ୫ ।

 

( ୧୬୫ )

କଳିଯୁଗେ ମହିଁମା ନାମ ହେଲା ବିପତ୍ତି ।

ଭଜ ଗୁରୁପାଦେ ନୁହେ ଅପ୍ରୀତି । ଘୋଷା ।

( ନ ଦଣ୍ଡିବ - ଯମ ହେଲେ ଭକତି )

ବ୍ରହ୍ମରୂପେ ରହିଛି ଘୋଟି । ଚିଠିପତ୍ର ଦେଉଛି କାଟି ।

ପ୍ରତିଦିନ ନିତି ଚନ୍ଦ୍ରସୂର୍ଯ୍ୟ ବେନି, ଯା ବଚନ ଘେନି

ଫେରୁଛନ୍ତି ଯାର ଆଗ୍ୟାଁ ନ ମେଣ୍ଟି । ୧ ।

ଠାବେ ଠାବେ ସମ୍ପଦ କୋଟି । ଅଧିକାରୀ ଅଛନ୍ତି ଖଟି ।

ସେ କିଣା ପାଲଟି ।

କୁଟୁମ୍ବ ଜଞ୍ଜାଳ କେବେ ନାହିଁ ଭଲ ।

ଚିନ୍ତାରେ ମନ ହେଉଅଛି ବାଣ୍ଟି । ୨ ।

ନ ବସିଲେ ବୈଷ୍ଣବ କତି । ଅର୍ଜିବାରେ ନିରତେ ମାତି ।

ସେ ଦିବସ ରାତି ।

ପଣଧନେ ବଡ଼ ହେବେ ପାପୀ ମୂଢ଼ ।

ନଜାଣିବେ ଆତ୍ମା ଉଦ୍ଧାରଗତି । ୩ ।

ନ ପାଇ ବ୍ରହ୍ମଜ୍ଞାନର ଗତି । ଯେଉଁ ପଦେ ମୋକ୍ଷ ମୁକତି ।

ସେ ହୃଦେ ନ ଚିନ୍ତି ।

ବୋଲେଭୀମଭୋଇ ହେଉଛନ୍ତି

ବାଇ ବିଷ୍ଣୁ କୁଟମାୟା ଧନ୍ଦାରେମାତି । ୪ ।

 

୧୬୫-୨- ସ୍ଵାମୀପାଦେ । ୧୬୫-୭- କୀର୍ତ୍ତନ ଗୋଷ୍ଠି ।

୧୬୫-୯- କେବେ ନୁହେଁ ଭଲ ହେଉଥିବ ବାଣ୍ଟି ।

 

( ୧୬୬ )

ଆନନ୍ଦେ ନାମବ୍ରହ୍ମେ ବିଚର, କର୍ମ କାମନାରେ ଭ୍ରମି ନ ମର । ଘୋଷା ।

ଯେତେବେଳେ ବ୍ରହ୍ମ ଏକପାଦେ ଥିଲା ନ ଥିଲା ମାତ୍ରା ଅକ୍ଷର ।

ହୋଇ ନିଶବଦ ନ ଥିଲା ଶବଦ ମହାଘୋର ଭୟଙ୍କର । ୧ ।

ନ ଥିଲା ଏ ଜଳ ନ ଥିଲା ପବନ ନ ଥିଲା ସଚରାଚର

ଜ୍ୟୋତି ନିରାକାର ଠୁଳ ଶୂନ୍ୟେ ଘର ନ ଥିଲା ଶୂନ୍ୟ ସଞ୍ଚାର । ୨ ।

ନ ଥିଲା ଏ ଜ୍ୟୋତି ଯୁଗଳ ସରାଗ ସଙ୍ଗରେଖା ବି ରଙ୍ଗର ।

ତରୁଜ ଗରୁଜ ଅରୁଜ ସରୁଜ ନ ଥିଲା ଦୀର୍ଘ ପ୍ରତିର । ୩ ।

ନ ଥିଲା ଏ ପିଣ୍ଡ ନ ଥିଲା ବ୍ରହ୍ମାଣ୍ଡ ବଚନ ନ ଥିଲା ସାର ।

ସିଦ୍ଧିତ୍ୟ ଅକ୍ଷର ବିଦିତ୍ୟେ ଗୋଚର କେ କଲା ବେଦ ବିଚାର । ୪ ।

ନ ଥିଲା ଏ ଚାରି ଯୁଗ ଚାରି ଭୋଗ ନ ଥିଲା ଜପ ମନ୍ତର ।

ପ୍ରଭୁ ଆସ୍ଥାନକୁ ମନ୍ତ୍ର ଯନ୍ତ୍ର ଧ୍ୟାନ ସହସ୍ରେ ଯୋଜନ ଅନ୍ତର । ୫ ।

ବେଦ ବିଦ୍ୟା ଆଦି ମନ୍ତ୍ର ମଉଷଧି କି କରିବ ଏମାନର ।

ବୋଲେ ଭୀମଭୋଇ ଗୁରୁପଦ ଧ୍ୟାଇ ଏକା ମୋ ଗୁରୁ ପୟର । ୬ ।

 

( ୧୬୭ )

ଆହେ ପ୍ରଭୁ ମହିମା ମେରୁ ଅଟ ଆପଣ

ଆରତେ ଡାକିଲେ କିପାଁ ନ ଶୁଣ । ଘୋଷା ।

୧୬୫-୧୩- ନ ଜାଣିଲେ ଆତ୍ମାର ଗତି ।

 

ଦୁଖୀଜନଙ୍କ ଦୁଖ ନିବାରଣ ।

କଳିଯୁଗେ ଯେତେକ ଜନ । ମିଥ୍ୟାଭାଷୀ ଦାମ୍ଭିକ ମନ

ସେ ହେବେ ଅଗ୍ୟାନ । ପାପପଙ୍କେ ପଡ଼ି, କାମଜଳେ ବୁଡ଼ି

କାଳିକା ଖପରେ ହେବେ ଦହନ । ୧ ।

ଦେଖି ପ୍ରଭୁ ଆଗ୍ୟାଁ ବହନ । ଜନମିଲେ ଭଗତ ଜନ

ତପୁସି ହୋଇଣ

କରି କ୍ଷୀରପାନ ଦୁଖେ ନେଲେ ଦିନ

ପାପିମାନଙ୍କ ପାପ ଉଦ୍ଧାରଣ । ୨ ।

ଜମ୍ବୁଦ୍ୱୀପ ମଧ୍ୟରେ ଜାଣ । ମାଳବିହାରପୁର ସ୍ଥାନ

ପୂର୍ବେ ଥିଲା ଧାମ ।

ଚାରିପାଖ ଗିରି ମଧ୍ୟେ ଅଛି ପୂରି ।

କାଳନ୍ଦୀ ହ୍ରଦ ପ୍ରାୟେ ଶୋଭାବନ । ୩ ।

ତଥିପରେ ପୁର ନିର୍ମାଣ । ସ୍ୱୟେଂ ବିଶ୍ୱକର୍ମା ଘଟଣ

କରିଛ ଆପଣ ।

ହୀରା ନୀଳା ମୋତି ମାଣିକ୍ୟ ଲାଗିଛି

ପାପିମାନଙ୍କୁ ଦିଶେ ଭିନ୍ନାଭିନ୍ନ । ୪ ।

ଏକ ଘର ଷୋଳଦ୍ୱାର ଚାରିଦିଗେ ହେଲେ ବାହାର

ଦିଶେ ମନୋହର ।

ଲାଗିଅଛି ଧୂନି ଜଗିଛନ୍ତି ମୁନି

ଅଲେଖ ବାନାକୁ କରିଣ ଧ୍ୟାନ । ୫ ।

ଧନ୍ୟ ଧନ୍ୟ ଧନ୍ୟ ସେ ସ୍ଥାନ ଷୋଳକଳା ଘେନି ଆପଣ

ବିଜେ ଆଦି ବ୍ରହ୍ମ,

କହେ ଭୀମଭୋଇ ମହିମାକୁ ଧ୍ୟାୟି

ସେ ଗୁରୁ ଚରଣେ ରହୁ ମୋ ମନ । ୬ ।

 

( ୧୬୮ )

ମହିମା ଆଗ୍ୟାଁ ଜଗତେ ଖ୍ୟାତ । ଏ କଳିଯୁଗରେ ନାମ

ବିଖ୍ୟାତ । ଘୋଷା ।

କଳିଯୁଗେ ସାତ୍ତ୍ୱିକ ମତ । ଏକାକ୍ଷର ହୋଇଲା ଜାତ

ଶୂନ୍ୟରୁ ସମ୍ଭୁତ । ସେ ପୁରୁଷ ଜାତ ।

ନର ଦେହରେ କେ କରିବ ଅନ୍ତ । ୧ ।

କ୍ଷୀର ପାନେ ତୋଷିଲେ ଚିତ୍ତ । ମହୀ ଭ୍ରମଣରେ ଉଷତ ।

ବାଛି ଭଗତଙ୍କୁ । ଆଗ୍ୟାଁ ଦେଲ ତାଙ୍କୁ ।

ବୋଇଲ ହୁଅ ଅବଧୂତ ମତ । ୨ ।

ମାଳବେହାରପୁର ସତ । ପୂର୍ବେ ଥିଲା ସ୍ଥାନ ଗୁପତ ।

ମାଳ ମାଳ ଗିରି । ମଧ୍ୟେ ଛନ୍ତି ପୂରି ।

ମାନ ସରୋବର ପ୍ରାୟେ ଶୋଭିତ । ୩ ।

ସେ ଠାବରେ ଧୂନି ସମ୍ଭୁତ । ଅଣାକାର ପରେ ଯା ସ୍ଥିତ ।

କି ଭାଗ୍ୟ ଅର୍ଜିଲେ ନର ଦେହ ପାଇ ।

ଦର୍ଶନ ମାତ୍ରକେ ହେଲେ ମୁକତି । ୪ ।

ପାପ ଆତ୍ମା ଦାମ୍ଭିକ ଚିତ୍ତ । ସେ ସ୍ଥାନେ ନୁହେ ଉପଗତ ।

ଯହିଁରେ ପାବଚ୍ଛ ସତ ରଜ ତମ

ସେଠାରେ ପାତକ ହେଉଛି ହତ । ୫ ।

ଧୂନି ପୁରିଅଛି ସମସ୍ତ । ସେ ଧୂନିରେ ଦିଅ ତୁ ଚିତ୍ତ

କହେ ଭୀମ ଭୋଇ ଶ୍ରୀଗୁରୁଙ୍କୁ ଧ୍ୟାୟି

ରଖ ବା ନ ରଖ ମୁଁ ତୁମ୍ଭ ଭୃତ୍ୟ । ୬ ।

 

( ୧୬୯ )

ଅଣହିଂସା ଧର୍ମ ଏହି । ହିଂସା ନାହିଁ ।

ଡାକି କହୁଛି ବୁଝାଇ । ଘୋଷା ।

ପୃଥ୍ୱୀ ପରାୟେ ସହିଲେ ଧୀର ବଚନ କହିଲେ ।

ଶାନ୍ତି ଶୀଳ ଦୟା କ୍ଷମା ବହିଲେ ଯାଇ ।

ସମୁଦ୍ର ପ୍ରାୟେକ ବୁଦ୍ଧି । ସଦବ୍ରହ୍ମ ହେଲେ ସିଦ୍ଧି ।

ସାଧୁସନ୍ଥ ବୋଲି କହି । ୧ ।

ଆକାଶ ପ୍ରାୟେ ବିବେକ । ପରକାଶ ବ୍ରହ୍ମବାକ୍ୟ

ମୁଖେ ବଚନ ଭାସିଲେ ବେଦ ଜନ୍ମଇ ।

ପିଣ୍ଡବ୍ରହ୍ମାଣ୍ଡ ଏକତ୍ୱ । ମଣିଥାଇ ଏକମତ ।

ତେଣୁ ଯୋଗୀନ୍ଦ୍ର ଅଟଇ । ୨ ।

ଚାହୁଁ ଥାଇ ଚନ୍ଦ୍ରପଣେ । କରୁଣାଜଳ ନୟନେ

ଦୁଷ୍ଟ ସନ୍ଥ କାହାକୁ ଅନ୍ତର ନ ଥାଇ ।

ମନେ ନ କରି ବିକାର । ସର୍ବଭୂତେ ନିର୍ବିକାର

ତେବେ ଅତିଥ ବୋଲାଇ । ୩ ।

ଧୀରପଣେ କହେ ସତ । ବୀରପଣେ ସାମରଥ

ବାଚା ବିଚଳିତ କଦାଚିତ ନୁହଇ ।

ସକଳ ଭୂତରେ ଏକ । ଏକ ଆତ୍ମା ପ୍ରାଏ ଦେଖ ।

ଗୁରୁପଣକୁ ଯୋଗାଇ । ୪ ।

ପାଳୁଥାଇ ଇନ୍ଦ୍ରପଣେ । ଅନ୍ତର ନ ଥାଇ ମନେ

ଛପନା କୋଟିକି ପଡ଼ି ବାଣ୍ଟି ଦିଅଇ ।

ବ୍ରହ୍ମଗ୍ୟାନ ତତ୍ତ୍ୱ କୁହେ । ବଚନରେ ତାରି ନିଏ ।

ସାଧୁର ଲକ୍ଷଣ ଏହି । ୫ ।

ସମସ୍ତଙ୍କୁ ବୋଲେ ମୋର । ମୁହିଁ ଅଟଇ ତୁମ୍ଭର

ଆପଣା ଆତ୍ମାକୁ ଶିଷ୍ୟଭାବେ ରଖଇ ।

ଭଣେ ଭୀମ ଅରକ୍ଷିତ । ସେହିଟି ଏକା ଅତିଥ

ତା ପାଦ ଧରିବି ଯାଇଁ । ୬ ।

 

(୧୭୦)

ଗୁରୁଙ୍କୁ ପରା ସେବୁଛ, ଜାଣୁଅଛି ॥

ସତ୍ୟକୁ ମିଥ୍ୟା ମଣୁଛ । ଘୋଷା ।

ବ୍ରହ୍ମ ଯାହା ବୋଲିବାର ରଜବୀଜରୁ ବାହାର

ପୂରି ରହିଅଛି ସ୍ୱର୍ଗ ପାତାଳ ମଞ୍ଚ ।

ଧର୍ମ ପୁରୁଷ ଅଟଇ ଜନ୍ମ ମୃତୁ ନ ଲାଗଇ

ନୁହନ୍ତି କାହାରି ବଶ ।୧।

ଭଗତ ଅଙ୍ଗରେ ସିନା ପଡ଼େ ଏହୁ ଧର୍ମ ଚିହ୍ନା

ଭକ୍ତ ଭଗବାନ ଦିଶନ୍ତି ସମକଚ୍ଛ ।

ଚାରି ଯୁଗେ ଏହିପରି ଭୁଲାଉଛି ମାୟା କରି

କେହି ଜାଣି ନ ପାରୁଛ ।୨।

ଅଗ୍ନିର କାନ୍ତି ପରାଏ ବିରାଜନ୍ତି ଭକ୍ତ ଦେହେଁ

ଭରତକୁ ଆଗ କରି ଆପଣ ପଛ

ଭଗତ ଅଙ୍ଗରେ ଥାନ୍ତି ଅଶେଷ ସେବା ଘେନନ୍ତି

କିମ୍ପାଇ ଭିନ୍ନ କରୁଛ ।୩।

ହୃଦୟ ପଦ୍ମରେ ବାସ ଆତ୍ମାରୂପେ ତାର ବାସ

ଭଗତ ଅଙ୍ଗଟି ସିଂହାସନ ପାବଚ୍ଛ

ମଣିମୟ ମଣ୍ତପରେ ପ୍ରଭୁ ବିଜଏ ତହିଁରେ

ଡ଼େଙ୍ଗା ଜଗତୀରୁ ଉଞ୍ଚ ।୪।

ତାଳୁକା ଦୁଆର ଶିଖେ ଫୁଙ୍କା ବନ୍ଧ ହଦ କଳ୍ପେ

ଶୂନ୍ୟାଦି ମଣ୍ତଳ ନିର୍ଭା ହୋଇଛି ସଞ୍ଚ

ଶୂନ୍ୟ ଅବନା ମନ୍ଦିର ଅଲେଖ ଅବର୍ଣ୍ଣ ପୁର

ଯେସନେ ମୟୁର ପୁଚ୍ଛ ।୫।

ସେ ପ୍ରଭୁ ଅନାଦି କନ୍ଦ ଏକାକ୍ଷର ପାଦ ବିନ୍ଦ

ପିଣ୍ତ ପ୍ରାଣ ସେ ଠାବରେ ଦେଇଛି ଲାଞ୍ଚ

ଭଣେ ଭୀମସେନ ଭୋଇ ବ୍ରହ୍ମେ ଲୀନ ହେବା ପାଇଁ

ଶ୍ରୀଗୁରୁ ପାଦରେ ନେଞ୍ଚ ।୬।

 

(୧୭୧)

ସମ୍ଭାଳ ସତ୍ୟ ଧର୍ମକୁ        ବ୍ରହ୍ମାଣ୍ତକୁ

କହୁଅଛି ସମସ୍ତଙ୍କୁ । ଘୋଷା।

ର୍ମ୍ମ ଅବତାର ଗୁରୁ ଫେରୁ ଅଛନ୍ତି ଶୂନ୍ୟରୁ

କଳିଯୁଗେ କେହି ନାହିଁ ଜାଣିବାକୁ

ରୂପ ବର୍ଣ୍ଣ ଛନ୍ତି ହୋଇ ମନରେ ପରତେ ନାହିଁ

ବେନି ନେତ୍ରେ ଦେଖୁଁ ଦେଖୁଁ ।୧।

କିସ ମୁଁ ପରୀକ୍ଷା ଦେବି ଅଧିକରେ କି କହିବି

ଭଜନାରେ ବୁଝାଇ କହୁଛି ଏ ସଂସାରକୁ

ବେନି କର୍ଣ୍ଣ ଥାଉଁ ଥାଉଁ ଭେଦ ନ ପଶିଲା ଆଉ

ନ ଗଲା ତାଙ୍କ ମନକୁ ।୨।

ପାଷାଣ ତରଳି ଗଲା ଶୁଷ୍କତରୁ ପଲ୍ଲବିଲା

ଲେଶେ ଗ୍ୟାନ ନ ଭେଦିଲା ଲୋକମାନଙ୍କୁ ।

ଦୁର୍ଲ୍ଲଭ ଜନମ ପାଇ ଅଗ୍ୟାନରେ ହେଲ ବାଇ

ନ ଚିହ୍ନିଲ ସେ ପ୍ରଭୁଙ୍କୁ ।୩।

ଏବେ ଦୃଢ଼ କରି ଧର ସତ୍ୟାଦି ଧର୍ମ୍ମେ ବିଚର

ଅନେକ ପ୍ରକାରେ କହୁଅଛି ତୁମ୍ଭଙ୍କୁ ।

କବି ପଣେ ବସିଥିଲା କିଛି ସମସ୍ୟା ନ ଦେଲା

ନିନ୍ଦା ନ ଦେବ ପ୍ରଭୁଙ୍କୁ ।୪।

କେତେଦିନ ସଂସାରରେ ଥିବା ମହୀମଣ୍ତଳେ

ଆସ ସମସ୍ତେ ସେବିବା ସଦଗୁରୁଙ୍କୁ

ଧନ ନୋହେ ମାଳ ମାଳ ଜୀବ ନୋହେ କାଳ କାଳ

ଲୋଡ଼ ସେ ଶୂନ୍ୟ ପ୍ରଭୁଙ୍କୁ ।୫।

ସେ ଅଲେଖ ଅଣାକାର କଲେ ଯେତେ ଅବତାର

ଚିର କରି ରଖି ଦେଇ ନାହିଁ କାହାକୁ

ଭଣେ ଭୀମସେନ ଭୋଇ ପିଣ୍ତ ପ୍ରାଣ ଦାନ ଦେଇ

ଶ୍ରୀଗୁରୁ ପାଦତଳକୁ ।୬।

 

(୧୭୨)

ଭ୍ରମି ଯାଉଛ ଚିତ୍ତରେ             ଅଜ୍ଞାନରେ

ଜାଣୁ ଜାଣୁ ସଦେହରେ । ଘୋଷା ।

ଅଲେଖ ଶବଦ ଡାକ        ତିନିପୁର ତ୍ରୈଲୋକ

ମହିମା ନାମ ମିଶାଇ ଦୁଇ ପ୍ରକାରେ

ନିଜ ବ୍ରହ୍ମରେ ଭଜନ        ଆତଯାତ ଅନୁକ୍ଷଣ

ଦିବାନିଶି କଳ୍ପାନ୍ତରେ ।୧।

ନର ନାରାୟଣ ରୂପ        ବିସ୍ତାର ବ୍ରହ୍ମ କଳାପ

ମୂର୍ତ୍ତିବନ୍ତ ହୋଇ ବିରାଜୁଚ ମହୀରେ ।

ଜଗତଜନଙ୍କ ହିତେ        ଧର୍ମ୍ମ ସ୍ଥାପିବା ନିମନ୍ତେ

ଖୀନ ବୁଦ୍ଧ ଅବତାରେ ।୨।

ପ୍ରବୁଧ ବୁଦ୍ଧ ସ୍ୱରୂପ        ମାନବ ଶରୀର କଳ୍ପ

ନିଜ ଶକତ କି ଘେନି ନବ କ୍ଷିତିରେ

ଏକ ବ୍ରହ୍ମ ଦୁତୀ ରୂପ        ଗୁରୁ ଶିଷ୍ୟ ପ୍ରାୟେ ଦେଖ

ଆସିଛନ୍ତି ଗୁପତରେ ।୩।

ଶ୍ରୀଗୁରୁ ବଚନ ମାନି        ଛାମୁ ଆଗ୍ୟାଁ ଶିରେ ଘେନି

ଏକମତ ହୋଇ ଚାଲ ଧର୍ମ୍ମ ପଥରେ

ଧରି ସଦଗୁରୁ ପାଦ        ମନରୁ ସଂଶୟ ଛେଦ

କପଟ ଛାଡ଼ି ଅନ୍ତରେ ।୪।

ଅଶ୍ରୁତି ହୋଇ ଯାଉଚ ହେତୁ ଚେତା ବୁଡ଼ାଉଚ

ସମସ୍ତେ ଭାସି ଯାଉଚ ମାୟାସାଗରେ

ଅନ୍ତର୍ଯ୍ୟାମୀ ଗୁରୁଦେବ        ଛାଡ଼ିଛନ୍ତି ଧର୍ମ୍ମ ନାବ

ଏ ଘୋର କଳିଯୁଗରେ ।୫।

ବେନି ଜନ ଏକମତ        ବାରିଲେ ବାରି ନୋହେତ

ମନର ଭିତରେ ଜଣାଉଛି ଅନ୍ତରେ

ଭଣେ ଭୀମ ଅରକ୍ଷିତ        ଶତେ ବାର ପ୍ରଳମ୍ବିତ

ଶ୍ରୀଗୁରୁ ଶିଷ୍ୟ ପୟରେ ।୬।

 

(୧୭୩)

ଶୂନ୍ୟରେ ଲାଗିଛି ପୁଣ୍ୟ ତପସ୍ୟା ଗୋ ।

ତେଣୁ ଶୁନ୍ୟ ନାମ କର ଭରସା ଗୋ । ଘୋଷା ।

ଅପୂର୍ବ ମହିମା ନାମ, ନିଷ୍କାମ ଅଟଇ ଧର୍ମ ।

ଦେଖି ନ ସହନ୍ତି ସାହି ପଡ଼ିଶା ଗୋ ।୧।

ଏ ଦେହରେ ସବୁ ଅଛି, ବେଦ ଭୁଲାଇ ମାରୁଛି

ବିଅର୍ଥେ ନ ଯାଅ କ୍ଷେତ୍ର ଓଡ଼ିଶା ଗୋ ।୨।

ବ୍ରହ୍ମକୁ ଯେବେ ଚିହ୍ନିବ, ଆତ୍ମା ଲିଙ୍ଗ ନ ଟଳିବ,

ଦୁରାନ୍ତ ହୋଇବ କ୍ଷୁଧା ତୁରୁଷା ଗୋ ।୩।

ଆପେ ହୋଇବ ଉଦ୍ଧାର, ପ୍ରବେଶ ନିଜ ବ୍ରହ୍ମର,

ଉଦ୍ଧାର ପାଇବେ ସପ୍ତପୁରୁଷ ଗୋ ।୪।

ମନ ମଧ୍ୟେ କଲେ ତତ୍ତୂ ପାଇବା ପୁର୍ବର ହେତୁ

ସକଳ ଜୀବରେ କଲେ ଅହିଂସା ଗୋ ।୫।

ଭଣେ ଭୀମ ଅରକ୍ଷିତ, ଅରୂପ ବ୍ରହ୍ମରେ ଚିତ୍ତ,

ନିରନ୍ତରେ କରିଅଛି ସାହସ ଗୋ ।୬।

 

(୧୭୪)

ହୋଇଲେ ସ୍ତିରୀ ପୁରୁଷ ଭଗତି ଗୋ ।

ତେବେ କଳିଯୁଗ ଯିବ କଟତି ଗୋ । ଘୋଷା।

ସତ୍ୟାଦି ଧର୍ମେ ଯେ ଜନ, ରଖିଥିବ ପିଣ୍ତ ପ୍ରାଣ,

ଲଭିବ ଧନ ରତନ ସମ୍ପତ୍ତି ଗୋ ।୧।

ଭୟ ତେଜି ଭକ୍ତି କର, ହାନି ଲାଭକୁ ନ ଡର,

ତେବେ ସେ ପାଇବ ଗତି ମୁକତି ଗୋ ।୨।

ପୁତ୍ର ଦୁହିତା ପ୍ରଦାନ, କରିବ ଯେବଣ ଜନ,

ଚାରି ଯୁଗେ ରଖିଥିବ କିରତି ଗୋ ।୩।

ଏତେବେଳେ ସବୁ ଅଛି, ଆଗକୁ ନ ମିଳେ କିଛି,

ଭାରତେ ଛିଡ଼ିବେ ଲକ୍ଷେ ନୃପତି ଗୋ ।୪।

ନାମେ ଆଶ୍ରିତ ଯେ ହେବେ,       ରବିତଳେ ସେ ରହିବେ,

ନିଶ୍ଚିନ୍ତେ ଭୋଗ କରିବେ ଏ ପୃଥୀ ଗୋ ।୫।

ଭଣେ ଭୀମ ହୀନ ଭୋଇ, ବେଳୁ ବେଳ ଅନର୍ଥୁହିଁ,

ତେଣୁ ଘୋଟି ଆସୁଅଛି ବିପତ୍ତି ଗୋ ।୬।

 

(୧୭୫)

ଶୂନ୍ୟେ ଅବଧୂତ ବାନା ଉଡ଼ୁଛି ଗୋ ।

ଧରତି ଆକାଶ କମ୍ପି ଯାଉଛି ଗୋ । ଘୋଷା।

ଅନାହତ ବ୍ରହ୍ମ ଧୂନି ମର୍ତ୍ତ୍ୟରେ ସ୍ଥାପିଲେ ଆଣି

ମର୍ତ୍ତ୍ୟକୁ କେଡ଼େ ଶୋଭା ପାଉଛି ଗୋ ।୧।

ନ ଜାଣନ୍ତି ତିନି ପୁର ମାୟା ସଂସାରେ ପ୍ରଚାର

ଏକାକ୍ଷର ପାଦ ଉଦେ ହୋଇଛି ଗୋ ।୨।

ଚାରିଲକ୍ଷ ବତିଶ ସସ୍ର, କଳି ହୋଇଯିବ ଶେଷ,

ସତ୍ୟାଦି ହେବାକୁ କଥା ପଡ଼ିଛି ଗୋ ।୩।

ଗୁରୁ ପାଦପଦ୍ମ ଜାଣ, ପାନ କରେ ଯେଉଁ ଜନ,

ଚେତା ଥିଲେ ନାମ ନୁହେ ମୁରୁଛି ଗୋ ।୪।

ଗୁରୁ ନ ଦେଲେ ବତାଇ, ଏହା ମୁ ଜାଣନ୍ତି କାହିଁ,

ଅମନ ମନ୍ଦିରୁ ଉଦେ ହୋଇଛି ଗୋ ।୫।

ଭଣେ ଭୀମସେନ ଭୋଇ, ଶ୍ରୀଗୁରୁ ଚରଣେ ଧ୍ୟାଇ,

ଛାମୁ ଆଜ୍ଞା ଶିର ପରେ ବହିଛି ଗୋ ।୬।

 

(୧୭୬)

କର ନିଷ୍କାମ ଭକ୍ତି ସୁଚିତ୍ତେ ଗୋ

ଦେହ-ଧାରୀ ଯେତେ ଅଛ ଜଗତେ ଗୋ । ଘୋଷ।

ଭଗତଙ୍କ ହିତକାରୀ, ଅନାଦି ଅରୂପ ହରି

ବ୍ରହ୍ମାଣ୍ତକୁ ରଖିବାର ନିମନ୍ତେ ଗୋ ।୧।

ଏହି କଳିଯୁଗେ ଜାଣ, ବୁଦ୍ଧ ରୂପେ ନାରାୟଣ,

ଭାଗ୍ୟ ଥିଲେ ବାନ୍ଧି ରଖ ପଣନ୍ତେ ଗୋ ।୨।

ଅରୁପ ବ୍ରହ୍ମକୁ ଭାବ, ପାଇବ ଯେମନ୍ତେ ଠାବ,

ଅନନ୍ତ ଗର୍ଭେ ରହିବ ନିଶ୍ଚିନ୍ତେ ଗୋ ।୩।

ସ୍ଥିତି ଉଭପତ୍ତି ପ୍ରଳୟ, ନ ଥିବ କାହାକୁ ଭୟ

କଟିବ ଜନ୍ମ ମରଣ ସାକ୍ଷାତେ ଗୋ ।୪।

କଳି ଭାଙ୍ଗି ସତ୍ୟ ହେବ, ନିର୍ଣ୍ଣୟ ବଚନ ଧ୍ରୁବ,

ଦ୍ୱାଦଶ ବାରେ କୋଟି ଭଗତି ଗୋ ।୫।

ଭଣେ ଭୀମ ହୀନ କନ୍ଧ, ନ ଭଜିଲେ ପାଦ ବିନ୍ଦ,

କଦାଚିତ କ୍ଷମା ନାହିଁ ପଶ୍ଚାତେ ଗୋ ।୬।

 

(୧୭୭)

ନ ପଡ଼ ଚିହ୍ନା, କରମୁ ଅଛି ଜଣା ।

ଅବନା ମନ୍ଦିରେ ଥାଇ ଦେଖ ଦେଖ ଭାବନା । ଘୋଷା।

ସତ୍ୟ ଧର୍ମ ବୋଲି ଜାଣି, କେହି କାହାକୁ ନ ମାନି

ହୋଇଲେ ବଣା

ଭଜିଥିଲା ଭକ୍ତମାନେ ମନ କଲେଣି ଊଣା ।୧।

ମହିମା ନାମ ମହୀରେ, ଏ ନବ ଜମ୍ଭୁଦ୍ୱୀପରେ

ହୋଇଲା ବୁଣା ।

ଆୟ ବ୍ୟୟ କରି ନ ପାଇଲେ କଳଣା ।୨।

ଏକେ ଧର୍ମ ବେନି ଭାଗ, ବଢ଼ିଲାଣି ହିଂସା ମାର୍ଗ

କରି ବାରଣା ।

ନିଷ୍କାମର ପୁଣ୍ୟଫଳ ବୁଡ଼ିଲାଣି ଧାରଣା ।୩।

ଏଥର ଏଣିକି ପ୍ରଭୁ, ଉଦଯୋଗ ହେଲା ସବୁ

ନୂଆ ରଚନା ।

ଅଲେଖ ମଣ୍ତଳୁ ଯାହା କରିଥିଲେ ପାଞ୍ଚନା ।୪।

ବହିବାରୁ ନରଦେହ, ହେଲାଣି ମହୀ ଦୁର୍ଣ୍ଣୟ

ପଡ଼ି ବନ୍ଦନା ।

ପଞ୍ଚଭୂତ ହୃଦୟରେ ଲାଗିଛି ହେଜ ଗୁଣା ।୫।

ଭଣେ ଭୀମ ଅରକ୍ଷିତ ଶ୍ରୀଗୁରୁ ଚରଣେ ଚିତ୍ତ

ହୋଇ ବିମନା ।

ପୂର୍ବକଥାମାନ ସବୁ ମନେ ପଡ଼ୁଛି ସିନା ।୬।

 

(୧୭୮)

ଉଦୟ ନୁହ, ଗୁପତେ ରହିଥାଅ ।

ଏ ବ୍ରହ୍ମାଣ୍ତ ବୁଝିବାକୁ ଶ୍ରୀମୁଖେ ଆଜ୍ଞା ଦିଅ । ଘୋଷା।

ବାଳକ ପରାୟେ ହୋଇ, ଅବନା ମନ୍ଦିରେ ଥାଇ

ବାହାର ନୁହ ।

ଚାରି ଦିନ ହୋଇ ନାହିଁ ତେଜିଛି ପରା ଦେହୀ ।୧।

ଅନନ୍ତେ ଗର୍ଭ ଭୁବନ, ମେରୁ ପୃଷ୍ଠରେ ଆସନ,

ଅଚିନ୍ତା ହୁଅ ।

ଆଉ ଥରେ ଆସିବାକୁ ବେଳ ନୋହେ ସମୟ ।୨।

ଛପନାକୋଟି ଜୀବର, ଏକୋଇଶ ବ୍ରହ୍ମାଣ୍ତର,

ହିସାବ ନିଅ ।

ଗତି ମୁକ୍ତି ସମ୍ପତ୍ତିକି କୋଠ ଭଣ୍ଡାରେ ଥୁଅ ।୩।

ଏହିଠାରୁ ସତ୍ୟ ଧର୍ମ, ସବୁ ଗୁରୁ ଆଜ୍ଞା ମାନ

ନୋହିଲା ନ୍ୟାୟ ।

ଧର୍ମ ବୁଡ଼ିଗଲା ବୋଲି ହୃଦୁ ଉଠୁଛି କୋହ ।୪।

ବୁଝାଇ କହିଲି ଯେତେ, କେହି ନ ଗଲେ ପରତେ

ମୁକ୍ତି ବିଷୟ ।

ଗୁରୁପାଦେ ଶତେବାର ଆହୁରି କଲେ ଦ୍ରୋହ ।୫।

ଅନାଦି ଠାକୁର ସେହି, ହଜିଯିବ ଅବା ଏହି

ଜ୍ଞାନକୁ କଲେ ଭୟ ।

ଭଣେ ଭୀମ ଅରକ୍ଷିତ ନେତ୍ରୁ ବହୁଛି ଲୁହ ।୬।

 

(୧୭୯)

ନ ଆସ ଗୁରୁ, ନିଶବଦ ମନ୍ଦିରୁ ।

ଲଘୁଯଶା ବହିବାକୁ କି ନେବ ଏ ସଂସାରୁ । ଘୋଷା।

ବତାଇ କହିଲେ ଯେତେ, ନ ମାନିଲେ କଦାଚିତେ

ପାପ କର୍ମରୁ ।

ସମସ୍ତେ ଅଜ୍ଞାନୀ ହେଲେ ଘୋର କଳିୟୁଗରୁ ।୧।

ଅଭ୍ୟାଗତମାନେ ହେଲେ, ମହିମା ଦୀକ୍ଷା ତ ନେଲେ

ସତ୍ୟ ଧର୍ମରୁ ।

କାମ କଳ୍ପଣା ପ୍ରକୃତି ନ ଛାଡ଼ିଲେ ମନରୁ ।୨।

କେହି ଜାଣି ନ ପାରିଲେ, ଅରୂପରୁ ରୂପ ହେଲେ,

ମହାଶୂନ୍ୟରୁ ।

ଭୟେ ବଞ୍ଚି ପଳାଇଲେ ମାୟା ସିନ୍ଧୁସାଗରୁ ।୩।

ଏହି ନର ଦେହ ଲୋକ, ନିଷ୍କଳଙ୍କରେ କଳଙ୍କ

ଲଗାଇବାରୁ ।

ସାକ୍ଷାତେ ନିଜ ବ୍ରହ୍ମକୁ ଦେଖି ଡରିଲେ ଦୂରୁ ।୪।

ଏ କଳିଯୁଗ ମନୁଷ୍ୟ, ସର୍ବେ କରିଛନ୍ତି ଦୋଷ

ଗୁରୁ ପୟରୁ ।

ପୂର୍ଣ୍ଣ ନୋହେ ଭକ୍ତିମାନ ନାମେ ଦ୍ରୋହୀ ହେବାରୁ ।୫।

ଆଦ୍ୟରୁ ଅନାଦି ଏକ, ସୁଜନେ କର ବିବେକ

ବେଦାନ୍ତ ଘରୁ ।

ଭଣେ ଭୀମ ଗୁରୁ ଚିନ୍ତା ଅନନ୍ତ ପୃଷ୍ଠ ମେରୁ ।୬।

 

(୧୮୦)

ନୁହନ୍ତି ଦୃଶ, ଅନାଦିତ ପୁରୁଷ ।

ଜଗତ ଭଗତ କେହି ନ ପାନ୍ତି ଅନ୍ତ ଲେଶ । ଘୋଷା।

ମହାଶୂନ୍ୟ ଶୂନ୍ୟଦେହୀ, ରୂପ ରେଖ ବର୍ଣ୍ଣ ନାହିଁ,

ନିଗମେ ପଶ ।

ଅଲେଖ ମହିମା ନାମ ମଣୁଅଛନ୍ତି ବିଷ ।୧।

ଯାହା ଜଣାଉଛି ପ୍ରଭୁ, ଅପ୍ରାଧ ଖଣ୍ତିବ ସବୁ,

ନ ଧରି ଦୋଷ ।

ଅନ୍ତର୍ଯ୍ୟାମୀ ଗୁରୁ ମୋର ଆଉ କି କହିବି କିସ ।୨।

ମୋର କିଛି ଦୋଷ ଅଛି, କବିତା ରୂପେ ବର୍ଣ୍ଣିଛି,

କରି ବିଶ୍ୱାସ ।

ନିନ୍ଦିତ ବଡ଼ିମା କରି ନ ଆସୁଛନ୍ତି ପାଶ ।୩।

ଛପନା କୋଟି ଜୀବକୁ, ଧର୍ମ ଯାଚିଲା ବେଳକୁ,

ନୋହିଲେ ବଶ ।

ପ୍ରଳୟ ହେଲାଣି ଯୁଗ କଳି ହୋଇବ ଶେଷ ।୪।

ଗୁରୁ ରୂପେ ବିରାଜିତ, ଘେନି ବ୍ରହ୍ମ ତେଜବନ୍ତ

ଆବୋରି ବସ ।

ସମ୍ବତ୍ସର ତ୍ରୟ ସାଲ ଆସି ହେଲା ଛଅ ମାସ ।୫।

ସେ ଅଲେଖ ଅଣାକାର, ହେଲେ ବୁଦ୍ଧ ଅବତାର

ଗୁପ୍ତେ ପ୍ରକାଶ ।

ଭଣେ ଭୀମ ଅରକ୍ଷିତ ଅନନ୍ତ ପରେ ବାସ ।୬।

 

(୧୮୧)

ଚିନ୍ତା ବହୁତ ଦିନୁ ଦିନକୁ ଶିର ପରେ ବଜ୍ର ପ୍ରାୟେ ତ । ଘୋଷା ।

ଅଲେଖ ଶ୍ରୀଗୁରୁ,                  ଜାଣନ୍ତି ଅନ୍ତରୁ,

ଯାହା ମୋ ଜଣାଣ ସେବା ଭକ୍ତି ।

ସଦା ଅପରାଧୀ ଜୀବ,            ଦୟା ହେଲେ ଯାଇଁ ହେବ

ଥୟ ନାହିଁ ପଞ୍ଚମନ ଆରତ ।୧।

ଏ ଘୋର ବିପଦ,                  ଅରୂପ ଅନାଦ,

କାଟିବାକୁ ଏକା ସାମରଥ ।

ଏ ପିଣ୍ଡ ପ୍ରାଣକୁ ଆଶା,            ଅନ୍ୟେ ନୋହୁଛି ଭରସା

ବେନି ନେତ୍ରୁ ବହୁଅଛି ଅଶ୍ରୁତ ।୨।

ଦିବସ ରଜନୀ,                  ପଡ଼ିଛି ଭାଳେଣି,

ହୃଦପଦ୍ମେ ମୋର ଘାରି ହୋଇ ।

କରୁଛି ହାରି ଗୁହାରି,                  ହେ ଗୁରୁ ଶୂନ୍ୟବିହାରୀ,

ନିବାର ମନ ସନ୍ତାପ ଦୁରିତ ।୩।

ବ୍ରହ୍ମାଣ୍ଡ କରତା,                  ମୋ ଇଷ୍ଟ ଦେବତା

ତେଣୁ ସୁମରଣା ମନେ ମୋର ।

କାହାଗେ କହିବି ଆଉ,            ଉଦ୍ଧର ହେ ମହାବାହୁ ।

ଶ୍ରୀଛାମୁରେ ପ୍ରସାରିଛି ପଣନ୍ତ ।୪।

ଏ ଶିରକମଳ,                  ଦେଇ ପାଦତଳ,

ହାରି ଗୁହାରି ସର୍ବଦା ତୁମ୍ଭର ।

ରଖ ବା ନ ରଖ ଇଚ୍ଛା,            ଆଉ ଅନ୍ୟେ ନାହିଁ ବାଞ୍ଛା,

ବାରେକ ମାତ୍ର ସମ୍ଭାଳ ମହତ ।୫।

ଭକ୍ତ ହିତକାରୀ,                  ବୁଝ ବେଗ କରି,

ଆବୋରି ସମ୍ଭାଳ ଧର ଧର ।

କରିଅଛ ଦାସୀ ଦାସ,      ତୁମ୍ଭେ ରଖ ତୁମ୍ଭ ଯଶ,

ଅନୁସରି ଅଛି ଭୀମ ଅର୍କ୍ଷିତ ।୬।

 

(୧୮୨)

ଭୟ ନ ଗଲା, ହୃଦ ପଦ୍ମରୁ, ମହାବ୍ରହ୍ମ ଗୁରୁ ଥାଇଁ । ଘୋଷା ।

ଗୁରୁଦେବ ମୋର,                  ସଂକଟରୁ ତାର

ଏ ଛାର ବିପତ୍ତି କେଡ଼େ ଗରୁ ।

ଚାହିଁ ଦେଲେ ଉଡ଼ିଯିବ,            ଆର ଦିନକୁ ନ ଥିବ,

ଏବେ ଆସି ମୋତେ ଦଣ୍ଡ ପଡ଼ିଲା ।୧।

ତେଣୁ କରି ସିନା,                  ଶ୍ରୀଛାମୁରେ ଜଣା,

କରୁଅଛି ଭୃତ୍ୟ ବାରୁଁବାର ।

ମନେ ଲାଗୁଛି ସଂଶୟ,            କର୍ମ ଅକର୍ମ ବିଷୟ

ନିରନ୍ତରେ ଅପରତେ ଦିଶିଲା ।୨।

ଅଭୟ ଚରଣ,                  ଭଜି ଅପମାନ,

କିମ୍ପାଇଁ କରୁଛ ଏତେ ସରି ।

ଶ୍ରୀଗୁରୁ ଆଗ୍ୟାଁ ଗରିଷ୍ଠ,            ଏକି ଅଟେ ବଡ଼ରିଷ୍ଟ,

କଳପିଲେ ଖଣ୍ଡ ଖଣ୍ଡ ଛିଡ଼ିଲା ।୩।

ଦୁଖିଜନ ବନ୍ଧୁ,                  ଫେଡ଼ ମାୟା ଦ୍ୱନ୍ଦୁ,

ନ ଜାଣଇ କିଛି ଭଲ ମନ୍ଦ ।

ଭରସା କରିଛି ଭାରି,            ଦେଖ ମୁଁ ଯାଉଛି ସରି,

ରକ୍ଷା ନ କଲେ ଏ ଜୀବ ଭାସିଲା ।୪।

ଶୂନ୍ୟ ସତ୍ୟଧର୍ମ,                  ଫେଡ଼ ମାୟା ଭ୍ରମ

କରିଅଛି ଦୋଷ ଅପରାଧ ।

ଅଲେଖ ଗୁରୁ ଯାହାର,            କାହାକୁ ଭୟ ତାହାର

ଅପ୍ରସନ୍ନ ହେଲେ ସବୁ ନାଶିଲା ।୫।

ଧ୍ୟାଇ ପାଦ ବିନ୍ଦ,                  ଭଣେ ଭୀମ କନ୍ଧ,

ପାରି କରି ନିଅ ସ୍ୱାମୀ ମୋତେ ।

ଗଳାରେ ବସନ ବାନ୍ଧି,            କାକୁସ୍ତରେ କାନ୍ଦି କାନ୍ଦି,

ବିପତ୍ତି ନିମନ୍ତେ ରଟି ବସିଲା ।୬।

 

(୧୮୩)

ଏତେ ଅବସ୍ଥା, ନର ତନୁରେ, ଶୂନ୍ୟ ପୁରୁଷଙ୍କୁ ଭଜି । ଘୋଷା ।

କି କରିବି ବୁଦ୍ଧି,            ମନ୍ତ୍ର ମଉଷଧି,

ସକଳ ଅଟନ୍ତି ଗୁରୁଦେବ ।

କରୁଣାସିନ୍ଧୁ କାରେଣି,            ଦେବେ ଭକ୍ତ ମନ ଜାଣି,

ଆତଯାତ ଦଇବତ ବିଧାତା ।୧।

ଗଳାରେ ବସନ,                  ଦନ୍ତରେ ତିରଣ

ପଡ଼ି ସଦଗୁରୁ ପାଦତଳେ ।

ଅଥଳେ ଯାଉଛି ଭାସି,            ରକ୍ଷା କର ଶୂନ୍ୟବାସୀ,

ଏ ପିଣ୍ଡ ବ୍ରହ୍ମାଣ୍ଡ ସବୁ ଗଢ଼ନ୍ତା ।୨।

ହରତା କରତା,                  ଗୁରୁ ଗ୍ୟାନଦାତା,

ଗତି ପତି ତ୍ରାହିକାରୀ ପ୍ରଭୁ ।

ଦରିଦ୍ର ପ୍ରାଣିଙ୍କ ଧନ,            ନିରକ୍ଷଙ୍କ ଗଣ୍ଠିଧନ,

ଶରଣ-ରକ୍ଷଣବାନା ବହନ୍ତା ।୩।

ଯେଣୁ ତୁ ଅରୂପ,                  ନାହିଁ ତୋର ରୂପ,

ଚିହ୍ନି ଭଜିବାକୁ ଦୃଢ଼ ବନ୍ଧେ ।

କେବଣ ମୂରତି ତୋର,            ମୋତେ ନାହିଁ ନା ଗୋଚର

ବିହି ରୂପେ କପାଳରେ ଲିହନ୍ତା ।୪।

ଏହି ଛାର କଥା,                  ହୋଇଲାଣି ବୃଥା,

ମନ କଳ୍ପଣା ଜାଣିବେ ମୋର ।

ଅନ୍ତରଯାମିନ ପଦ,            ଗୁରୁ ପରା ହେ ଅନାଦ,

ସମ୍ପତ୍ତି ବିପତ୍ତି ଠାରେ ଶକତା ।୫।

ମୋଠାରେ ନିର୍ଦ୍ଦୟା,            କରୁଅଛ ମାୟା,

ଆତଙ୍ଗ- ନାଶନ ଫେଡ଼ ପ୍ରଭୁ ।

ଭଣେ ଭୀମ ଅରକ୍ଷିତ,            ଶ୍ରୀଗୁରୁ ଚରଣେ ଚିତ୍ତ,

ଜଣାଉଛି ଦୁଖ ସୁଖ ବାରତା ।୬।

 

(୧୮୪)

ଭୃତ୍ୟ ବିନତି, କିମ୍ପା ନ ଶୁଣ, ଶୂନ୍ୟ ଅଲେଖ ଅଜ୍ୟୋତି । ଘୋଷା ।

ସଦାକାଳେ ଦୁଖ,            କେବେ ନାହିଁ ସୁଖ,

ନ ଗଲା ହୃଦରୁ ଚିନ୍ତା ମୋର ।

ପିଣ୍ଡ ବ୍ରହ୍ମାଣ୍ଡେ ପୂରିଛି,      କି ଅବା କି ନ ଜାଣୁଛ,

କିମ୍ପାଇ ଭିଆଉଅଛ ଅକୀର୍ତ୍ତି ।୧।

ଦିନୁ ଦିନ ମୋତେ,            ଭୟ ଅନ୍ତର୍ଗତେ,

ଅଭୟ ଚରଣ ବାନା ଥାଇଁ ।

ଗୁପତରେ ଉଦେ ହୋଇ,            ସତ ଶାନ୍ତି ଦୟା ଫେଇ

ଜାଣି କରି ପକାଉଛ ବିପତ୍ତି ।୨।

ତନୁ ବହିବାର,            କି ହେଲା ଅସାର,

ଉଛନ୍ନ ହେଉଛି ପଞ୍ଚମନ ।

ଘୋଟୁଛି ଦୁର୍ଦ୍ଦଶା ଯୋଗ,            ପଡ଼ୁଛି ଭୋଗରେ ରୋଗ,

ଥାଉଁ ଅଲେଖ ମହିଁମା ଶକତି ।୩।

ଅକଳ୍ପଣା ହୋଇ,                  କଳ୍ପଣା କିମ୍ପାଇ

ଯେମନ୍ତେ ନ ଥିଲା ପ୍ରୟୋଜନ ।

ମନୁଷ୍ୟ ପରାଏ ମୋତେ,            ଜାତ କଲେ କି ନିମନ୍ତେ

ଦେଇ ନ ପାରିବ ଯେବେ ମୁକତି ।୪।

ଧିକ ଏହୁ ପିଣ୍ଡ,            ଭୁଞ୍ଜିବାର ଖଣ୍ଡ,

ସମ୍ପୂର୍ଣ୍ଣ ଏ ଥିଲେ କର୍ମକାଣ୍ଡେ ।

ଧିକ ଧିକ ଏ ଜୀବନ,            ସ୍ନେହଲତା ଘୋରବନ,

ଧିକ ପ୍ରାଣ ନ ଯୋଗାଏ ୟେ ପୃଥୀ ।୫।

ଏଡ଼େ ପ୍ରଭୁ ଥାଇଁ,                  ମାୟା ମୋହେ ବାଇ,

ହେଉଅଛି ଦିବା ନିଶି ଧନ୍ଦି ।

ଭଣେ ଭୀମ ଅରକ୍ଷିତ,            ଶ୍ରୀଗୁରୁ ଚରଣେ ଚିତ୍ତ,

ନିରନ୍ତରେ ଲାଗିଥାଉ ମୋ ମତି ।୬।

 

(୧୮୫)

ଦେଖ ସଜନି ଗାଦି ମନ୍ଦିର ଗୋ ।

କମ କବାଟ ଚିତ୍ର ବିଧିର ଗୋ । ଘୋଷା ।

ସତ୍ୟଯୁଗେ ଏହି ହରି,            ବାମନ ମୂରତି ଧରି,

ତମ୍ବାପାତ୍ରୀ କୁଶ ବଟୁ ହସ୍ତର ଗୋ ।

ଇନ୍ଦ୍ର ଦେବତାର ଛଳେ,            କପଟେ ବିଜୟ କଲେ,

ଦାନ ଘେନିଲେ ବଳି ଦୁଆର ଗୋ ।୧।

ତ୍ରେତୟା ଯୁଗରେ ଏହି,            ରାମ ଅବତାର ହୋଇ,

ସୀତା ଘେନି ବୁଲୁଥିଲେ ବନର ଗୋ ।

କଷା କଉପୁନି ବେଶ,            ରାବଣକୁ କଲେ ନାଶ,

ଅଭିଷେକ ହେଲେ ନିଜ ରାଜ୍ୟର ଗୋ ।୨।

ଦ୍ୱାପର ଯୁଗରେ ହରି,            କୃଷ୍ଣ ଅବତାର ଧରି,

ଗୋପୀଗଣ ଘେନି ପ୍ରୀତି ଗୁପ୍ତର ଗୋ ।

ଇନ୍ଦ୍ର ସଙ୍ଗତେ ବିବାଦ,            ରଖିଲେ ଗୋପ ସମ୍ପଦ,

କରେ ଟେକିଥିଲେ ଗିରି ମନ୍ଦର ଗୋ ।୩।

ଘୋର କଳିଯୁଗେ ଆସି,            ହୋଇଛନ୍ତି ଭିକ୍ଷାବାସୀ,

କାମ କଳ୍ପଣା ଛଡ଼ାଇ ଅନ୍ତର ଗୋ ।

କେହି ନ ପାଇବେ ଅନ୍ତ,            କଳି ଯାଇଁ ହେବ ସତ୍ୟ,

ଧୂନି ସ୍ଥାପିଛନ୍ତି ମାଳ ବିହାର ଗୋ ।୪।

ଯେ ପ୍ରଭୁଙ୍କ ଦାସୀ ଦାସ,            ଶରଣ ପଶିବା ଆସ,

ଦୁର୍ଲ୍ଲଭ ଜନ୍ମେ ପାଇଛ ଶରୀର ଗୋ ।

ଭଣେ ଭୀମ ହୀନ ଭୋଇ,                  ବହିଛ ମାନବ ଦେହୀ,

ମାୟାସଂସାରୁ କରିବେ ଉଦ୍ଧାର ଗୋ ।୫।

 

(୧୮୬)

ଧୂନି ଘରେ ରାଧିକା ବିଳାସ ଗୋ । କରିବେ ଭଗତେ ଖେଳ ରସ ।

ଆସ ସର୍ବେ ହୋଇଯିବା ବେଶ ଗୋ । ଘୋଷା ।

ମଦନ ମୋହନ ହରି,      ଲାବଣ୍ୟମୂରତି ଧରି,

ଭଜ ଯାଇଁ ପାଶ ଗୋ ।

ଜନ୍ମ ପାପ ନାଶ,            ସକଳେ ବେଢ଼ିବା ଆସ,

ଚାରିଦ୍ୱାର ଦଶ ଦିଶ ।

କାହିଁଯିବେ ପ୍ରଭୁ ପୀତବାସ ଗୋ ।୧।

ଦୁଖିର ଜୀବର ଧନ,      ଆହା ମୋ ଗଳା ରତନ,

ଭାବଭୋଳେ ବଶ ଗୋ ।

ଅଭାବେ ଅଦୃଶ୍ୟ ।

ଅଣହତ ଧୂନି ମଧ୍ୟେ,      ବିଜୟେ ଅନାମ ବେଦେ,

ଧରି ରୂପ ବର୍ଣ୍ଣ ପରକାଶ ଗୋ ।୨।

ମନର ମନ୍ଥନ ବଂଶୀ,      ଜୀବନ ଘେନି ଯାଉଛି,

ଋତୁ ମଧୁମାସ ଗୋ ।

ଫୁଟିଅଛି ପୁଷ୍ପ ।

ମୋହର ମନକୁ ଏହା,      ବିଚାର ଆସୁଛି ଯାହା,

ପିଉଥାନ୍ତି ସୁଧା ମଧୁରସ ଗୋ ।୩।

ଆସି ପାହିଲାଣି ଦିନ,      ପିଣ୍ଡ ପ୍ରାଣ ଦେଲି ଦାନ,

ବୁଝୁଅଛ କିସ ଗୋ ।

ତେଜ ଗୃହବାସ ।

କେହି ନ ମଣୁଛ ସତ,      ଏହି ଗୋ ଯଶୋଦା ସୁତ,

ସାକ୍ଷ ଥାନ୍ତୁ ଧରତି ଆକାଶ ଗୋ ।୪।

ନବୀନ ନଟନାଗର,      ଗୋପ ଯୁବତୀଙ୍କ ବର,

ନବରଙ୍ଗେ ବେଶ ଗୋ ।

କରିବେ ରାହାସ ।

ସାତଦିନ ସାତରାତି,      ଢାଳିବେ ଚାମର ଛତି,

ଚାହିଁଲେ ଖଣ୍ଡିବ ପାପ ଦୋଷ ଗୋ ।୫।

ହୋଇବ ଅବଶ୍ୟ ଦେଖ,      ଜାଣିବେ ଜଗତ ଯାକ,

ବଟମୂଳେ ଦୃଶ୍ୟ ଗୋ ।

କାଳିନ୍ଦୀ ପାରୁଶ ।

ଥାଅରେ ମୋ ପିଣ୍ଡ ଜୀବ,            ଦେଖିବୁ ପ୍ରଭୁଙ୍କ ଭାବ,

ଭଣିଲେ ଭଗତ ଭୀମ ଦାସ ଗୋ ।୬।

 

(୧୮୭)

ଦେଖ ଆଦିବ୍ରହ୍ମ ମୂର୍ତ୍ତି, ନିତ୍ୟେ ପଡ଼ୁଛି ଆହୁତି ।

ଚିହ୍ନି ସୁଜ୍ଞ ସାଧୁଜନେ ନିରନ୍ତରେ ଭଜୁଛନ୍ତି । ଘୋଷା ।

ଦଧି ଦୁଗ୍‌ଧ ମଧୁ ଘୃତ,       ଗୁଡ଼ ସଞ୍ଚା ପଞ୍ଚାମୃତ ।

ଭୁଞ୍ଜାଉଛନ୍ତି ଭଗତେ       ମଜାଉଛନ୍ତି ପୀରତି ।୧।

ଚଉଷଠି ସିଦ୍ଧ ଯୋଗୀ,       ଧୂନିକି ଅଛନ୍ତି ଜାଗି ।

ପିଉଛନ୍ତି ସୁଧାଧାର ଛେଦି       ଲୋଭ ମୋହ ପ୍ରକୃତି ।୨।

ବିଜେ ପ୍ରଭୁ ଜମ୍ବୁଦ୍ୱୀପେ,       ବାହ୍ୟକୁ ଅତିଥିରୂପେ ।

ତାରିବେ ଭଗତଗଣ       ସାଧି ସପ୍ତଦ୍ୱୀପ ପୃଥ୍ୱୀ ।୩।

ଭରସା ଯେମନ୍ତେ ଅଛି, ଅପ୍ରତେ ନ କର କିଛି ।

ଧୂନି ମନ୍ଦିରକୁ ଧ୍ୟାନ       ନାମେକ ମାନ୍ୟେ ଭଗତି ।୪।

ଭଣେ ଭୀମ ଅରକ୍ଷିତା,       ହୃଦରୁ ଛଡ଼ାଇ ଚିନ୍ତା ।

ଜୀବ ଉଦ୍ଧାର ନିମନ୍ତେ       ଭଜୁଅଛି ଦିବା ରାତି ।୫।

 

(୧୮୮)

ଦେଖରେ ଅଲେଖ ଧୂନି ବ୍ୟାପିଛି ଜଗତରେ ।

ଚିହ୍ନି ନ ପାରୁଛୁ ମନ ଏ ମାୟା ଅନ୍ଧକାରେ । ଘୋଷା ।

ଯଜ୍ଞକୁଣ୍ଡ ସ୍ଥାପିଅଛି ମହାମାୟୀ ଉପରେ ।

ଓଁକାର ଶ୍ରୁବ ଘେନିଣ ପକାନ୍ତି ଆହୁତିରେ ।୧।

ଯେ ଧୂନି ମହିଁମା ବ୍ରହ୍ମା ଗାଏ ଚତୁର୍ମ୍ମୁଖରେ ।

ନାରଦ ବୀଣା ଯନ୍ତ୍ରରେ ବଜାନ୍ତି ସପ୍ତସ୍ୱରେ ।୨।

ଯେ ଧୂନିକି ଜାଗି ଯୋଗୀ ହୋଇଗଲେ ଶଙ୍କରେ ।

ସେ ଧୂନିକି ଜାଗି ଶୁକ ହେତୁ ମାତୃ ଗର୍ଭରେ ।୩।

ସେ ଧୂନି ସ୍ଥାପିତ ହେଲା କାଳିନ୍ଦୀ ନିକଟରେ ।

ନୃସିଂହ ଚେତାଉଛନ୍ତି ଶ୍ରୀଗୁରୁଙ୍କର ଆଜ୍ଞାରେ ।୪।

ଯେ ଧୂନି ପ୍ରଣାମ କରି ଚଉଷଠି ସିଦ୍ଧରେ ।

ଅଲେଖ ବାନା ବହିଣ ଫେରନ୍ତି ବ୍ରହ୍ମାଣ୍ଡରେ ।୫।

ଭୀମ କହେ ସୁମନ ତୁ ଯାଅ ହେତୁ ପଥରେ ।

ହେତୁରେ ତୁ ନ ଗମିଲେ ପଡ଼ିବୁ କୁହୁକରେ ।୬।

 

(୧୮୯)

ଦେଖିଲେ ମାତ୍ର ଚର୍ମନେତ୍ରରେ ।

ପୂରିଛି ବ୍ରହ୍ମାଣ୍ଡ ଗର୍ଭ ଭିତରେ । ଘୋଷା ।

ନୁହନ୍ତି ମୋ ସୁତ ବ୍ରହ୍ମାଣ୍ଡର ନାଥ ଜାତ ହେଲେ ମୋ ପୁରରେ ।

ବଡ଼ ଅଭାଗିନୀ ମୁଁ ମୂଢ଼ ପାପିନୀ ମିଛେ ବୋଲୁଛନ୍ତି ମୋର କୁମରେ ।

ଆଦି ଈଶ୍ୱରେ, ବିଜେ ସଂସାରେ, ପ୍ରତକ୍ଷେ ପରଂବ୍ରହ୍ମ ଅବତାରେ ।୧।

ଭଗତଙ୍କ ଛଳେ ମହୀଭାରା ବଳେ ବିଜୟେ ଆସି ଏ ମର୍ତ୍ତ୍ୟପୁରେ ।

ନାଶିବେ ସକଳ ଦୁଷ୍ଟ ଦୁରାଖଳ ରୁହାଇବେ କୀର୍ତ୍ତି ରବିତଳରେ ।

ଶାସ୍ତ୍ରବେଦରେ ଭକ୍ତ ଭାବରେ ଯଥା ବିଧିମତ ନାମ ବାହ୍ୟରେ ।୨।

ଧନ୍ୟ ସେ ଭୁବନ ଧନ୍ୟ ପିଣ୍ଡପ୍ରାଣ ଦେଖିବ ଚର୍ମ ନୟନରେ ।

କୋଟି ଜନ୍ମ ପାପ ବିନାଶିଲି ଦେଖ ପୂର୍ବର ସୁକୃତ ଭାଗ୍ୟ ଥିବାରେ ।

ପ୍ରସନ୍ନ ମୋରେ ପୁତ୍ର ଭାବରେ କମ୍ପୁଛନ୍ତି ହୃଦେ ହେଜ ପାଞ୍ଚରେ ।୩।

ହେଉଛି ଭାରତ ଭୂମି କୁରୁକ୍ଷେତ୍ର ବାଦି ପଞ୍ଚୁପାଣ୍ଡବରେ ।

ଠାବେ ଠାବେ ଲୀଳା ନାମ ସଂକୀର୍ତ୍ତନ ରାମଚନ୍ଦ୍ର ମିତ ସୁଗ୍ରୀବଠାରେ ।

କପି ସନ୍ୟରେ ବୀରବେଶରେ ରାମାୟଣ ଯୁଦ୍ଧ ଲଙ୍କାଦ୍ୱୀପରେ ।୪।

ଜୟ ଜୟ ହରି ନିକୁଞ୍ଜବିହାରୀ କରୁଣା କର ମୋଠାରେ ।

ଭଣେ ଭୀମସେନ ଦୁର୍ବୁଦ୍ଧି ଦୁର୍ଜନ ଦିବାନିଶି ଧ୍ୟାନ ସ୍ୱାମୀ ପୟରେ ।

ଅନୁଭବରେ ମନଧ୍ୟାନରେ ନିର୍ଣ୍ଣ ପଞ୍ଚୁଆତ୍ମା ନାମ ବ୍ରହ୍ମରେ ।୫।

 

(୧୯୦)

ବିକାଶି ତାଙ୍କ ପୂର୍ବ ସୁକୃତ, ନନ୍ଦ ବସୁମାତ୍ର ଭାବେ ଭଗତ । ଘୋଷା ।

କଂସାସୁର ପୁରେ ବସୁଦେବ ଘରେ ଦେବକୀ ଗର୍ଭେ ଚକ୍ରଧର ।

ଗର୍ଭେ ଦଶମାସ ରହି ସେ ପୁରୁଷ ଜନ୍ମ ହେଲେ ବହି ନର ସ୍ୱରୂପ ।

ଜାଣି ବେଦାନ୍ତ, ଆଦି ଅନନ୍ତ, ପୁଣି ଦୃଷ୍ଟି କଲେ ମଧୁପୁରେତ ।୧।

ଚାହିଁ ପୁତ୍ର ମୁଖ ଲଭି ତାର ଦୁଖ କି କୃତ୍ୟ କଲୁ ବିଧାତ ।

ଦେଖିଲି ନୟନେ ପୂର୍ବର ଯେ ପୁଣ୍ୟ କେ ମୂର୍ଚ୍ଛିବ ରୂପ ବର୍ଣ୍ଣ ବିଦିତ ।

ଆକୁଳ ଚିତ୍ତ, ନେତ୍ରୁ ଲୁହତ ହା ହା ବୋଲି ଦେଲେ ଲଲାଟେ ହସ୍ତ ।୨।

ଜାଣି କଂସ ପତି ଦୂତ ପେଷି ଧାତି ପୁତ୍ର ମାରିବ ନିୟତ ।

ନାଶି ବିଶ୍ୱଗୋତ୍ର ନାହିଁ ତା ବିଚିତ୍ର ନୋହେ ଶାନ୍ତି ଶୀଳ ଦୟାମହତ୍ତ୍ୱ ।

ଅଣବିହିତ, ଜିଣି ଜଗତ, ହାରିଛନ୍ତି ଯାକୁ ସୁର ସିଦ୍ଧାନ୍ତ ।୩।

ନନ୍ଦଘରେ ମୁହିଁ ସମର୍ପିଲେ ନେଇ ଗୋପେ ବଢ଼ିବ ପୁତ୍ରାନ୍ତ ।

କାଖତଳେ ନେଇ ବସନ ଘୋଡ଼ାଇ ଚଳିଲେ ସେ ଗୋପନବର ପଥ ।

ଅର୍ଦ୍ଧ ନିଶାନ୍ତ ଦେବକୀ କାନ୍ତ ସମର୍ପିବି ନେଇ ଯଶୋଦା ହସ୍ତ ।୪।

ପାଇ ଧର୍ମସୁତ ଯଶୋବନ୍ତୀ ମାତ ପଞ୍ଚୁମନରେ ଉଷତ ।

ବୋଲେ ଭୀମଭୋଇ ଅନ୍ତର୍ଯ୍ୟାମୀ ସେହି ଗୋପପୁରେ ପ୍ରଭୁ ହେଲେ ଉଦିତ ।

ନାମ ବିଖ୍ୟାତ, ଜଗତ ତାତ, ବୋଲାଇଲେ ତେଣୁ ଯଶୋଦା ସୁତ ।୫।

 

(୧୯୧)

ଭଜ ଅଲେଖ ବ୍ରହ୍ମଙ୍କୁ, ଛଡ଼ାଇ ବାହ୍ୟ କର୍ମକୁ ।

ଘୋଟିଯିବ ଭବବାରି ତ୍ରିଅମର ଦେଖୁ ଦେଖୁ । ଘୋଷା ।

ଅନହତ ପୁରେ ସ୍ଥିତି, ଜାଜୁଲ୍ୟମୟ ତା ଜ୍ୟୋତି ।

କୋଟି ଚନ୍ଦ୍ର ସୂର୍ଯ୍ୟ କାନ୍ତି ଲକ୍ଷ ନୋହେ ତା ତେଜକୁ ।୧।

ଅଣ ଆକାର ତା ଦେହୀ, ନିତ୍ୟେ ଛନ୍ତି ଉଦେ ହୋଇ ।

ପୂରିଛି ସକଳ ଦେହୀ ଅନୁବ୍ରତେ ଖୋଜ ତାଙ୍କୁ ।୨।

ନିଶବ୍ଦ ଘରୁ ଶବଦ, ଆଣ୍ଟେ କରୁଅଛି ନାଦ ।

ଅଣଭେଦ ଚିତ୍ତେଭେଦ ଛେଦ ମୋହନ ମଦକୁ ।୩।

ଶୂନ୍ୟେ ବାଜୁଛି ବାଜଣା, ଏକକୁ ଆରେକ ଜିଣା ।

ବେନି କର୍ଣ୍ଣ ମୂଳେ ଠଣା ଭେଦୁଛି ଚଉଦିଗକୁ ।୪।

ଆବୋରି ବେନି ନୟନ, ନଳିନୀ ଜଳ ଯେସନ ।

କରୁଛି ସର୍ବ ବିଧାନ ଘେନି ଅକର୍ମ କର୍ମକୁ ।୫।

ଚଳୁଛି ନାସା ପୁଡ଼ାରେ, ହୋଇ ଭିତର ବାହାରେ ।

ସ୍ଥିତି ଉତ୍ପତ୍ତି ପ୍ରଳୟ ଦିବା ନିଶି ନାହିଁ ଯାକୁ ।୬।

ତ୍ରିକୂଟ ସନ୍ଧିରେ ରହି, ରାଉଛି ବଚନ ସେହି ।

ବୋଲେ ଭୀମସେନ ଭୋଇ ଧ୍ୟାଇ ଗୁରୁ ପୟରକୁ ।୭।

 

(୧୯୨)

କୃପାସାଗର ହେଲେ ବାହାର, ଅନାଦି ପୁରୁଷ ଯୋଗେଶ୍ୱର ।

ଡୁବି ଗଲା ଯହୁଁ ସତ୍ୟସାର । ଘୋଷା ।

ଭଗତଙ୍କ ହିତେ,            ବିଜୟେ ଜଗତେ ।

ଦୀକ୍ଷା ଅବଧୂତ,            ନିର୍ବେଦୁ ସମ୍ଭୁତ ।

ଦେଖି ଅନିତ୍ୟ ଅଣ ଆଚାର ।

ନ ବିଶ୍ରାମି ଦଣ୍ଡେ,            ବୁଲନ୍ତି ବ୍ରହ୍ମାଣ୍ଡେ,

କ୍ଷୀର ନୀର କରି ଆହାର ।୧।

ବିଜୟେ ଧରତି,            ଆଦି ବ୍ରହ୍ମବେତ୍ତା,

ସାଧନେ ଶକତା,            ଜୀବ ପରେ ହିତା,

କାରଣ ଲଭିଲେ ଚରାଚର ।

ସ୍ଥାବର ଜଙ୍ଗମ,            କୀଟାଦି ପତଙ୍ଗ,

ଲାଗିଅଛି ତେଜ ତାହାଙ୍କର ।୨।

ଯହୁଁ ପାଦପାଣି,            ପଡ଼ିଲା ଧରଣୀ ।

କମ୍ପେ ପୁର ତିନି,            ଚେତିଲେ ସୁଜ୍ଞାନୀ ।

ବିଘ୍ନ କରୁଛନ୍ତି ସୁରନର ।

ସତ୍ୟରେ ଭଜିଲେ,            ଚିତ୍ତରେ ମଜ୍ଜିଲେ,

ଭେଟ ଯେଉଁଦିନୁ ଏକଠାର ।୩।

ଗତି ପତି ଦାତା,            ମୋ ଜୀବନ କର୍ତ୍ତା,

ପାଇ ଆନନ୍ଦିତା,            ମନେ ଉନମତ୍ତା,

ତରିବି ବୋଲି ଭରସା ମୋର ।

ଶ୍ରୀପୟର ରେଣୁ,            ବୋଳି ହୋଇ ତନୁ,

ଭଣେ ଭୀମ ଭୋଇ ପାମର ।୪।

 

(୧୯୩)

ଶୁଣ ହେ ସୁଜନ, ମହିମା ବିଧାନ,       ଅଲେଖ ଶୂନ୍ୟପୁରୁଷ ।

ଲବଣ ସମୁଦ୍ର, ଜମ୍ବୁଦ୍ୱୀପ ପୃଥ୍ୱୀ       ଦକ୍ଷିଣ ଉତ୍କଳ ଦେଶ ଯେ ।

ମାଳବିହାର ପୁର । ତହିଁ ଆରମ୍ଭିଲେ ଧୂନିଘର ।

ଭକ୍ତେ ଢାଳୁଛନ୍ତି ଘୃତଧାର । ହବିପାନେ ତୋଷ ବୈଶ୍ୱାନର ଯେ ।୧।

ଗୁରୁଦେବ ସ୍ୱାମୀ, ପ୍ରଭୁ ଅନ୍ତର୍ଯ୍ୟାମୀ            ଆଦି ଅନ୍ତ ଯାର ନାହିଁ ।

ନବ ଖଣ୍ଡ ପୃଥ୍ୱୀ, ଏକାଙ୍ଗେ ଭ୍ରମନ୍ତି,             ବୁଦ୍ଧ ଅବତାର ହୋଇ ଯେ ।

କଳି କରିବେ ହତ । ଅଷ୍ଟଦିନ ହୋଇବ ଭାରତ ।

ଦୁଷ୍ଟଗଣ ମରିବେ ବହୁତ ।୨।

ଅନନ୍ତ ମୂରତି, ମର୍ତ୍ତ୍ୟେ ଉତପତ୍ତି,            ନିଜ ନାମ ଗୋପ୍ୟ କଲେ ।

ଜଗତ ଭିତରେ, ଭଗତ ହିତରେ,            ଅଲେଖବାନା ବହିଲେ ଯେ ।

ଦେଖ ପ୍ରଭୁ ମହିମା । ଭାଙ୍ଗିଦେବେ ଦୁଷ୍ଟଙ୍କ ଗାରିମା ।

ଅନ୍ତ ନ ପାଇଲେ ବେଦ ବ୍ରହ୍ମା,            ଜଳ ପୃଥ୍ୱୀ ନକ୍ଷତ୍ର ସୁଧର୍ମା ।

ସାକ୍ଷ ଥାନ୍ତୁ ଚନ୍ଦ୍ର ସୂର୍ଯ୍ୟ ସିନା ଯେ ।୩।

ସ୍ୱାମୀ ପଦ ରଜ, ହୃଦପଦ୍ମେ ଭଜ,            ଆହେ ସାଧୁ ସୁଜ୍ଞଜନ ।

ଗତ ଜନ୍ମ ଦୋଷ, ହୋଇବ ବିନାଶ,            ନ ଯିବ ଯମ ଭୁବନ ଯେ ।

ସ୍ୱାମୀ ଚରଣେ ପଡ଼ି । କହେ ଭୀମ ହୀନ କରଯୋଡ଼ି ।

ଗତ ଜନ୍ମ ଦୋଷ ଯିବ ଛାଡ଼ି ।      ପ୍ରଭୁ ରଖିବେ ଚକ୍ର ଉହାଡ଼ି ।

ସ୍ୱାମୀ ଚରଣେ ସାଷ୍ଟାଙ୍ଗେ ପଡ଼ି ଯେ ।୪।

 

(୧୯୪)

ଗୁରୁ ରୂପ ଗ୍ୟାନ ଦେଲେ ଆଣି ।

ଜଗତ ଭଗତ ମନ ଜାଣି ।

ଗତି ପତି ଦାତା, ବ୍ରହ୍ମାଣ୍ଡ କରତା,

ବିଜେ କରିଛନ୍ତି ଦେଖ ଦେଖ ହେ ।

ପ୍ରିୟ ଲୋକ,

ଶୂନ୍ୟ ପୁରୁଷ ଅଲେଖ ହୋଇ ଲେଖ ।୧।

ସାଧୁ ସୁଜ୍ଞଜନ ଅଛ ଯେବେ,

ଗ୍ୟାନନେତ୍ରେ ଚିହ୍ନି ଧର ଏବେ,

ଅଶେଷ ବ୍ରହ୍ମାଣ୍ଡେ, ପୃଥ୍ୱୀ ନବ ଖଣ୍ଡେ,

ଭେଦିଛନ୍ତି ଚନ୍ଦ୍ର ସୂର୍ଯ୍ୟ ପ୍ରାୟେ ହେ ।

ନର ଦେହେ ।

ଜାଣି ଆଶ୍ରେ କଲେ ପିଣ୍ଡ ନୋହେ କ୍ଷଏ ।୨।

ସପ୍ତବ୍ରହ୍ମାଣ୍ଡକୁ ସାତ ବାର

ବତାଇ କହୁଛି ହେତୁ କର

କିମ୍ପାଇଁ ଅଗ୍ୟାନ, ହେଉଛ ସୁଜନ,

କାଳମାୟା ମୋହେ ପଡ଼ିଅଛ ହେ ।

ନୁହେ ମିଛ ।

ବୃଥା ସଂସାର ମତରେ ଭୁଲୁଅଛ ।୩।

ଅଭୟ ଚରଣ ଥାଉଁ ଥାଉଁ,

କାହାକୁ ଚିତ୍ତରେ ଭୟ ଆଉ,

ଧର ଦୃଢ଼ ବନ୍ଧେ, ଗୁରୁ ପାଦବିନ୍ଦେ,

ବ୍ରହ୍ମଗ୍ୟାନ ହେବ ପରାପତ ହେ ।

ସାରସ୍ୱତ ।

ବାକ୍ୟ ଶ୍ରୀଗୁରୁ ବଚନ ନୋହେ ମିଛ ।୪।

ଚାରିଯୁଗ ସଂଖ୍ୟା ଛିଡ଼ୁ ଅଛି,

ଆଦି ଅନ୍ତ କିଛି ନ ମିଳୁଛି,

ପରମ ପୁରୁଷ, ଗୋପ୍ୟାନେ ପ୍ରଚରି,

ଅଲେଖ ଶବଦ ଭିଆଇଛି ହେ ।

କଳିକାଳେ ।

ବୁଦ୍ଧି ପ୍ରବୁଦ୍ଧ ସ୍ୱରୂପ ରବିତଳେ ।୫।

ନିଷ୍କାମ ଧର୍ମକୁ ବୃକ୍ଷ ରୂପି,

ବ୍ରହ୍ମକର୍ମ ଧର୍ମ ଦେଲେ ସ୍ଥାପି,

ଏବେ ସେହି ଫଳ, ଦେଖ ହେ ସକଳ

ପ୍ରାପତ ହୋଇବ ସମସ୍ତଙ୍କୁ ସେ ।

ଧର୍ମ ରୂପ ।

ଗତି ମୁକତି ପାଇବେ ସର୍ବ ଲୋକ ।୬।

ପରମ ପୁରୁଷ କବି ରୂପ,

ପୁରାଣ ହୋଇଛି ବେଦ ବାକ୍ୟ,

ଆପ ବ୍ରହ୍ମାଣ୍ଡରେ ଆପେ ବିଜେ କରି,

ସମ୍ପାଦନ କରୁଛନ୍ତି ଆସି ହେ ।

ଦାସ ଦାସୀ ।

ଦେଖ ତିନିପୁର ଯାଉଥିଲା ଭାସି ।୭।

ନ ପାଇ ବ୍ରହ୍ମର ଆଦି ଅନ୍ତ,

ଭୁଲି ଯାଉଛନ୍ତି ସାଧୁ ସନ୍ଥ,

ଚାରି ଯୁଗେ ବ୍ରହ୍ମ, ନର ଅଙ୍ଗେ ଥାଇ,

ଭୁଲାଇ ମାରୁଛି ବେଦ ବାଦେ ହେ ।

ତପ ସାଧ୍ୟେ ।

ବୋଲେ ମୁହିଁ ଅଛି ମୋହ ଶୂନ୍ୟ ମଧ୍ୟେ ।୮।

ବ୍ରହ୍ମର ମହିମା ବ୍ରହ୍ମ ଜାଣେ,

କେବା ସାମରଥ ତ୍ରିଭୁବନେ,

ଅବ୍ୟୟ ବ୍ରହ୍ମଙ୍କୁ କଳିବାକୁ ତାକୁ,

ଅଶେଷ ବ୍ରହ୍ମାଣ୍ଡେ ଯେତେଛନ୍ତି ହେ ।

ନ ଦିଶନ୍ତି ।

ସର୍ବ ବ୍ରହ୍ମାଣ୍ଡେ ବଡ଼ିମା କହୁଛନ୍ତି ।୯।

ନାମ ବ୍ରହ୍ମ ପଦ ଅନୁସର,

ଦିବା ନିଶି ହେଳା ନାହିଁ କର,

ଭଣେ ଭୀମହୀନ, ପାମର ଅଗ୍ୟାନ

ଡାକି କହୁଅଛି ଶତେବାର ହେ ।

ସାଧୁଜନ ।

ହୃଦେ ମହିମା ଅଲେଖ ନାମ ଗୁଣ ।୧୦।

 

(୧୯୫)

ମନ ସଧୀରେ ହୋ, ଦୃଢ଼େ ସାଧ୍ୟ କର ।

ପାହିଗଲା ନିଶି ପତିକି ତୁ ଧର । ଘୋଷା ।

ଚନ୍ଦ୍ର ସୂର୍ଯ୍ୟ ଉଦେ ହୋନ୍ତି ବ୍ରହ୍ମାଣ୍ଡ ମଧ୍ୟର ।

ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ତେଜ ତାହାଙ୍କର ।୧।

ନିର୍ଧୂମ ଅଗ୍ନିର ତେଜ ଧୂମାନ୍ତ ଆକାର ।

ଯୋଗୀନ୍ଦ୍ର ପରେ ଯୋଗୀନ୍ଦ୍ର ଯାଇ ଯୁଗାନ୍ତର ।୨।

ଷୋଳକଳା କଳା କଳା କଳାରୁ ଅନ୍ତର ।

ଅର୍ଦ୍ଧ ନିଶି ନିଶି ନିଶି ନିଶାଚର ।୩।

କହେ ଭୀମଭୋଇ ଅର୍ଥ ବେନି ଯେ ପ୍ରକାର ।

ଅଗ୍ୟାନିକି ଆଗୋଚର ଗ୍ୟାନିକି ଗୋଚର ।୪।

 

(୧୯୬)

ଲତାବନେ ବୁଲି ଦେଖ ବେନି ଗୋଟି ପୁଷ୍ପ ।

ପ୍ରତିଦିନ ତିନିପୁରେ ହେଉଛନ୍ତି ବେଶ । ଘୋଷା ।

ରୂପା ବୃକ୍ଷ ମୂଳେ ଚେତ ନାହିଁ ତା ବିକାଶ ।

ମେରୁକୁ ଦ୍ୱିଗୁଣେ ମୋଟ ହୋଇଛି ପ୍ରକାଶ ।୧।

ଅବସନ୍ତେ ପଲ୍ଲବୁଛି ନାହିଁ ମଧୁମାସ ।

ନିତି ଫୁଟେ ନିତି ତୁଟେ ନ କରୁଛି ବାସ ।୨।

ବେନି ପରକାର ରୂପ ବର୍ଣ୍ଣ ତାର ଦୃଶ୍ୟ ।

ନାହିଁ ମଧୁରସ ତହିଁ ତେଜ ତାର ବିଷ ।୩।

ଅଣ ଛାୟା ତରୁତଳେ କରିଛନ୍ତି ବାସ ।

କଢ଼ିରୁ ପଡ଼ିଲେ ଝଡ଼ି ସର୍ବେ ଯିବେ ନାଶ ।୪।

ଚତୁର୍ଥ ପାଖୁଡ଼ା ଦୁତୀ ପାଖୁଡ଼େ ବିଳାସ ।

ବୋଲେ ଭୀମ ଭୋଇ ଭୃଙ୍ଗ ନ ଯାଏ ତା ପାଶ ।୫।

 

(୧୯୭)

ପ୍ରତ୍ୟକ୍ଷରେ ଅନନ୍ତ ସ୍ୱରୂପ ହେ ରହି ଦେଖ,

ଠୂଳ ଶୂନ୍ୟେ ହୋଇଛନ୍ତି ଗୋପ୍ୟ ହେ । ଘୋଷା ।

ପାତାଳେ ବାସୁକିଗଣ,            ଅନନ୍ତ ସେ ନାରାୟଣ,

ଶିରେ ବହି ସପ୍ତସିନ୍ଧୁ ଦ୍ୱୀପ ।

ରଚନା ତିନି ବ୍ରହ୍ମାଣ୍ଡ,            ଅଛି ପୃଥ୍ୱୀ ନବଖଣ୍ଡ,

ଅନନ୍ତ ବାସୁକି ଶିରେ ଗୋପ୍ୟ ।୧।

ସକଳ ଘଟରେ ହରି,            ଅଛନ୍ତି ବିଜୟ କରି,

ରାଧା କୃଷ୍ଣ ନାମ କିମ୍ପା ଜପ ।

ବିଅର୍ଥେ ହେଉଛ ଧନ୍ଦି,            କର୍ମ କାମ ପାଶେ ବନ୍ଦି

ଡୋଳା ମଧ୍ୟେ ରାଧାକୃଷ୍ଣ ରୂପ ହେ ।୨।

ଅର୍ଦ୍ଧନାସା ବେନି ପୁଡ଼ା,            ଚନ୍ଦ୍ର ସୂର୍ଯ୍ୟ ତହିଁ ଯୋଡ଼ା

ଉଜାଣି ବହୁଛି ତହିଁ ଦେଖ ।

ପରଚେ ହୋଇବ ଯେବେ,            ନୟନେ ଦେଖିବ ତେବେ,

ଛଡ଼ ବେଦ ପରେ ବ୍ରହ୍ମ ରୂପ ହେ ।୩।

ଗୁମ୍ଫାକୁ ଫିଟିଛି ବାଟ,       ତହୁଁ ଆସନ ନିକଟ,

ହର ବ୍ରହ୍ମା ଗମ୍ୟ ନାହିଁ ଶକ୍ୟ ।

ଅତିହିଁ ଅଗମ୍ୟ ଭୂମି,            ଖୋଜି ନ ପାଆନ୍ତି ଗ୍ୟାନୀ,

ଚନ୍ଦ୍ର ସୂର୍ଯ୍ୟ ତେଜ ନାହିଁ ଧାପ ହେ ।୪।

ଉଦେ ଅସ୍ତ ଭୂମି ଚିହ୍ନି,            ଥୟ କର ପଞ୍ଚମନ,

ନିରନ୍ତରେ ଅଣାକାର ଜପ ।

ମାରୁଛି ବ୍ରହ୍ମ ଲହଡ଼ି,            ଦେଖୁ ଦେଖୁ ଯିବ ଛାଡ଼ି,

ପବନକୁ ବାନ୍ଧି ଧୀରେ ରଖ ହେ ।୫।

ଜୟ ଜୟ ଶୂନ୍ୟ ହରି,            ଅରୂପାନନ୍ଦ ବିହାରୀ,

ଅକୃପା କଲେ ହୋଇଲି ନିରେଖ ।

ଶ୍ରୀଗୁରୁ ପାଦପଦ୍ମରେ,            ଚିତ୍ତ ଜନ୍ମ ଜନ୍ମାନ୍ତରେ,

ରଖି ଭଣେ ଭୀମଭୋଇ ରଖ ।୬।

 

(୧୯୮)

ଯାକୁ ଭଜୁଅଛ, ତାକୁ ନ ବୁଝି ନିନ୍ଦିତ କରୁଅଛ । ଘୋଷା ।

ଲୋଡ଼ୁଅଛ ବେଦେ ଜପେ ତପେ,

ଝସାଇ ପଡ଼ୁଛି ମୁଖେ ମୁଖେ,

ତା ଅଙ୍ଗେ ତୁମ୍ଭର, ଅଙ୍ଗ ଲାଗିଅଛି,

ଚାଲି ଯାଉଅଛି କରି ପଛ ।୧।

ଯେତେ ଏ ମାନବ ପିଣ୍ଡ ଜାଣ,

ସବୁ ଘଟେ କରି ନିରୂପଣ,

ନରଦେହେଁ ବ୍ରହ୍ମ, କେଉଁ ବର୍ଣ୍ଣ ଦିଶେ

ବୁଦ୍ଧିରେ ବିବେକ କରି ବାଛ ।୨।

କବିତ ପଣ୍ଡିତ ସାଧୁମାନେ,

ସପ୍ତାଙ୍ଗୀ ଅଷ୍ଟାଙ୍ଗୀ ଯୋଗୀଜନେ,

ହେତୁ କରି ବୁଝ, ତତ୍ତ୍ୱମନେ ଖୋଜ,

ସତ୍ୟ ବାକ୍ୟ ନାହିଁ ମଣ ମିଛ ।୩।

ସତ୍ୟ ସାଧୁ ସଙ୍ଗେ ଛନ୍ତି ଗୁରୁ,

ଶୂନ୍ୟ ହୋଇ ବୁଦ୍ଧ ଅବତାରୁ,

ଯହିଁ ସତ୍ୟ ଧର୍ମ, ତହିଁ ରହେ ବ୍ରହ୍ମ,

ନ ବାରନ୍ତି ସେ ଯେ ଉଚ୍ଚ ନୀଚ ।୪।

ଛପ୍ନା କୋଟି ଯାକୁ ଧ୍ୟାନ କରି,

ସେ ହୋଇଛି ଯୋଗୀ ଭିକ୍ଷାକାରୀ,

କରୁଅଛି ସ୍ନାନ, ଅନ୍ନ ଜଳ ପାନ,

ରହିଛନ୍ତି ମଧ୍ୟ ସ୍ୱର୍ଗ ମଞ୍ଚ ।୫।

ଭଣେ ଭୀମ ଅରକ୍ଷିତ କନ୍ଧ ।

ଧରି ଶ୍ରୀଗୁରଙ୍କ ପାଦ ବିନ୍ଦ,

ଅଶେଷ ଲକ୍ଷଣେ, ଲକ୍ଷିତ ପ୍ରକାଶ,

କେଉଁ ରୂପ ଦେବି ସମକଛ ।୬।

 

(୧୯୯)

ଧ୍ୟାନ ଧଉର୍ଯ୍ୟେ ଗୁରୁ ପାଦ ସୁମର ।

ଦାରା ସୁତ ବିତ୍ତ ନ ଯିବେଟି ସଙ୍ଗର । ଘୋଷା ।

ଯେତେ ଦିବସରୁ ପିଣ୍ଡ ରଚନା ହେଲା,

ତେତେ ଦିନଠାରୁ ମାୟା ମୋହ ଘୋଟିଲା,

ଆଦି ଗର୍ଭରେ ସିଦ୍ଧି, ରୋମ ଚର୍ମରେ ଭେଦି,

ପଶିଲା ମାୟାବୁଦ୍ଧି, ପ୍ରବୃତ୍ତିକି ସମ୍ପାଦି,

ବିକୃତି ଉଦ୍ଦୀପନ, ପ୍ରେମହାସ୍ୟକୁ ଭେଦି,

ପ୍ରେମ ହାସ୍ୟରୁ କାମ, କଳ୍ପଣା ଘରେ ବନ୍ଦି,

ତେଣୁ ପଡ଼ିଲା ମାୟ ମୋହ ବନ୍ଦିର ।୧।

ଦୁର୍ଲ୍ଲଭ ଜନମ ପିଣ୍ଡ ନିଶ୍ଚିନ୍ତେ ଦେଲା,

ଉତ୍ପତ୍ତିରୁ ସ୍ଥିତି କରି ଫେରି ମାଇଲା,

ଆଗେ ଖୁଆଇ ଖଣ୍ଡ, ବୁହାଇ ଦେଲା ଦଣ୍ଡ,

ଘୋଟିଲା କର୍ମ କାଣ୍ଡ, ଭୂମି ପଡ଼ିଲା ପିଣ୍ଡ,

ଛିଡ଼ିଲା ଗଣ୍ଡି ମୁଣ୍ଡ, ହୋଇଲା ଖଣ୍ଡ ଖଣ୍ଡ,

ଜଳେ ମୃତ୍ତିକା ଭାଣ୍ଡ, ପରାଏ ମସି ଗୁଣ୍ଡ,

ମଥା ପରେ ପିଟିଲା ବଜ୍ର ପାହାର ।୨।

ଜାଣି ଜାଣି ସବୁ ନ ଜାଣିବାର ହେଲା,

ବ୍ରହ୍ମଶାପ ପାଇ ତେଣୁ ଅଳପେ ମଲା,

ଜିଇବା, ସୂଚିଥିଲା, ମରଣ ମୂଳ କଲା,

ସୁଖ ଭୋଗ ରହିଲା, ଯୋଗକୁ ନ ଧଇଲା,

ପାଇ ପ୍ରକୃତି ଲୀଳା, ସକଳ ପାସୋରିଲା,

ଆପଦକୁ ସେ ସତ୍ୟ, ବୋଲିଣ ଆଦରିଲା,

ନିତ୍ୟେ ଭାବେ ମଜ୍ଜିଲା ଭବ ଦୁଆର ।୩।

ଆଉ କଥାମାନ ସବୁ ଦୂରକୁ ଛାଡ଼,

ନିଶ୍ଚୟ ଅନ୍ତକାଳରେ ପାଇବୁ ମାଡ଼,

ଭାରିଯା ରୂପେ ଦେବୀ, ଜଗିଥିବ ବାଟରେ,

ପ୍ରକୃତି ପୁତ୍ରରୂପେ, ଜଗିଥିବେ ପାଶରେ,

କାଳ ଗଣେ କଟାଳ, କରିବେ ନିରନ୍ତରେ,

ପ୍ରହାର କରି ମାଡ଼ି ବସିବେ ଏ ଦେହରେ,

ଚଉଦିଗ ଦିଶିବ ସବୁ ଅନ୍ଧାର ।୪।

ଶୁଣ ସାଧୁ ସୁଜ୍ଞଜନେ ପ୍ରଳୟ କଥା,

ମାଟି ପଥରକୁ ରଚିଅଛି ବିଧାତା,

ନବତନୁରେ ମହୀ, ଯିବ ପ୍ରଳୟ ହୋଇ,

ଉଲୁକା ପାତ ହୋଇ, ଶୂନ୍ୟ ଶବଦ ବାଇ,

ଚନ୍ଦ୍ର ସୂର୍ଯ୍ୟ ଲୁଚିବେ, ମେରୁ ତ୍ରିକୂଟେ ଯାଇଁ,

ତ୍ରିପୁର ଅନ୍ଧକାର, ନକ୍ଷତ୍ରଗଣ ନାହିଁ,

ଶୂନ୍ୟ ଆକାଶେ ଘୋଟିଯିବ କୁହୁର ।୫।

କାରୁଣ୍ୟ ଜଳ ଘୋଟିବ ଯେବଣ ଦିନେ,

ଯୋଗୀମାନେ ଆସନ ବାନ୍ଧିଥିବେ ଶୂନ୍ୟେ,

ମନ ହୋଇ ଆସନ, ଉଡ଼ିବେ ସର୍ବଜନ,

ଉଜାଣି ଉଠି ଶୂନ୍ୟ, ବ୍ରହ୍ମରେ ହେବେ ଲୀନ,

ଭାଙ୍ଗିବ ମେରୁ ଦ୍ରୁମ, ବ୍ରହ୍ମାଣ୍ଡ ହେବ ଶୂନ୍ୟ,

ସ୍ୱର୍ଗରେ ଦେବଗଣ, ହୋଇବେ ରଣ ଭଣ,

ତିନି ଭୁବନ ହେବ ଜଳବିମ୍ବର ।୬।

ବୁଦ୍ଧିଥିବା ଲୋକମାନେ ହେଲେଣି ବଣା,

ସାମର୍ଥକ ପଣ ଧନ ହେଲାଣି ଊଣା,

ବୁଦ୍ଧି ହେଲାଣି ବାମ, ଆଶ୍ରୟ ନାହିଁ ନାମ,

ହୋଇଲେଣି ଅଧମ, ମାୟା ମୋହରେ ଭ୍ରମ,

ନ କରି କ୍ରିୟା କର୍ମ, ଅଚେତାରେ ଅଜ୍ଞାନ,

ଛାଡ଼ିଣ ସତ୍ୟପଥ, ଅଧର୍ମ ଆଚରଣ,

ହେତୁ ଚେତା ମନେ ନାହିଁ କାହାର ।୭।

ଜନମ ଦିନରୁ ଯେତେ କରିଛି ଦୋଷ,

ସଂଖ୍ୟା କରି ଶାହାସ୍ତ୍ରେ ମୁଁ କହିବି କିସ,

ଅନ୍ତର୍ଯ୍ୟାମୀ ପୁରୁଷ, ଜାଣୁଥିବେ ଅବଶ୍ୟ,

ଯୁଗ ହେଲାଣି ଶେଷ, ନ କରିବ ନିରାଶ,

କରିଣ ଦାସୀ ଦାସ, ରଖିଣ ଥିବ ପାଶ,

କୃପା କଲେ ଦହନ, ହେବ ପାପ କଳୁଷ,

ଅଣ ବୁଝାମଣା ହେଲାଣି ସଂସାର ।୮।

ଗୁରୁ ଲାତ ବାଜିବାରୁ ପାଇଲି ପଦ,

ଅବନା ମନ୍ଦିରରୁ ବଖାଣିଲି ନିର୍ବେଦ,

ଯୋନି ଜନମ ପିଣ୍ଡ, ଲଭିଅଛି ବ୍ରହ୍ମାଣ୍ଡ,

ଏ ଯୁଗ ପରଚଣ୍ଡ, ହେଲାଣି ନବଖଣ୍ଡ,

ନାଶଯିବ ବ୍ରହ୍ମାଣ୍ଡ, ଆଦିମାନବ ପିଣ୍ଡ,

କୁଢ଼ କୁଢ଼ ହୋଇଣ, ଛିଡ଼ିବ ଗଣ୍ଡି ମୁଣ୍ଡ,

ଦୋଷ ଅପରାଧ କ୍ଷମାକରି ଉଦ୍ଧର ।୯।

ଷୋଳ ବରଷ ଠାରୁ କଲି କବିତ୍ୱ,

ଏକା ରାଗେ ବାନ୍ଧିଲି ମୁଁ ଦି ଯୋଡ଼ା ଗୀତ,

ଭଣେ ଭୀମ ଅର୍କ୍ଷିତ, ଗୁରୁ ମୋ ସାମରଥ,

ଅଭୟ ବାନା ତଳେ, କରିଅଛି ଆଶ୍ରିତ,

ଏକାକ୍ଷର ପୟରୁ, ଆପ୍ୟାନ ସୁଧାମୃତ,

କରୁଣା କରିବାରୁ, ଅନାଦି ଅବଧୂତ,

ଗ୍ୟାନ ନେତ୍ରେ ଦେଖିଲି ବାହ୍ୟ ଭିତର ।୧୦।

 

(୨୦୦)

ଯହିଁ ପ୍ରଭୁଛନ୍ତି, ତତ୍ତ୍ୱ ଭେଦ କରି କେହି ନ ଜାଣନ୍ତି । ଘୋଷା ।

ମନୁଷ୍ୟ ସ୍ୱଭାବେ କରି ମତ,

ସଂସାର ବୁଦ୍ଧିରେ ଆତ ଯାତ,

ଦେଖା ପଡ଼ୁଅଛି, ଲୁଚି ଯାଉଅଛି

ପରକାଶ ହେଉଛନ୍ତି ନିତି ।୧।

ନବଖଣ୍ଡ ମେଦିନୀ କି ଧରି,

ଲୋଡ଼ ସ୍ୱର୍ଗ ମର୍ତ୍ତ୍ୟ ତିନିପୁରୀ,

ଗୁରୁଠାବ କର, ସେବାରେ ବିହର

ଧର୍ମେ ରକ୍ଷାହେଉ ନବକ୍ଷିତି ।୨।

ପିଣ୍ଡ ବ୍ରହ୍ମାଣ୍ଡରେ କର ଠାବ,

ପ୍ରତକ୍ଷରେ ଗୁରୁ ଧରାଦେବ,

ଭକ୍ତ ହିତକାରୀ କରୁଣା ସାଗରୁ,

ତାରିବାକୁ ରୂପିଛନ୍ତି ଛାତି ।୩।

ମହିମା ଆଶ୍ରିତ ଯେତେଛନ୍ତି,

ଏ ଭିତରେ ସ୍ୱାମୀ ଲୁଚିଛନ୍ତି,

ଗ୍ୟାନନେତ୍ରେ ଚିହ୍ନ ନିରୋପି ଶଙ୍କୁନ,

ନିଶ୍ଚୟ ଲଭିବ ସଦଗତି ।୪।

ଯେଉଁଠାରେ ଗୁରୁଥିବେ ରହି,

ପୂରିଥିବ ଅଙ୍ଗ ଊଣା ନାହିଁ,

ଜଗତ ଭଗତ ଛପ୍ନା କୋଟି ଜୀବ,

ସେଠାରେ କରିବା ସେବା ଭକ୍ତି ।୫।

ଅଲେଖ ପୁରୁଷ ଲେଖା ନାହିଁ,

ଅଶେଷ ନାମରେ ଉଦେ ହୋଇ,

ଭଣେ ଭୀମଭୋଇ କେ ପଶିବ ଯାଇଁ,

ଅନଳ ପରାୟେ ରୂପ କାନ୍ତି ।୬।

ଦ୍ୱିତୀୟଖଣ୍ଡ ସମାପ୍ତ